ଚଣ୍ଡିଗଡ: ଦିଲଜିତଙ୍କ ଗୀତ ଉପରେ ଖପ୍ପା ଇନ୍ଦୋରର ଚାଇଲ୍ଡ ପ୍ରୋଟେକ୍ସନ ଅଥୋରିଟି । ଦୋସାଂଜଙ୍କ କିଛି ଗୀତ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ନଭେମ୍ବର ୧୫ରେ ଇନ୍ଦୋରର ସି-୨୧ ମଲ୍ରେ ରହିଛି ଦିଲଜିତଙ୍କ ଶୋ । ଏନେଇ ନଭେମ୍ବର ୬ରେ ଇନ୍ଦୋରର ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଛି ବିଜ୍ଞପ୍ତି । ଏଥିରେ ୪ଟି ପଂଜାବୀ ଗୀତ ପଟିଆଲା ପେଗ୍, ପଂଚ୍ ତାରା, ଜିଭ୍ ବିଚୋ ଅଫିମ୍ ଓ ଜଟ୍ ଉଠେ ଫିରେ କର୍ଦ୍ଦା ଗୀତ ଇନ୍ଦୋର କନସର୍ଟରେ ନଗାଇବାକୁ କୁହାଯାଇଛି । ଏହି କନସର୍ଟରେ ୫ ବର୍ଷରୁ ଅଧିକ ପିଲା ଅଂଶଗ୍ରହଣ କରିବେ । ତେଣୁ ଏହି ଗୀତ ଗୁଡିକ ଛୋଟ ପିଲାଙ୍କ ଉପେର ଖରାପ ପ୍ରଭାବ ପକାଇବ ବୋଲି ଏହି ଗିତ ଉପରେ କଟକଣା ଲଗାଇଛନ୍ତି । ପଂଜାବ ଓ ହରିୟାଣା ହାଇକୋର୍ଟ ଙ୍କ ଜୁଲାଇ ୨୦୧୯ର ଏକ ନିର୍ଦ୍ଦେଶ ପାଳନ କରି ମଲ୍ କର୍ତ୍ତୃପକ୍ଷଙ୍କୁ ଏହି ଗୀତକୁ ଯେପରି କନସର୍ଟ ସମୟରେ ଗାନ ନକରାଯାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ମୁଖ୍ୟତଃ ଶବ୍ଦ ପ୍ରଦୂଷଣ ସମ୍ବନ୍ଧୀୟ ୫ଟି ମାମଲାର ଶୁଣାଣି କରି ଏହି ସମ୍ବନ୍ଧୀୟ ରାୟ ଦେଇଥିଲେ । ଗୀତ ମାଧ୍ୟମରେ ମଧ୍ୟପାନ, ନିଶାଦ୍ରବ୍ୟ ଏବଂ ହିଂସାକୁ ତ୍ୱରାନ୍ୱିତ କରିବା ଭଳି ପ୍ରଚାର କରୁଥିଲେ ତାହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଏ । ଟିଭିରେ ପ୍ରସାରଣ ଓ ଲାଇଭ୍ କନସର୍ଟରେ ଏପରି ଗୀତ ନବାଜିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶ ଆଧାରରେ ଦିଲଜିତଙ୍କ କନସର୍ଟରେ ଏହି ସବୁ ଗୀତ ନବାଜିବାକୁ ନିର୍ଦ୍ଦେଶ ହୋଇଛି ।
୨୦୨୪ରେ ଦିଲଜିତଙ୍କ ହାଇଦ୍ରାବାଦ ଶୋରେ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । ତେଣୁ କନସର୍ଟ ବେଳେ ଗୀତର ଲିରିକ୍ସ ବଦଳାଇ ଗାଇଥିଲେ ଦିଲଜିତ୍ । ସେହିପରି ଅହମ୍ମଦାବାଦ୍ ଶୋରେ ମଦ୍ୟପାନ ସମ୍ବନ୍ଧୀୟ ଗୀତ ଗାଇନଥିଲେ ଦିଲଜିତ୍ । ଏମିତି ଗୀତ ଉପରେ କଟକଣା ଲାଗିବାରୁ ଦିଲଜିତ୍ କହିଥିଲେ, ଗୁଜରାଟ ପରି ସବୁ ରାଜ୍ୟ ଡ୍ରାଏ ରାଜ୍ୟ ଘୋଷଣା କରିଦେଲେ ମୁଁ ସେପରି ଗୀତ ଆଉ ଗାଇବିନି । ସେପଟେ ଇନ୍ଦୋର ମେୟରଙ୍କୁ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ନଭେମ୍ବର ୧୫ ଦିନ ହିଁ ୩ଟି ସ୍ଥାନରେ ବୋମା ବିସ୍ଫୋରଣ ପାଇଁ ଏହି ଇମେଲ୍ ଆସିଥିବା ସୂଚନା ମିଳିଥିଲା ।
