ନୂଆଦିଲ୍ଲୀ:ମହାମାରୀ କରୋନା ଭାଇରସ ଯୋଗୁଁ ବିଭିନ୍ନ ଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟ ଆଜିଠାରୁ ଘରକୁ ଫେରିବେ । ହଜାର ହଜାର ସଂଖ୍ୟକ ଏହି ପ୍ରବାସୀ ଭାରତୀୟମାନେ ବିମାନ ଓ ପାଣି ଜାହାଜ ଯୋଗେ ଫେରିବେ ବୋଲି ଜଣାପଡିଛି ।
ଜାତୀୟ ଗଣମାଧ୍ୟମର ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି ଯେ, ‘ବନ୍ଦେ ଭାରତ ମିଶନ’ ନାମରେ ଏହି ଅଭିଯାନକୁ ସଫଳ କରାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ଏମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବନ୍ଦର ଓ ବିମାନ ବନ୍ଦର ଗୁଡିକରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।
ଏହି ମିଶନରେ ସମସ୍ତ ବାହାର ଦେଶରେ ଫସି ଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ଅଣାଯିବ । ଏୟାର ଇଣ୍ଡିଆ ୧୨ଟି ଦେଶରୁ ପାଖାପାଖି ୧୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ୬୪ଟି ଉଡାଣ ପରିଚାଳନା କରିବ । ଏହା ପରେ ଭାରତୀୟ ଏୟାରଲାଇନ ମଧ୍ୟ ଭାରତୀୟଙ୍କୁ ଆଣିବାରେ ନିୟୋଜିତ ହୋଇପାରେ ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୨୦୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆବୁଧାବିରୁ ଭାରତ ଆସିବ ।
Comments are closed.