Latest Odisha News

ଚିନ୍ତା ମୁକ୍ତ ହେଲେ ପ୍ରବାସୀ: କଥା ରଖି ନିଜ ଅଞ୍ଚଳରେ କାମ ଯୋଗାଇ ଦେଲେ ସରକାର

ଯାଜପୁର: କଥା ରଖିଲେ ରାଜ୍ୟ ସରକାର । କାମଧନ୍ଦା ହରାଇ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଅଂଚଳରେ ଯୋଗାଇ ଦେଲେ କାମ । ସାରା ଦେଶରେ ଲକଡାଉନ୍ ହେବା ପରେ ଜୀବିକା ହରାଇ ନିଜ ଘରକୁ ଫେରି ଆସିଥିଲେ ପ୍ରବାସୀ ଶ୍ରମିକ। ଏହାପରେ ସେମାନଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର ଚିନ୍ତା ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତଣ୍ଡା ପଂଚାୟତ ଅଂଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏହି ଅଂଚଳର ବହୁ ଲୋକ ବାହାର ରାଜ୍ୟରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ ଦେଶରେ ଲକଡାଉନ୍ ହେବା ଫଳରେ ସେଠାରୁ ଜୀବିକା ହରାଇ ନିଜ ଭିଟାମାଟିକୁ ଫେରି ଆସିଲେ । କାମଧନ୍ଦା ନଥିବାରୁ ଖାଇବେ କଣ ଚଳିବେ କିପରି, ଏହି ପ୍ରଶ୍ନ ସେମାନଙ୍କୁ ଆନ୍ଦୋଳିତ କରୁଥିଲା । ଏମିତିକି ଅଭାବ ଅନଟନ ଯୋଗୁଁ ଅନେକଙ୍କ ଘରେ ଚୁଲି ଜଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ରୋଜଗାର ନଥିବାରୁ ପରିବାର ଚଳାଇବା ଏମାନଙ୍କ ପାଇଁ କଷ୍ଟକର ହୋଇପଡିଲା । ତେଣୁ କିଛି ଉପାୟ ନପାଇ ଶେଷରେ ସ୍ଥାନୀୟ ସରପଂଚଙ୍କୁ ନିଜ ଗୁହାରୀ ଜଣାଇଲେ ଏହି ଶ୍ରମିକ। କାମ ଦେବାକୁ ସରପଂଚଙ୍କୁ ଅନୁରୋଧ କଲେ । ପରେ ସରପଂଚ ସୁକିନ୍ଦା ବିଡିଓ ଓ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଜଣାଇବାରୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ତମାନ ଏହି ବର୍ତଣ୍ଡା ପଂଚାୟତରେ ମନରେଗା ଯୋଜନାରେ ଚାଲିଥିବା ରାସ୍ତା ନିର୍ମାଣ ଓ ପୋଖରୀ ପୁନରୁଦ୍ଧାର ଆଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି ୨ ଶହରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ ।

Comments are closed.