Latest Odisha News

BREAKING NEWS

ଗାୟକ ସମ୍ରାଟ୍ ପ୍ରହଲ୍ଲାଦ ସାହୁ – ଯେଉଁଠି ହାର୍ ମାନିଛି ବୟସ

ଭୁବନେଶ୍ୱର: ବୟସ ୮୩ ଟପିଲାଣି, ହେଲେ ଦାନ୍ତ ପଡିନି, କି ମୁଣ୍ଡର କେଶ ପାଚିନି, ସତେ ଯେମିତି ବୟସ ତାଙ୍କର ପାଖମାଡୁନି । ପ୍ରକୃତରେ ବୟସ ତାଙ୍କ ପାଖକୁ ଯିବାକୁ ଚାହୁନି, କାହିଁକି ନା ସେ ପରା ମାତୃକୃପାରେ ବଳିୟାନ । ଦେବୀ ସରସ୍ୱତୀ ଓ ଗ୍ରାମଦେବତୀ ତାଙ୍କ ଉପରେ ଅଜାଡି ଦେଇଛନ୍ତି ଆଶୀର୍ବାଦ । ଯେଉଁ ବୟସରେ ଲୋକ ଅନ୍ୟର ସାହାରାରେ ବଞ୍ଚନ୍ତି ସେଇ ବୟସରେ ସେ ବର୍ଷକୁ ୨୦୦ରୁ ଅଧିକ ରାତି ପାଲା ମଞ୍ଚରେ ଅଭିନୟ କରୁଛନ୍ତି, ତା ପୁଣି ଯୁବସୁଲଭ ଠାଣିରେ । ଆଜି ମଧ୍ୟ ଗାୟକମାନେ ଭୟ କରନ୍ତି ତାଙ୍କ ସହ ବାଦୀପାଲା ଗାଇବାକୁ । ପାଲା ଜଗତରେ ଆଜି ଏମିତି କୌଣସି ଗାୟକ ନାହାଁନ୍ତି, ଯିଏ ଗାୟନରେ ତାଙ୍କୁ ଟପିଯିବ । ଗାଁ ଗାଁରେ ଗାୟକ ସମ୍ରାଟ୍ ଭାବେ ପରିଚିତ ଏହି ବର୍ଷୀୟାନ ଗାୟକ ହେଉଛନ୍ତି ପ୍ରହଲ୍ଲାଦ ସାହୁ ।

୧୯୩୫ ମସିହା ରାମ ନବମୀ । ଏହି ପବିତ୍ର ତିଥିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସାରୁଅ ଗାଁରେ ଜନ୍ମ ଗ୍ରହଣ କରିଥିଲେ ପ୍ରହଲ୍ଲାଦ ସାହୁ । ବାପା ଲୋକନାଥ ସାହୁ ଓ ମାଆ ଧୋବଲି ସାହୁଙ୍କ ଏଇ ପିଲାଟି ଦିନେ ଜଣେ ବିଶିଷ୍ଟ କଳାକାର ହେବ ତାହା ପିଲାଟି ଦିନରୁ ଜଣା ପଡ଼ିଥିଲା । ଜଣେ କଳାକାର ହେବାର ଲକ୍ଷ୍ୟ ନେଇ ସେ ପାଠପଢ଼ା ଆରମ୍ଭ କରିଥିଲ । ସେ ସମୟରେ ପାଠ ପଢ଼ିବା ପାଇଁ ବିଶେଷ ସୁଯୋଗ ନଥିଲା । ତଥାପି ପ୍ରତିଦିନ ୧୦ କିଲୋମିଟର ପାଦରେ ଚାଲି ଚାଲି ସେ ଖୋର୍ଦ୍ଧା ଟୋଲ୍କୁପ ଯାଉଥିଲେ ସଂସ୍କୃତ ପଢ଼ିବାକୁ । ସେଠାରେ ସେ ଦୁଇ ବର୍ଷ ମଧ୍ୟମା ପଢ଼ିଥିଲେ । ଶିକ୍ଷାଗତ ଯୋଗ୍ୟତା କହିଲେ ପ୍ରହଲ୍ଲାଦଙ୍କର ମାତ୍ର ଏତିକି । ତେବେ ସେ ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ତାଙ୍କ ଜ୍ଞାନକୁ ରୁଦ୍ଧିମନ୍ତ କରିଥିଲା ପାଠପଢ଼ିବାର ପ୍ରଚଣ୍ଡ ଆଗ୍ରହ । ଏପରି କି ସେ ଗୋଟିଏ ଗୋଟିଏ କାବ୍ୟ ସଂପୂର୍ଣ୍ଣ ମୁଖସ୍ତ କରିଦେଉଥିଲ । ଦିନରାତି ଏକ କରି କାବ୍ୟ କବିତା ଘୋଷିବାରେ ଲାଗୁଥିଲେ । ପ୍ରହଲ୍ଲାହ ନିଜେ କହନ୍ତି ସେ ଜଣେ ଘୋଷବନ୍ତ ବଳବନ୍ତ ଗାୟକ ।

