ଭୁବନେଶ୍ୱର: ବିଳମ୍ୱ ହେଲେ ବି ଶେଷରେ ସରକାର ଶୁଣିଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଦାବି । ବଢ଼ିଲା ବିଦ୍ୟାଳୟମାନଙ୍କର ମଧ୍ୟାହ୍ନ ଭୋଜନ ଦର । ଦିନକୁ ଦିନ ବୃଦ୍ଧି ପାଉଥିବା ବଜାର ଦରକୁ ଦୃଷ୍ଟିରେ ରଖି ମାଧ୍ୟାହ୍ନଭୋଜନ ପାଇଁ ପ୍ରତି ମିଲ୍ ପିଛା ଦିଆଯାଉଥିବା ଅର୍ଥ ରାଶିକୁ ମଧ୍ୟ ବଢ଼ାଯାଇଛି । ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ୪ ଟଙ୍କା ୯୩ ପଇସା ଦିଆଯାଉଥିବା ବେଳେ ଏବେ ତାହାକୁ ୫ ଟଙ୍କା ୪୨ ପଇସା କରାଯାଇଛି । ସେହିପରି ଆଗରୁ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମିଲ୍ ପିଛା ୭ ଟଙ୍କା ୩୬ ପଇସା ଦିଆଉଥିଲା । ବର୍ତ୍ତମାନ ତାକୁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରାଯାଇଛି ବୋଲି ସୂଚନା ହେଇଛନ୍ତି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ । ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭରୁ ତଥା ଗତ ଏପ୍ରିଲ ୧ରୁ ବର୍ଦ୍ଧିତ ଦର ପିଛିଲା ଭାବେ ପ୍ରଦାନ କରାଯିବ ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଙ୍ଗାଧର । ତାସହ ଦରବୃଦ୍ଧି କରାଯାଇଥିବାରୁ ଖାଦ୍ୟର ମାନବୃଦ୍ଧି କରିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ ।
ବଜାରରେ ପନିପରିବା, ଜାଳେଣୀ ସାଙ୍ଗକୁ ରାସନ ଦର ଓ ବିଶେଷ ଭାବେ ଅଣ୍ଡା ଦରକୁ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଥିଲା । କେବଳ ଅଣ୍ଡା ଦର ୫ଟଙ୍କା ରହିଥିବାବେଳେ ୪ ଟଙ୍କା ୯୩ ପଇସାରେ ଜଣେ ପିଲାକୁ କିଭଳି ଉତ୍ତମ ମାନର ଖାଦ୍ୟ ଯୋଗାଇ ହେବ ସେନେଇ ବାରମ୍ୱାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ ମଧ୍ୟ କରାଯାଇଥିଲା । ସେହିଭଳି ଆମିଷ ବାର ବାଦ୍ ଅନ୍ୟ ଦିନରେ ମଧ୍ୟ ପିଲାମାନଙ୍କୁ ଏତିକି ଟଙ୍କାରେ ରାସନ ସାଙ୍ଗକୁ ପନିପରିବା, ଡାଲି ବା ସୋୟାବିନ ତରକାରୀ ପ୍ରଦାନ କରିବା ମଧ୍ୟ ଏକ ପ୍ରକାରର ଅସମ୍ଭବ ଥିଲା । ତେବେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କହିବା ମୁତାବକ ବର୍ତ୍ତମାନ ମଧ୍ୟାହ୍ନ ଭୋଜନର ମିଲ୍ ପିଛା ଦରବୃଦ୍ଧି ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଆବଶ୍ୟକତା ପୂରଣ କରିନପାରିଲେ ବି କିଛିଟା ଆଶ୍ୱସ୍ତି ଦେଇଛି ନିଶ୍ଚୟ ।
Comments are closed.