Latest Odisha News

ମଣିଷର ମନ ଆଉ ଜୀବନ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଆମେ ସମସ୍ତେ ବଞ୍ଚୁଥିବା ଜୀବନର ଗୋଟିଏ ବେଶ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଏ ଲେଖା । ବିଶେଷକରି କରୋନା ସମୟରେ ଯେତେବେଳେ ଆମେ ସଭିଏଁ ଆମ ପରିବାର, ଆମ ପରିବାର ବୋଲି ହୁରି ପକେଇଲେ, ସେହି ସମୟରେ ଏ କଥା ବିଶେଷ ଭାବେ ଆନ୍ଦୋଳିତ କରିଛି । ବିଶ୍ୱ ଗୋଟାଏ ପରିବାର ବୋଲି ଆମେ କହୁ । କିନ୍ତୁ ତା’ଠାରୁ ଭିନ୍ନ କେମିତି ଜୀବନ ଆମେ ଜୀଉଁ ସତରେ?

ଦେଖୁ ନାହାନ୍ତି- କେତେ ଅଲଗା ଜୀବନ ଆମେ ବଞ୍ଚନ୍ତି । ଆମେ ସକାଳେ ଆମ ଆମ ଘର ଲନରେ ପଡ଼ିଥିବା ଚେୟାରରେ ବସି ଖବରକାଗଜ ପଢୁ । ସେଥିରେ ଔରଙ୍ଗାବାଦ ଘଟଣା ଆମକୁ ହୁଏତ ବ୍ୟଥିତ କରେ । ଆମେ ଦେଖୁ- ହଜାର ହଜାର କିଲୋମିଟର ଚାଲି ନିଜ ଗାଁରେ ପହଞ୍ଚିବାକୁ ସ୍ୱପ୍ନ ଦେଖିଥିବା ଅଲୋଡ଼ା ଦାଦନ ମଣିଷଙ୍କ ଉପରେ ଟ୍ରେନ ଚଢି ଚାଲିଗଲା । ଆମେ ସେଇ ଖବରକାଗଜରେ ଏ ସଂପର୍କତ କାର୍ଟୁନ ବି ଦେଖୁ ।

ଯେଉଁଥିରେ- କେତୁଟା ରକ୍ତବୋଳା ରୁଟି ଟ୍ରେନ ଲାଇନରେ ପଡ଼ିଥିବା ସାମ୍ନାକୁ ଆସେ । ଆମେ ଆମ ପତ୍ନୀଙ୍କୁ ଡାକି କହୁ- ହାଏ! କି ଦୁଃଖଦ ଘଟଣା କହିଲ? ଲୋକ ପୁଲିସ ଭୟରେ ଟ୍ରେନ ଲାଇନରେ ଲୁଚି ଶୋଇଲା ଆଉ ଟ୍ରେନ ତାକୁ ହିଁ ଦଳି ମକଚି ମାରି ଦେଇ ଚାଲିଗଲା । ଏ ରକ୍ତବୋଳା ରୁଟି ଫଟୋ ଦେଖୁଛ ଟି? କି ବୀଭତ୍ସ ହୋଇଛି? ମନ ହୁଏତ ଟିକିଏ କଷ୍ଟ ହୁଏ । ପୁଣି ଆମେ କହୁ- ଲକ୍ଷ ଲକ୍ଷ ଲୋକ ବିନା ଖାଇବାରେ, ବିନା ପାଣିରେ ଚାଲିଛନ୍ତି । ଖାଲି ଜନ୍ମମାଟି ଛୁଇଁବେ ବୋଲି । ସ୍ୱାଧୀନତା ପରେ ଏମିତି ଅବସ୍ଥା କେବେ ଦେଖା ଦେଇନଥିଲା ।

ତାର ଅଧ ଘଣ୍ଟାଏ ପରେ ଆମେ ପୁଣି ପତ୍ନୀଙ୍କୁ ଡାକୁ । କହୁ- ଆଇଁଷ ବ୍ୟାଗଟା ଆଣିଲ । ସେ ଘରୁ ଆଇଁଷ ବ୍ୟାଗ କାଢି ଆଣି ଦିଅନ୍ତି । ଆମେ ମେହେରବାନ ମିଆଁ ଦୋକାନକୁ ଯାଇ ତା’ କଟା ଛେଳି ଭିତରେ ହାତ ପୁରେଇ ଭଲ ଖାସି ମାଂସ ବାଛିକି ଆଣୁ ।
ଇଏ ସେଇ ଲୋକ- ଯିଏ ଅଧ ଘଣ୍ଟାଏ ତଳେ ରକ୍ତବୋଳା ରୁଟିକୁ ନେଇ ଦୁଃଖ କରୁଥିଲା ।