ପ୍ରହଲ୍ଲାଦଙ୍କୁ ଯେତେବେଳେ ୧୬ରୁ ୧୭ ବର୍ଷ ବୟସ ହୋଇଥିଲା ସେ ଗାଁର ପାଲା ଗାୟକ ଆଚାର‌୍ୟ୍ୟ ଉଦୟନାଥ ଦାଶଙ୍କର ବାୟକ ନିଯୁକ୍ତ ହୋଇଥିଲେ । ସେ ସମୟରେ ଉଦୟନାଥ ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ଥିଲେ, କିନ୍ତୁ ଉଦୟନାଥଙ୍କର କଣ୍ଠ ସେତେଟା ସୁମଧୁର ନଥିଲା । ଦିନେ ଉଦୟନାଥ, ପ୍ରହଲ୍ଲାଦଙ୍କୁ ଡାକି କହିଲେ, “ମୋର ତ ଗାଇବା ସେତେ ଭଲ ହେଉନି, ତେଣୁ ମୁଁ ଭାବିଛି ଆଉ ପାଲା ଗାଇବିନାହିଁ, ତୁ ମୋ ଚାମର ନେ, ପାଲା ଗାଆ” ସେହି ସମୟରେ ପ୍ରହଲ୍ଲାଦଙ୍କ ଗାଇବା ଅତି ଉଚ୍ଚକୋଟିର ଥିଲା, କାବ୍ୟ କବିତା ପଢ଼ାପଢ଼ି କରିବାରେ ବି ଆଗ୍ରହ ରହିଥିଲା । ଉଦୟନାଥ ତାଙ୍କ ଚାମର, ଗିନିଠାରୁ ବହିପତ୍ର ପର‌୍ୟ୍ୟନ୍ତ ସବୁ ପ୍ରହଲ୍ଲାଦଙ୍କୁ ଦେଇଦେଲ । ପ୍ରହଲ୍ଲାଦ କହନ୍ତି, ସେ ପାଲା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିନଥିଲେ, ସବୁକିଛି ଉଦୟନାଥଙ୍କଠାରୁ ପାଇଥିଲା । ଯେତେବେଳେ ବୟସ ୨୦ ସେହି ସମୟରେ ସେ ବିଧିବଦ୍ଧ ଭାବେ ପାଲା ଗାଇବା ଆରମ୍ଭ କଲ । ସେ ସମୟର ବିଶିଷ୍ଟ ଗାୟକ ବିଶ୍ୱନାଥ ପଟ୍ଟଯୋଶୀ ଥିଲେ ପ୍ରହଲ୍ଲାଦଙ୍କ ପାଲା ଗୁରୁ । ବିଶ୍ୱନାଥ କହୁଥିଲେ, କେବେ ଶିଖିବା ଯଥେଷ୍ଟ ହୋଇଗଲା ବୋଲି ଭାବନାହି ।, ସବୁଦିନ କିଛିନା କିଛି ପଢ଼ାପଢ଼ି କର । ଯେବେ ତୁମେ ଶିଖିବା ବନ୍ଦ କରିଦେବ, ସେବେଠାରୁ ତୁମର ବିକାଶ ବନ୍ଦ ହୋଇଯିବ । ଏହାକୁ ଜୀବନର ମୂଳମନ୍ତ୍ର କଲେ ପ୍ରହଲ୍ଲାଦ । ଗୁରୁଙ୍କ ଉପଦେଶକୁ ମାନି ଆଜି ବି ସେ ପ୍ରତିଦିନ କିଛି ନା କିଛି ପଢ଼ାପଢ଼ି କରନ୍ତି ।

