Latest Odisha News

BREAKING NEWS

ବାତ୍ୟା ତିତିଲି ପରେ: ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଭୟଙ୍କର ତିତଲି ବାତ୍ୟା ପ୍ରଭାବରେ ୱାଲଟିୟର ଡ଼ିଭିଜନର ନୂଆପଡ଼ା-ଗୁଣୁପୁର ରେଲୱେ ସେକ୍ସନ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଲୱେ ସୂତ୍ରରୁ ଜଣାପଡ଼ିଛି । ବାତ୍ୟାରେ ପ୍ରକାଣ୍ଡ ଗଛ ରେଲୱେ ଟ୍ରାକ ଉପରେ ପଡ଼ିଥିଲା ଏବଂ ବାତ୍ୟା ପରେ ହୋଇଥିବା ପ୍ରବଳ ବର୍ଷା ପରର ବନ୍ୟାରେ ଏହି ସେକ୍ସନର ବିଭିନ୍ନ ରେଲୱେ ସମ୍ପତ୍ତି ନଷ୍ଟ ହୋଇ ଯାଇଛି ।

ବନ୍ୟାରେ ଏହି ସେକ୍ସନର ପ୍ରାୟ ଅଧ କିଲୋମିଟର ରେଲୱେ ଟ୍ରାକ୍ ଧୋଇଯାଇଛି । ଏହି ସେକ୍ସନର ପାରଳାଖେମୁଣ୍ଡି, ପଠାପଟ୍ଟନମ, ନୂଆପଡ଼ା ରେଲୱେ ଷ୍ଟେସନ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି, ଏବଂ ଏଥିସହିତ ବିଭିନ୍ନ ଷ୍ଟେସନର ଆସବାବପତ୍ର ସହିତ ରେଲୱେ ଟ୍ରାକରେ ଥିବା ସିଗନାଲ ଖୁଣ୍ଟ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

ବାତ୍ୟା, ବର୍ଷା ଓ ବନ୍ୟା ପ୍ରଭାବିତ କ୍ଷତିଗ୍ରସ୍ତ ଟ୍ରାକ ଏବଂ ବିଭିନ୍ନ ଷ୍ଟେସନରେ ୩୦୦ ରେଲୱେ ୱାର୍କ ଫୋର୍ସଙ୍କୁ ନେଇ ଏକ ଦଳ ଏହି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।

ଏହି ଦଳରେ ଥିବା ରେଳବାଇର ଟ୍ରାକ୍ ବିଶେଷଜ୍ଞ, ବ୍ରିଜ୍ ଇଞ୍ଜିନିୟର, ସିଗନାଲ ତଥା ଟେଲିକମ ଇଞ୍ଜିନିୟରମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି ।

ଏପର୍ଯ୍ୟନ୍ତ ଏହି ଦଳ ୩୦୦ ମିଟର ବ୍ୟାପୀ ରେଲୱେ ଟ୍ରାକର ପୁନରୁଦ୍ଧାର କାର୍ଯ୍ୟ କରିସାରିଛନ୍ତି ଏବଂ ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଲୱେ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.