Latest Odisha News

BREAKING NEWS

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣିଭିତରେ ବୁଡ଼ି ରହିଥିବା ଗର୍ଭଗୃହରୁ ଏହିଦିନ ଜଳ ନିଷ୍କାସନ କରାଯିବା ସହ ପଙ୍କୋଦ୍ଧାର କରାଯାଇଥାଏ । ଆସନ୍ତୁ ଜାଣିବା ପଙ୍କୋଦ୍ଧାର ଏକାଦଶୀ ଏହାର ନାମ କାହିଁକି ହେଲା ।

ତ୍ରେତୟା ଯୁଗରେ  ଶ୍ରୀ ରାମଚନ୍ଦ୍ର ଯେତେବେଳେ ଲଙ୍କା ଆକ୍ରମଣ କରିବା ପାଇଁ ସମୁଦ୍ର କୂଳରେ ପହଞ୍ଚିଲେ, ସେତେବେଳେ ତାଙ୍କୁ ସମୁଦ୍ର ପାରି ହେବା ପାଇଁ କୌଣସି ଉପାୟ ଦେଖାଯାଉ ନଥିଲା । ସେ ଲକ୍ଷ୍ମଣଙ୍କୁ ପଚାରିଲେ  କେଉଁ ଉପାୟରେ ଏହି ସମୁଦ୍ରକୁ ପାରି କରାଯାଇପାରିବ ? ଲକ୍ଷ୍ମଣ କହିଲେ : ହେ ପ୍ରଭୁ  ଏଠାରୁ ଅଧା ଯୋଜନ ଦୂରରେ କୁମାରୀ ଦ୍ଵୀପରେ ବକଦାଲଭ୍ୟ ମୁନି ରହୁଛନ୍ତି । ଆପଣ ସେହି ପ୍ରାଚୀନ ମୁନୀଶ୍ଵରଙ୍କ ପାଖକୁ ଯାଇ ଏହାର ଉପାୟ ପଚାରନ୍ତୁ । ମହାମୁନି ବକଦାଲଭ୍ୟଙ୍କ ଆଶ୍ରମରେ ପହଞ୍ଚି ଶ୍ରୀରାମ କହିଲେ ବ୍ରହ୍ମନ୍  ମୁଁ ଲଙ୍କା ଉପରେ ଆକ୍ରମଣ କରିବାକୁ ନିଜ ସେନା ସହିତ ଏଠାକୁ ଆସିଛି । ଏବେ କିପରି ସମୁଦ୍ର ପାରିହେବୁ, କୃପା କରି ଏହାର ଉପାୟ କହନ୍ତୁ ।

ମୁନି କହିଲେ ଫାଲଗୁନ କୃଷ୍ଣପକ୍ଷରେ ପଡୁଥିବା ଏକାଦଶୀରେ ଏହାର ବ୍ରତ କଲେ ଆପଣଙ୍କର ବିଜୟ ହେବ । ନିଶ୍ଚିତଭାବେ ଆପଣ ନିଜର ବାନର ସେନା ସହିତ ସମୁଦ୍ର ପାର କରି ପାରିବେ । ଦଶମୀ ଦିନ ସୁନା, ରୂପା, ତମ୍ବା ଅଥବା ମାଟିର ଗୋଟିଏ କଳସ ସ୍ଥାପନ କରି ତହିଁରେ ଜଳ ପୂର୍ଣ୍ଣ କରି କଅଁଳ ପତ୍ର ରଖନ୍ତୁ । ଏହା ଉପରେ ଭଗବାନ ନାରାୟଣଙ୍କ ସୁବର୍ଣ୍ଣମୟ ବିଗ୍ରହ ସ୍ଥାପନା କରନ୍ତୁ । ଏକାଦଶୀ ଦିନ ପ୍ରାତଃ ସମୟରେ ସ୍ନାନ ସାରି କଳସକୁ ପୁନଃ ସ୍ଥାପନ କରନ୍ତୁ ।  ଅଖଣ୍ଡ ବ୍ରତ ସିଦ୍ଧି ନିମନ୍ତେ ଘିଅର ଦୀପ ଜାଳନ୍ତୁ ।

ଦ୍ଵାଦଶୀ ଦିନ  ଏହି କଳସକୁ କୌଣସି ନଦୀ, ଝରଣା କିମ୍ବା ପୋଖରୀ ତଟରେ ସ୍ଥାପନ କରି ଏହାର ପୂଜନ କରନ୍ତୁ ଏବଂ ଦେବ-ପ୍ରତିମା ସହିତ ସେହି କଳସକୁ ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କରିଦିଅନ୍ତୁ ।  ଶ୍ରୀରାମ  ଆପଣ ନିଜ ସେନାପତିଙ୍କ ସହିତ ଏହି ବିଧିରେ “ବିଜୟା” ଏକାଦଶୀ ବ୍ରତ କରନ୍ତୁ । ଏହାଦ୍ୱାରା ଆପଣଙ୍କର ବିଜୟ ହେବ । ସେହି ବ୍ରତ କରିବାରୁ ଶ୍ରୀରାମଚନ୍ଦ୍ର ବିଜୟୀ ହେଲେ । ସେ ସଂଗ୍ରାମରେ ରାବଣକୁ ମାରିଲେ ଏବଂ ଲଙ୍କାକୁ ଜୟ କରି ମାତା ସୀତାଙ୍କୁ ଉଦ୍ଧାର କଲେ ।

ଶ୍ରୀ ଲୋକନାଥ ମହାପ୍ରଭୁଙ୍କ ଲିଙ୍ଗ ବର୍ଷସାରା ପାଣିରେ ବୁଡ଼ି ରହିଥାନ୍ତି। ଫୁଲ ବେଲପତ୍ର ଓ ପଙ୍କରେ ଶ୍ରୀଲିଙ୍ଗ ଭର୍ତ୍ତି ହୋଇ ରହିଥାଆନ୍ତି। ଏହିଦିନ ସକାଳୁ ମଙ୍ଗଳ ଆଳତି, ଅବକାଶ ନୀତି ଓ ଗୋପାଳବଲ୍ଲଭ ଭୋଗ ପରେ ସେବକମାନେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ କରନ୍ତି। ଦିନ ବ୍ୟାପୀ ଏହି କାର୍ଯ୍ୟ ଲାଗିରହେ। ଏହାପରେ ପ୍ରଭୁଙ୍କ ଶ୍ରୀଲିଙ୍ଗ ଦୃଶ୍ୟମାନ ହୁଅନ୍ତି। ପ୍ରଭୁ ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିରର ରତ୍ନଭଣ୍ଡାରର ରକ୍ଷକ।

Leave A Reply

Your email address will not be published.