ପ୍ରହଲ୍ଲାଦ କହନ୍ତି ସଂସ୍କୃତ କାବ୍ୟ ଉପରେ ପାଲା ଗାଇବାକୁ ତାଙ୍କୁ ସବୁଠାରୁ ଅଧିକ ଭଲ ଲାଗ । ଯଦିଓ ସଂସ୍କୃତ ଗାଇବା, ତାର ଅନ୍ୱୟ ବ୍ୟାଖ୍ୟା କରିବା କଷ୍ଟକର ତଥାପି ସେ ଏହାକୁ ଅଧିକ ପସନ୍ଦ କରନ୍ତି । ସଂସ୍କୃତରେ ଆଗ୍ରହ ଦେଖି କେହି ଜଣେ ତାଙ୍କୁ ବାରାଣସୀ, ଚଉଖମ୍ୱାର ଏକ ବହି ଦୋକାନର ପୁସ୍ତକ ତାଲିକାଟିଏ ଦେଇଥିଲେ ।

ସେଠାରୁ ପ୍ରହଲ୍ଲାଦ ବହୁ ଦୁଷ୍ପ୍ରାପ୍ୟ ବହି ମଗାଇବାରେ ଲାଗିଲ। । ସଂସ୍କୃତ ସହ ଏକାଧାରରେ ସେ ବଙ୍ଗଳା, ହିନ୍ଦି ବି ଶିଖିଲେ । ପ୍ରଦଲ୍ଲାଦ ପାଲାରେ ଓଡ଼ିଆ, ସଂସ୍କୃତ ସହ ହିନ୍ଦି ଓ ବଙ୍ଗଳା କାବ୍ୟ କବିତା ପରିବେଷଣ କରିପାରନ୍ତି । ଏହି ଦକ୍ଷତା ବହୁ କମ୍‍ ଗାୟକଙ୍କଠାରେ ଦେଖିବାକୁ ମିଳେ ।

ପ୍ରହଲ୍ଲାଦ କାଳିଦାସଙ୍କର ପ୍ରାୟ ସମସ୍ତ କାବ୍ୟ ପଢ଼ିଛନ୍ତି । ସେଥିମଧ୍ୟରୁ ରଘୁବଂଶ, କୁମାର ସମ୍ଭବମ୍‍, ଅଭିଜ୍ଞାନ ଶାକୁନ୍ତଳମ୍‍ ଆଦି ତାଙ୍କର ପୁରା ମୁଖସ୍ତ । କାଳିଦାସଙ୍କ ବ୍ୟତୀତ ମାଘ, ଶ୍ରୀହର୍ଷ, ଭାରବୀ, ତୁଳସୀଦାସ, ଧୃବ, ଅନନ୍ତ ଭଟ୍ଟ, ବିଶ୍ୱନାଥ ବର୍ମା, ଶେଷକୃଷ୍ଣ, କୁମାର ଦାଶ, ଦୁର୍ଗାପ୍ରସନ୍ନ ଦ୍ୱିବେଦୀ ପ୍ରମୁଖ ସଂସ୍କୃତ ଓ ହିନ୍ଦି କବିଙ୍କ କାବ୍ୟରୁ ପାଲାରେ ଗାଇଥାନ୍ତି । ବ୍ୟାସ ଦେବଙ୍କ ମହାଭାରତ ଓ ଅଷ୍ଟାଦଶ ପୁରାଣ ସହ ବାଲ୍ମିକୀଙ୍କ ରାମାୟଣ, ଚରକ ସଂହିତା, ଅଭିନବ ଚିନ୍ତାମଣି

