Sam Pitroda Praises Modi: ମୋଦୀଙ୍କୁ ‘ଗୁଜରାଟୀ ବନ୍ଧୁ’ କହି ପ୍ରଶଂସାରେ ପୋତିଲେ ସାମ୍ ପିଟ୍ରୋଡା, ଜବାବରେ ଏମିତି କହିଲେ ପିଏମ୍ ମୋଦୀ…
ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା। ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହିବା ସହ ତାଙ୍କ ବ୍ୟକ୍ତିତ୍ୱକୁ ଖୁବ୍ ପ୍ରଶଂସା କରିଛନ୍ତି ପିଟ୍ରୋଡା। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଦୀପାବଳି ଓ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଶେଷରେ ‘ଜୟ ଜଗନ୍ନାଥ’ କହି ନିଜର ଉତ୍ତର ରଖିଛନ୍ତି ମୋଦୀ।
ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ୍ ପିଟ୍ରୋଡା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ମୋର ଜଣେ ଗୁଜରାଟୀ ବନ୍ଧୁ। ଜଣେ ମଣିଷ ଭାବେ ମୁଁ ତାଙ୍କୁ ସମ୍ମାନ କରେ। ମୋ ପତ୍ନୀ ଓ ମୁଁ ତାଙ୍କୁ ଭେଟିଛୁ। ବ୍ୟକ୍ତିଗତ ଭାବେ ସେ ଅତ୍ୟନ୍ତ ସ୍ନେହଶୀଳ, ଦୟାଳୁ ଓ ଯତ୍ନବାନ ବ୍ୟକ୍ତି।” ପିଟ୍ରୋଡା ଆହୁରି କହିଛନ୍ତି, ମୋଦୀ ଜଣେ ଭଲ ବକ୍ତା ଏବଂ ପରିଶ୍ରମୀ ବ୍ୟକ୍ତି। ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ମତଭେଦ ନାହିଁ। ଜଣେ ଗୁଜରାଟୀ ନେତା, ବନ୍ଧୁ କିମ୍ବା ଶୁଭେଚ୍ଛୁ ଭାବେ ମୋଦୀଙ୍କୁ ନେଇ ତାଙ୍କର କୌଣସି ଅସୁବିଧା ନାହିଁ। ଏପରିକି ସେ ଅନେକ ଥର ଗୁଜରାଟରେ ମୋଦୀଙ୍କ ଘରକୁ ଯାଇଥିବା ମଧ୍ୟ କହିଛନ୍ତି।
ସାମ୍ ପିଟ୍ରୋଡାଙ୍କ ଏହି ପ୍ରଶଂସାର ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସାମ୍ ଭାଇ, ଆପଣଙ୍କୁ ଏବଂ ଅଞ୍ଜନା ବେନ୍ଙ୍କୁ ଦୀପାବଳି ଓ ନୂତନ ବର୍ଷର ଅଭିନନ୍ଦନ। ଆଗାମୀ ବର୍ଷଟି ଆନନ୍ଦମୟ ଓ ସୁସ୍ଥ ରହୁ ବୋଲି ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ!”
ସାଧାରଣତଃ ମୋଦୀ ସରକାରଙ୍କୁ ନେଇ କଂଗ୍ରେସ ନେତାଙ୍କ ସମାଲୋଚନା ଦେଖିବାକୁ ମିଳୁଥିବା ବେଳେ ସାମ୍ ପିଟ୍ରୋଡାଙ୍କ ଏଭଳି ପ୍ରଶଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ନେହଭରା ଜବାବ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
