ବ୍ୟୁରୋ: ପାଠପଢା ମଝିରେ ଝିଅଙ୍କର କମିଯାଉଛି ଆତ୍ମବିଶ୍ୱାସ । ଏକ ସର୍ଭେ ରିପୋର୍ଟରେ ଏପରି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସ୍କୁଲ ଯିବା , ପାଠପଢିବା ଏବଂ ସ୍କୁଲରେ ଖୁସି ରହିବା କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅ ସବୁବେଳେ ଆଗରେ ରହୁଥିବା ବେଳେ ଆତ୍ମବିଶ୍ୱାସ ମାମଲାରେ ଝିଅ ଟିକେ ପଛେଇ ଯାଉଛନ୍ତି । ତେବେ ପାଠପଢାରେ ଭଲ ପ୍ରଦର୍ଶନ ସତ୍ତ୍ୱେ କନଫିଡେନ୍ସ କମିଯିବା ଭଳି ଖବର ମନକୁ ଆନେ୍ଦାଳିତ କରୁଛି । ଆଇସି-୩ ଇନଷ୍ଟିଚୁ୍ୟଟ୍ ଅଫ୍ କାଉନସିଲ୍ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ ଏକ ରିପୋର୍ଟ ଜାରି କରିଛି । ଷ୍ଟୁଡେଂଟ ୱେଲବିଂ ପ୍ଲସ୍ ରିପୋର୍ଟ ୨୦୨୫-୨୬ରେ ଏହି ତଥ୍ୟ ପୁରା ଏଜୁକେସନ ସିଷ୍ଟମକୁ ଚିନ୍ତାରେ ପକାଇଛି । ପାଠପଢାରେ ପୁଅଙ୍କୁ ପଛରେ ପକାଇ ଦେଉଥିବା ଝିଅ ଆତ୍ମବିଶ୍ୱାସ, ମୋଟିଭେସନ ଓ ମାନସିକ ଶାନ୍ତି କଥା ଆସିଲେ ସ୍ଥିତି ଚିନ୍ତାଜନକ ହୋଇଯାଉଛି ।
ଦେଶରେ ୮ହଜାର ୫୧୫ ଛାତ୍ରୀଙ୍କୁ ନେଇ କରାଯାଇଥିବା ଏହି ସର୍ଭେ ସ୍କୁଲରେ ପିଲାଙ୍କ ଭାବନାତ୍ମକ ସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରାୟ ୬୨ ପ୍ରତିଶତ ଝିଅ ମାନିଛନ୍ତି ସେମାନେ ସ୍କୁଲରେ ସବୁବେଳେ ଖୁସିରେ ରହୁଛନ୍ତି । ଖୁସି ଅନୁଭବ କରିବା ପରେ ବି ଆତ୍ମବିଶ୍ୱାସ ଅନୁଭବ କରିବା ମାମଲାରେ ଦୃଶ୍ୟ ପୁରା ଓଲଟା । ମାତ୍ର ୫୨ ପ୍ରତିଶତ ଝିଅ କେବଳ କନଫିଡେଂଟ ଅନୁଭବ କରୁଛନ୍ତି । ସେହିସମୟରେ ୬୪ପ୍ରତିଶତ ପୁଅ କିନ୍ତୁ ତାଙ୍କଠାରୁ ବେଶି କନଫିଡେଂଟ । ୨୨ପ୍ରତିଶତ ଝିଅଙ୍କ କହିବା ହେଲା, ସେମାନେ କେବେବି ଆତ୍ମବିଶ୍ୱାସୀ ଅନୁଭବ କରିପାରୁନାହାନ୍ତି । ମାନସିକ ଶାନ୍ତି ଓ ପ୍ରେରଣା ନରହୁଥିବାରୁ ଆତ୍ମବିଶ୍ୱାସ କମୁଥିବା କାରଣ ହୋଇପାରେ । କେବଳ ୪୨ ପ୍ରତିଶତ ଝିଅ ନିଜକୁ ଶାନ୍ତ ଏବଂ ଚିନ୍ତାମୁକ୍ତ ଅନୁଭବ କରୁଛନ୍ତି । ସେହି ସମୟରେ ୨୮ ପ୍ରତିଶତ ଝିଅ ଭାବୁଛନ୍ତି କେବେ ସେମାନେ ଶାନ୍ତିରେ ରହିପାରିବେ କି ? ସକରାତ୍ମକ ଭାବନା ସହ ଝିଅମାନେ ଅଧିକ ନକାରାତ୍ମକ ଭାବନର ସାମ୍ନା କରୁଛନ୍ତି । ରିପୋର୍ଟ କହୁଛି ୩୩ ପ୍ରତିଶତ ଝିଅ ସବୁବେଳେ ଚିନ୍ତାରେ ରୁହନ୍ତି । ତେବେ ଏପରି ଭାବନା କିମ୍ବା ପରିସ୍ଥିତି କାହିଁକି ଉପୁଜୁଛି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି ।