ଆଦିରୁ ଗାଇବାରେ ବେଶ୍‍ ସିଦ୍ଧହସ୍ତ ପ୍ରହଲ୍ଲାଦ ସାହୁ । ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଯଦୁମଣି, ଗଙ୍ଗାଧର, ରାଧାନାଥଙ୍କଠାରୁ ପଞ୍ଚସଖାଯୁଗୀୟ ସାହିତ୍ୟରେ ବି ଦଖଲ ରହିଛି ପ୍ରହଲ୍ଲାଙ୍କର ।
କୌଣସି ଶ୍ଳୋକ, ପଦ୍ୟ ଦ୍ୱିତୀୟ ଥର ବ୍ୟବହାର ନକରି ୫୦ ରାତିରୁ ଅଧିକ ପାଲା ଗାଇ ପାରିବେ ବୋଲି କହନ୍ତି ପ୍ରହଲ୍ଲାଦ । ବିଶେଷ କରି ସେ ରଘୁବଂଶ, ଶିଶୁପାଳ ବଧ, ପ୍ରଚଣ୍ଡ ପାଣ୍ଡବ, ରୁକ୍ମିଣୀ ପରିଣୟ, ନୈଷଧ ଚରିତ, ଭାରବୀ ଆଦି ବିଷୟ ପରିବେଷଣ କରିବାକୁ ପସନ୍ଦ କରନ୍ତି । ଆମ ରାଜ୍ୟରେ ଏପରି କୌଣସି ପ୍ରତିଷ୍ଠିତ ପାଲା ମଞ୍ଚ ନାହିଁ ଯେଉଁଠି ପ୍ରହଲ୍ଲାଦ ପାଲା ପରିବେଷଣ କରିନାହାଁନ୍ତି । ଉଚ୍ଚକୋଟୀର ପାଲା ପରିବେଷଣ ପାଇଁ ବହୁ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ । ସେ ଗାୟକ ସମ୍ରାଟ୍‍ ଭାବେ ପାଲା ଜଗତରେ ପରିଚିତ ।

ସାମାଜିକ ଜୀବନରେ ପ୍ରହଲ୍ଲାଦ ସାହୁ ଯେତିକି ସରଳ, ସେତିକି ସ୍ୱାଭିମାନୀ । ଆଜି ପର‌୍ୟ୍ୟନ୍ତ ସେ କଳାକାର ଭତା ପାଇଁ ଆବେଦନ କରିନାହାଁନ୍ତି ।

ତାଙ୍କୁ ପଚାରିଲେ କହନ୍ତି, ପ୍ରକୃତ କଳାକାର କାହା ପାଖରେ ହାତ ପତାଏନି । ଅନ୍ୟ କୌଣସି ରାଜ୍ୟର ହୋଇଥିଲେ ତାଙ୍କୁ ପଦ୍ମ ଭୂଷଣ, ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇ ସ ।ରନ୍ତାଣି, ହେଲେ ତାଙ୍କୁ ପଦ୍ମ ଦୂରେ ଥାଉ, ରାଜ୍ୟ ସରକାର ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରଟିଏ ଦେଇପାରିଲେନି ।

ପୁରସ୍କାର ବାବଦରେ ତାଙ୍କର ଉତ୍ତର – ମୋ ଦର୍ଶକଙ୍କ କରତାଳି ମୋ ପାଇଁ ପୁରସ୍କାର, ପୁରସ୍କାର ପାଇଁ କାହା ପାଖରେ ହାତ ପତାଇବି ନାହିଁ ।

Comments are closed.