କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ଚଢ଼ାଉ କରି ଏହି ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ୨ଟି ଟ୍ରଲର ମଧ୍ୟ ଜବତ କରାଯାଇଛି।
ପଟ୍ଟାମୁଣ୍ଡାଇ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ମାଦଳି ମାଉଥ (Madeli Mouth) ଓ ଏକକୁଳା (Ekakula) ନିକଟରେ ଏହି ମତ୍ସ୍ୟଜୀବୀମାନେ ମାଛ ଧରୁଥିଲେ। ବିରଳ ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ଓ ସୁରକ୍ଷା ପାଇଁ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରିବା ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି।
