ସମ୍ବଲପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରୁ ଖସିପଳାଇବା ଉଦ୍ୟମ ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି । ଭିଜିଲାନ୍ସ କବଳରୁ ବଞ୍ଚିବାକୁ ଯାଇ ରାସ୍ତାରେ ଦୌଡ଼ୁଥିବା ବେଳେ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ ସବ୍-ଇନ୍ସପେକ୍ଟରଙ୍କ ସୁଜିତ କୁମାର ମହାନ୍ତ (ଏସଆଇ) । ହେଲେ ପୋଲିସ ବାବୁଙ୍କୁ କାବୁ କରିବାରେ ସଫଳ ହୋଇଛି ଭିଜିଲାନ୍ସ ଟିମ୍ । ଏଭଳି ଏକ ଘଟଣା ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ।
ଧରାପଡ଼ିଥିବା ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ ମହୁଲପାଲି ଥାନାରେ କାର୍ଯ୍ୟରତ ଥିଲେ । ଅଭିଯୋଗକାରୀଙ୍କ ନାଁରେ ଥାନାରେ ରୁଜୁ ହୋଇଥିବା ଏକ ବିବିଧ ମାମଲାର ଚୂଡ଼ାନ୍ତ ସମାଧାନ କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ମାମଲାର ସେ ତଦନ୍ତ ଅଧିକାରୀ (IO) ମଧ୍ୟ ଥିଲେ ।
ଭିଜିଲାନ୍ସ ଜାଲରେ ଧରାପଡିବା ପରେ ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତଙ୍କ ବିଭିନ୍ନ ଠିକଣାରେ ଯାଞ୍ଚ ଚାଲିଛି । ଏହି ଯାଞ୍ଚ ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଛି । ହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।
