Odisha Freezes: ରାଜ୍ୟକୁ ମାଡ଼ି ଆସୁଛି ହାଡ଼ଭଙ୍ଗା ଶୀତ! ୪ ଡିଗ୍ରୀ ଖସିବ ପାରଦ, ଘାରିଲାଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା…
ଭୁବନେଶ୍ୱର: ଧୀରେ ଧୀରେ ବଢୁଛି ଶୀତ । ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଆଗକୁ ଆହୁରି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗୋଟିଏ ପଟେ ଶୀତ ବଢ଼ିବାକୁ ଯାଉଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କିଛି ପାଣିପାଗ ମଡେଲ୍ ଆକଳନ କରୁଛନ୍ତି।
ପାଣିପାଗ ବିଭାଗର ବିସ୍ତାରିତ ଅବଧି ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ନଭେମ୍ବର ୩୦ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ଏହାର ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେଇପାରେ।
ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ପାଣିପାଗ ମଡେଲ୍ଗୁଡ଼ିକର ଆକଳନ ଭିନ୍ନ ଭିନ୍ନ ରହିଛି। ଡିସେମ୍ବର ୨ ତାରିଖ ଆଖପାଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସାମାନ୍ୟ ସମ୍ଭାବନା ରହିଛି। କିଛି ମଡେଲ୍ ଏହା ଆଗକୁ ଶକ୍ତିଶାଳୀ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଏବଂ ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିପାରେ ବୋଲି ସଙ୍କେତ ଦେଉଛନ୍ତି। ତେବେ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଆକଳନ କରାଯାଇପାରିନାହିଁ।
ସେପଟେ ଓଡ଼ିଶାରେ ରାତିର ତାପମାତ୍ରା କମିବା ସହ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଛି। ପୂର୍ବଦିନ ରାତିରେ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୧୪ ଡିଗ୍ରୀ, ରାଉରକେଲାରେ ୧୪.୫ ଡିଗ୍ରୀ, କୋରାପୁଟରେ ୧୫ ଡିଗ୍ରୀ, ଦେବଗଡ଼ରେ ୧୫.୨ ଡିଗ୍ରୀ, ସମ୍ବଲପୁରରେ ୧୫.୪ ଡିଗ୍ରୀ ଏବଂ ନବରଙ୍ଗପୁରରେ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ଶୁଖିଲା ରହିବ। ତେବେ ଆସନ୍ତା କିଛି ଦିନ ମଧ୍ୟରେ ପାରଦ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। ତେଣୁ ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରେ ରାଜ୍ୟବାସୀଙ୍କୁ ଅଧିକ ଥଣ୍ଡାର ସାମ୍ନା କରିବାକୁ ପଡ଼ିପାରେ। ବର୍ତ୍ତମାନ ପାଇଁ ବାତ୍ୟା ନେଇ କୌଣସି ନିଶ୍ଚିତ ସତର୍କ ସୂଚନା ନଥିବା ବେଳେ ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ପାଣିପାଗ ବିଭାଗର ନଜର ରହିଛି।
