Sonu Sood visits Puri: ମହାପ୍ରଭୁଙ୍କ ଶରଣରେ ଅଭିନେତା ସୋନୁ ସୁଦ୍! ‘ଜୟ ଜଗନ୍ନାଥ’ କହି ମନେ ପକାଇଲେ କରୋନା ସମୟର କଥା…
ପୁରୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ମୁହଁରେ ପୁଣି ଶୁଭିଲା ‘ଜୟ ଜଗନ୍ନାଥ’ ଧ୍ୱନି। ରବିବାର ଶ୍ରୀକ୍ଷେତ୍ର ଧାମ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଅଭିନେତା। ନିଜର ଆଗାମୀ ଫିଲ୍ମ ‘ନନ୍ଦୀ’ର ସୁଟିଂ ଆରମ୍ଭ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ସେ ଶ୍ରୀମନ୍ଦିର ଆସିଥିବା କହିଛନ୍ତି।
ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ସୋନୁ ସୁଦ୍ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ସେବାୟତମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆଗାମୀ ଫିଲ୍ମ ‘ନନ୍ଦୀ’ରେ ସୋନୁ କେବଳ ଅଭିନେତା ଭାବେ ନୁହେଁ, ବରଂ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ଏହା ତାଙ୍କ ପାଇଁ ଏକ ବଡ଼ ପ୍ରୋଜେକ୍ଟ ହୋଇଥିବାରୁ କାମ ଆରମ୍ଭ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା ସେ ପ୍ରକାଶ କରିଛନ୍ତି।
ଏହି ଅବସରରେ ଓଡ଼ିଶା ସହ ଥିବା ତାଙ୍କର ଗଭୀର ସମ୍ପର୍କକୁ ମଧ୍ୟ ମନେ ପକାଇଥିଲେ ସୋନୁ। କରୋନା ମହାମାରୀ ସମୟରେ କେରଳରୁ କେନ୍ଦ୍ରାପଡ଼ାକୁ ପ୍ରାୟ ୧୭୦ ଜଣଙ୍କୁ ଫେରାଇ ଆଣିବାରେ ସେ ସହଯୋଗ କରିଥିଲେ। ସେହି ଘଟଣା ପରଠାରୁ ଭୁବନେଶ୍ୱର ସମେତ ସମଗ୍ର ଓଡ଼ିଶାବାସୀଙ୍କ ସହ ତାଙ୍କର ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ବୋଲି କହିଥିଲେ। ଓଡ଼ିଶାର ଲୋକମାନଙ୍କୁ ସେ ନିଜ ପରିବାରର ସଦସ୍ୟ ଭଳି ମନେ କରନ୍ତି ବୋଲି ମଧ୍ୟ ଭାବବିହ୍ୱଳ ହୋଇ କହିଥିଲେ।
କେବଳ ଫିଲ୍ମ ଓ ଆଧ୍ୟାତ୍ମିକତା ନୁହେଁ, ସାମାଜିକ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଥିଲେ ସୋନୁ। ବାଲ୍ୟବିବାହ ପ୍ରଥାକୁ ନେଇ ସେ କହିଥିଲେ ଯେ ଏହି କୁପ୍ରଥା ବହୁ ବର୍ଷ ପୂର୍ବରୁ ଶେଷ ହୋଇଯିବା କଥା। ଆଜିର ନୂଆ ପିଢ଼ି ଏହାକୁ ବନ୍ଦ କରିବା ଦିଗରେ ଆହୁରି ଅଧିକ ପ୍ରୟାସ କରିବା ଆବଶ୍ୟକ। ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଲ୍ୟବିବାହର ସମ୍ପୂର୍ଣ୍ଣ ଅବସାନ ଜରୁରୀ ବୋଲି ସେ ମତ ଦେଇଥିଲେ। ଏଥିପାଇଁ କେବଳ ସହରରେ ନୁହେଁ, ଛୋଟ ଛୋଟ ଗାଁ ଓ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ। ଶେଷରେ ସମସ୍ତଙ୍କୁ ‘ଜୟ ଜଗନ୍ନାଥ’ କହି ନିଜର ପ୍ରତିକ୍ରିୟା ଶେଷ କରିଥିଲେ ସୋନୁ ସୁଦ୍।
