Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଋଷିକେଶ: ଉତ୍ତରାଖଣ୍ଡର ତେହରି ଗଡ଼ୱାଲ (Tehri Garhwal) ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସିପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ରୁ ୨୬ ଜଣ ଆହତ ହୋଇଛନ୍ତି। ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଖାଇକୁ ଖସିଲା ବସ୍। ଦୁର୍ଘଟଣାସ୍ଥଳରେ ପୋଲିସ ଓ SDRF ଟିମ୍‌ର ଉଦ୍ଧାର କାର୍ଯ୍ୟ ଜାରି ହୋଇଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ହରିଦ୍ୱାରରୁ ଚମୋଲି ଅଭିମୁଖେ ଯାଉଥିବା ଏହି ବସ୍‌ଟି ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଗୁଲର ବ୍ରିଜ୍‌ ନିକଟରେ ରାସ୍ତା କଡ଼ ରେଲିଂ ଭାଙ୍ଗି ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଋଷିକେଶ ସ୍ଥିତ ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଆହତ ୨୬ ଜଣଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ବଞ୍ଚିଯାଇଥିବା ଜଣେ ଆହତ ଯାତ୍ରୀଙ୍କ କହିବା ଅନୁଯାୟୀ ଡ୍ରାଇଭର ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିଲେ। ଯାତ୍ରୀମାନେ ଦୁଇ-ତିନି ଥର ଗାଡ଼ି ଧୀରେ ଚଳାଇବାକୁ ଅନୁରୋଧ କରିବା ସତ୍ତ୍ୱେ ଡ୍ରାଇଭର ଶୁଣିନଥିଲେ ଏବଂ ବସ୍‌ଟି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା।

ଖବର ପାଇ ବ୍ୟାସୀ ଓ ଢାଲୱାଲା ପୋଷ୍ଟରୁ ଏସଡିଆରଏଫ୍ (SDRF) ଟିମ୍ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଆହତମାନଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଉପରକୁ ଅଣାଯାଇ ଆମ୍ବୁଲାନ୍ସ ଯୋଗେ ଏମ୍ସ ଋଷିକେଶ ଓ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.