Latest Odisha News

BREAKING NEWS

ଚିଲିକାରେ ସି-ପ୍ଲେନ୍ ଓହ୍ଲାଇବା ଘଟଣା: ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କିଛି ସୂଚନା ନାହିଁ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଚିଲିକା ହ୍ରଦରେ ଏକ ସି-ପ୍ଲେନ ଓହ୍ଲାଇଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଥିଲେ । ତେବେ ଏହି ସି-ପ୍ଲେନ ସମ୍ପର୍କରେ ସରକାରଙ୍କ ନିକଟରେ କିଛି ସୂଚନା ନଥିବା କଥା ଜଣା ପଡ଼ିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଚିଲିକା କୂଳରେ ଥିବା ଅରଖକୁଦା ଓ ସାନପାଟଣା ଗାଁ’ର ଗ୍ରାମବାସୀମାନେ ଶନିବାର ଦିନ ପ୍ରାୟ ସାଢେ ଗୋଟେ ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ଘର ବାହାରକୁ ଚାଲିଆସିଥିଲେ । ତେବେ ଚିଲିକା ହ୍ରଦରେ ଏକ ସି-ପ୍ଲେନ ଓହ୍ଲାଉଥିବାର ଗ୍ରାମବାସୀମାନେ ଦେଖିଥିଲେ । ତେବେ ଏହି ସି-ପ୍ଲେନଟି ପ୍ରାୟ ୧୫ ମିନିଟ ପାଣି ଉପରେ ଭାସମାନ ଅବସ୍ଥାରେ ରହି ପୁଣି ଉଡ଼ି ଚାଲିଯାଇଥିଲା ।

ଗ୍ରାମବାସୀଙ୍କ କହିବାନୁଯାୟୀ ଏହି ଘଟଣାଟି ଠିକ୍ ୧:୩୦ରେ ଘଟିଥିଲା ।

“ଆମେ ଚିଲିକା ହ୍ରଦରେ ପ୍ରଚଣ୍ଡ ଶବ୍ଦ କରି ଏକ ସି-ପ୍ଲେନ ଓହ୍ଲାଇଥିବାର ଦେଖିଲୁ, ତେବେ ଏହି ପଚଣ୍ଡ ଶବ୍ଦ ପ୍ରାୟ ୨ କିଲୋମିଟର ଦୂରତାକୁ ଶୁଭୁଥିଲା । ମାତ୍ର ଏହି ପ୍ଲେନଟି ମାତ୍ର ୧୫ ମିନିଟ ଧରି ପାଣିରେ ରହି ପୁଣି ଉଡ଼ି ଚାଲି ଯାଇଥିଲା,” ବୋଲି ଅରଖକୁଦର ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

ଏହାଛଡ଼ା, କିଛି ମତ୍ସ୍ୟଜୀବୀମାନେ କହିଛନ୍ତି ଏହି ସି-ପ୍ଲେନଟି ନଙ୍ଗନାଶୀ ମୁହାଣରେ କିଛି ସମୟ ମଧ୍ୟ ରହିଥିବାର ଆମେ ଦେଖିଛୁ ।

ଏହି ଘଟଣା ସମ୍ପର୍କରେ ପୋଲିସଙ୍କୁ ପଚାରିବାରୁ ସେମାନଙ୍କ ପାଖରେ ଏସମ୍ପର୍କରେ କିଛି ସୂଚନା ନାହିଁ ବୋଲି ସ୍ଥାନୀୟ ପୋଲିସ କହିଥିଲେ ।

ନା ସ୍ଥାନୀୟ ପୋଲିସ ନା ଜିଲ୍ଲା ପ୍ରଶାସନ କାହାରି ପାଖରେ ଏହି ସି-ପ୍ଲେନ ଓହ୍ଲାଇବା ଘଟଣା ସମ୍ପର୍କରେ ସୂଚନା ନାହିଁ । ବିନା ଅନୁମତିରେ ଏହି ସି-ପ୍ଲେନ କାହିଁକି ହ୍ରଦରେ ଓହ୍ଲାଇଥିଲା ତାହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଏଠାରେ ଏକ ୱାଟର୍ ଏରୋଡ୍ରମ୍ ପ୍ରକଳ୍ପ କରିବାକୁ ଯୋଜନା କରିଥିଲେ ତେବେ ଚିଲିକାର ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା କରି ଏବଂ ବିଦେଶାଗତ ପକ୍ଷୀଙ୍କର ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ୱାଟର୍ ଏରୋଡ୍ରମ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ପୂର୍ବରୁ ବାତିଲ କରିଦେଇଛନ୍ତି ।

Comments are closed.