ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଳା ନିକଟରେ ଆଜି ଭୋର ସମୟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀରୁ ନୂଆପଡ଼ା ଅଭିମୁଖେ ଯାଉଥିବା ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ଟି ସଇଁତଳା ଥାନା ସମ୍ମୁଖରେ ଏକ ମାଲବାହୀ ଟ୍ରକ୍ ସହ ଧକ୍କା ହୋଇଥିଲା।
ଦୁର୍ଘଟଣା ଯୋଗୁଁ ବସ୍ର କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ୍ ଚାଳକ ଜଣକ ଗାଡ଼ି ଭିତରେ ଫସି ରହିଯାଇଥିଲେ। ଖବର ପାଇ ବଲାଙ୍ଗୀର ଓ ସଇଁତଳାରୁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ସକାଳ ସମୟରେ ଘନ କୁହୁଡ଼ି ଏବଂ ଗାଡ଼ିର ଟାୟାର ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଦୁର୍ଘଟଣା ଯୋଗୁଁ ବରଗଡ଼-ବୋରିଗୁମ୍ମା ରାସ୍ତାରେ ଥିବା ଜାତୀୟ ରାଜପଥ-୨୬ (NH-26) ଉପରେ ସଇଁତଳା ନିକଟରେ ବ୍ୟାପକ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଯାହା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
