ସମ୍ବଲପୁର: ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ର ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (MPHW) ହରିହର ପ୍ରଧାନ ଡେଥ୍ ସାର୍ଟିଫିକେଟ (ମୃତ୍ୟୁ ପ୍ରମାଣପତ୍ର) କରାଇ ଦେବା ପାଇଁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅଭିଯୋଗକାରୀ ନିଜ ଦିବଙ୍ଗତ ଅଜାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବଶ୍ୟକୀୟ ସମସ୍ତ କାଗଜପତ୍ର ସହ ୬ ମାସ ପୂର୍ବରୁ ଆବେଦନ କରିଥିଲେ।
ତେବେ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ସ୍ବାସ୍ଥ୍ୟକର୍ମୀ ଜଣକ କାମ ନକରି ୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀଙ୍କ ଠାରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଯୋଜନା ମୁତାବକ ଜାଲ ବିଛାଇଥିଲା। ଲାଞ୍ଚ ଟଙ୍କା ନେଉଥିବା ବେଳେ ହରିହର ପ୍ରଧାନଙ୍କୁ ରଙ୍ଗେହାତ ଧରାଯିବା ସହ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୭,୦୦୦ ଟଙ୍କା ଜବତ କରାଯାଇଛି। ଗିରଫଦାରୀ ପରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
