ଭୁବନେଶ୍ବର: ଜମି କ୍ରେତାଙ୍କଠାରୁ ଜମି କବଲା ପଞ୍ଜୀକରଣ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱରଜିଲ୍ଲା ବାଲିଆପାଳର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ର ଓଆର୍ଏସ୍ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ । ଆଜି ରାଜ୍ୟ ସରକାର ସବ୍ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।
ଏହି ଘଟଣା ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ସରକାରଙ୍କ ଲକ୍ଷ୍ୟ । ବାଲିଆପାଳ ଡିଏସଆର ମନୀଷା ମିଶ୍ରଙ୍କୁ ଗତ ୬ ତାରିଖରେ ଭିଜିଲାନ୍ସ ଟ୍ରାପ କଲା । ଗିରଫ ହୋଇ ଜେଲ ଗଲେ । ୭ ତାରିଖରେ ରାଜସ୍ବ ବିଭାଗକୁ ଭିଜିଲାନ୍ସ ଅବଗତ କରାଇଲା । ଭିଜିଲାନ୍ସ ପୂରା ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ସେ ଆହୁରି କହିଛନ୍ତି ଯେ, ଆହୁରି ଅନେକ ଲୋକଙ୍କ ବିରୋଧରେ ଅଭିଯୋଗ ଆସିଛି । ଆରଆଇ ମାନଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ସେମାନେ ବି ସ୍କାନରେ ଅଛନ୍ତି । ତେଣୁ ସରକାର ସେମାନଙ୍କୁ ସାବଧାନ ହୋଇଯାଆନ୍ତୁ ବୋଲି କହୁଛନ୍ତି ।
ରାଜସ୍ବ ବିଭାଗ ୨୦ ପ୍ରତିଶତ ବାବୁଙ୍କ ବିରୋଧରେ ଭିଜିଲାନ୍ସ ରିପୋର୍ଟ ଆଧାରରେ ଆକ୍ସନ ନେଇଛି । ବଳକା ୮୦ ପ୍ରତିଶତ ଲୋକଙ୍କ ଅଭିଯୋଗ ଆଧାରରେ ଆକ୍ସନ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଆକ୍ସନ ହେଉଛି । ସରକାର କାହାରିକୁ ଛାଡିବେନି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
