Latest Odisha News

BREAKING NEWS

ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ: ଓଜେସି

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବିପର୍ୟ୍ୟୟ ପରିଚାଳନାରେ ବିଫଳତା ଓ ପ୍ରଶାସନିକ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡ଼ିଶା ଜନତା କଂଗ୍ରେସ। ବନ୍ୟାରେ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଧୋଇଯାଇଛି। ବନ୍ୟା ପରିଚାଳନାରେ ପ୍ରସ୍ତୁତିର ଅଭାବ କାରଣରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଫଳରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଲୋକ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ପାଇଁ ହଇରାଣ ହୋଇଛନ୍ତି। ବିପର୍ୟ୍ୟୟର ପୂର୍ବାନୁମାନ, ଆଗୁଆ ପ୍ରସ୍ତୁତି, ଉଦ୍ଧାର କାର୍ୟ୍ୟ ଏବଂ ରିଲିଫ୍ ବଣ୍ଟନରେ ପ୍ରଶାସନର ଭୂମିକାକୁ ନେଇ ଓଜେସି ପ୍ରଶ୍ନ ଉଠାଇଛି । ସରକାରଙ୍କ ୪ ଜଣ ମନ୍ତ୍ରୀ ଏବଂ ବର୍ତ୍ତମାନ ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ୍ ଆକଳନ କରିପାରିନାହାନ୍ତି । ପ୍ରଶାସନିକ ଅବହେଳା ହେତୁ ଗଜପତି ଜିଲ୍ଲାରେ ଭୂସ୍ଣଳନ ଯୋଗୁଁ ମାଟିତଳେ ନିଖୋଜ ଥିବା ୧୨ରୁ ଅଧିକ ଗ୍ରାମବାସୀଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଡବଲ ଇଞ୍ଜିନ୍ ସଂପୂର୍ଣ୍ଣ ବିଫଳ ବୋଲି କହିଛି ଓଜେସି । ।

କେବଳ ସେତିକି ନୁହେଁ, କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶର ପଦକ୍ଷେପ ଏବଂ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ଓଡ଼ିଆ ଅସ୍ମିତାର ପ୍ରତୀକ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଜି ପ୍ରଶ୍ନ ଉଠାଇଛି ଓଡ଼ିଶା ଜନତା କଂଗ୍ରେସ । ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ନଭେମ୍ବର ୫ ତାରିଖରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଦୃଢ଼ କୂଟନୈତିକ ଓ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନଥିବା ଦଳ କହିଛି । ଏହି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ, ସାମ୍ବିଧାନିକ ବ୍ୟବସ୍ଥା ଏବଂ ରାଜ୍ୟର ଭୌଗୋଳିକ ଅଖଣ୍ଡତାକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ସରକାର ଦିଅନ୍ତୁ ବୋଲି ଓଜେସି ଦାବି କରିଛି । କେବଳ ପୋଲିସ ଫୋର୍ସ ମୁତୟନ କରିଦେଲେ ରାଜ୍ୟର ସୀମା ଓ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ନାହିଁ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ନ୍ତୁ । କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ରହିବ। ଓଡ଼ିଶାର ସୀମା, ଅଧିକାର ଓ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସକୁ ଗ୍ରହଣ କରାଯିବ ନାହିଁ ବୋଲି ଓଜେସି ସ୍ପଷ୍ଟ କରିଛି ।

ଓଜେସିର ପ୍ରମୁଖ ଦାବି :
୧- ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଡିବିଟି ମାଧ୍ୟମରେ ୫୦ ହଜାର ଟଙ୍କାର ପ୍ରାଥମିକ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉ । ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ପରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉ ।
୨- ପୂର୍ବ ପ୍ରତିଶ୍ରୁତି ଅନୁସାରେ ଚାଷୀଙ୍କ ପାଇଁ ୩ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ଗଠନ କରାଯାଉ ।
୩- ଚଳିତ ବର୍ଷ ବନ୍ୟାରେ ହୋଇଥିବା ଅପୂରଣୀୟ କ୍ଷତିକୁ ନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।
୪ – କୋଟିଆ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ଡାକି ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରି ଏକ କମିଟି ଗଠନ କରନ୍ତୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ବିଚାର ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ ।

Leave A Reply

Your email address will not be published.