କୁନ୍ଦୁଲି କି ପିପିଲି ଗଣଧର୍ଷଣ ମାମଲା ଆମେ ଦିନେ ଖବରକାଗଜରେ ପଢୁ । କୁନ୍ଦୁଲିରେ ନବମ ଶ୍ରେଣୀ ଝିଅଟାକୁ ଯବାନମାନେ ଗଣ ବଳାତ୍କାର କରିବା କଥା ସାମ୍ନାକୁ ଆସିଥିଲା । ବାରବାର ସେ ଏ ନେଇ ଲଢିଛି ଓ ବଳାତ୍କାର କଥା କହିଛି । ଆମ ବ୍ୟବସ୍ଥା ଆଦୌ ତାକୁ ବିଶ୍ୱାସ କରିନି । ଶେଷକୁ ସେ ଆତ୍ମହତ୍ୟା କରି ନେଇଛି । ଆତ୍ମହତ୍ୟାର ରାସ୍ତା ବାଛି ନେଇଛି । ଆମେ ଏ କଥା ଖବରକାଗଜରେ ପଢୁ । ଟିଭିରେ ଦେଖୁ । ପୁଣି ପତ୍ନୀଙ୍କୁ କହୁ- ଆହା, କି କଷ୍ଟ କି ଯନ୍ତ୍ରଣା ସେ ୧୪ ବର୍ଷର ଝିଅ ନ ସହିଥିବ ।

କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଯଦି କେବେ ମଉକା ପାଉ, ଆମ ପତ୍ନୀଙ୍କ ଅନୁପସ୍ଥିତିରେ ସେଇ ଏକା ଘରେ ଅନ୍ୟ ଝିଅ ସହ ସଂପର୍କ ରଖିବାକୁ ଆମେ ଆଦୌ କୁଣ୍ଠାବୋଧ କରୁନା । ଆମେ ତାହା ଗୋପନୀୟ ଭାବେ ଚଳେଇ ନେଉ ।

ଆମେ ମୋଟ ଉପରେ ଗୋଟେ ଧୋବ ଧଉଳିଆ ପାଚେରି ଭିତରେ ବଞ୍ଚୁ । ଯେଉଁଠି ମୁଁ, ମୋ ପତ୍ନୀ, ପିଲା ଛୁଆ ଓ ଯଦି ଖୁବ ଅଧିକ ହେଲା- ତେବେ ବାପା, ମାଆ । ଆମ ପାଚେରି ଭିତରେ ଆମ ସଜନା ଗଛ । ଆମର ଭଳିକି ଭଳି ଫୁଲ ଗଛ । ସବୁଜିଆ ଲେନ୍‍ । କୋଉ ମେଳାରୁ କିଣା ହୋଇଥିବା ବେତ ଚେୟାର ଆଦି ଆଣି ଭଲ କପ ଧରି ଆମେ ଚାହା ପିଉ । ସେଇ ଘରେ ରହି ଆମେ କହୁ ବିରାଟ କୋହଲି କେଡ଼େ ସୁନ୍ଦର ଖେଳୁଛି ।

ଅଧିକ ପଢନ୍ତୁ: ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ସବୁ ରେକର୍ଡ଼ ସେ ଭାଙ୍ଗିଦେବ । ଆମେ କୋହଲିକୁ ଦେଖୁ, ଦୀପିକା ପାଦୁକୋନଙ୍କୁ ଦେଖୁ ସିନେମାରେ, ଶ୍ରେୟା ଘୋଷାଲ ଗୀତ ଶୁଣୁ, ଅରିଜିତ ସିଂଙ୍କୁ ଗୁଣୁଗୁଣାଉ । କିନ୍ତୁ ସେଇ ପାଚେରି ଭିତରେ ।

ପାଚେରି ବାହାରକୁ ଆମେ କେବେ ଯାଉନା । ସେଠାକାର ଘଟଣା ଦେଖୁନା କି ସେଥିରେ ଟିକିଏ ବି ଭାଗୀଦାର ହେବା ପାଇଁ ଚେଷ୍ଟା କରୁନା । ନିଜକୁ ନିରାପଦ ଦୂରତାରେ ଆମେ ରଖୁ । ପଡ଼ିଶା ଘରର ସାମଲ ବାବୁଙ୍କ ସ୍ତ୍ରୀ ଯଦି ରାତିରେ ପେଟ ଯନ୍ତ୍ରଣାରେ ଡାକ୍ତରଖାନା ଗଲେ, ଆମେ ଜାଣି ନ ଜାଣିବାର ଅଭିନୟ କରୁ । ପାଚେରି ବାହାରେ ଥିବା କୃଷ୍ଣଚୂଡ଼ା ଗଛରେ ପୁଲ ଫୁଟିଲେ କି କିଏ ସୁନ୍ଦର ଫୁଲ ଭର୍ତ୍ତି ଡାଳ ଖଣ୍ଡେ କିଏ ଭାଙ୍ଗି ନେଇଗଲେ, ଆମେ କିଛି କହୁନା । କାରଣ- ତାହା ଆମେ ପାଚେରି ବାହାରେ ।

ଆମେ, ଆମ ପରିବାରକୁ ନେଇ ଆମ ପାଚେରି । ବାହାର ଦୁନିଆ ଆମ ପାଇଁ ଏତେଟା କିଛି ଫରକ୍‍ ଆଣେନି । ଆମ ଘର ଠିକ ତ ଆମେ ଠିକ । ଆମ ମଣିଷ ଫିଟ ତ ଆମ ଦୁନିଆ ଫିଟ ।

କେବେ ଆମେ ସେ ପାଚେରି ଭାଙ୍ଗୁନା । ପାଚେରି ବାହାରକୁ ଆସୁନା । ସେଇ ପାଚେରି ଭିତରେ ଆରାମରେ, ବିନା ଦ୍ୱନ୍ଦ୍ୱରେ ଆମେ ରହୁ । ସ୍ୱାର୍ଥପର ଜୀବନ ବଞ୍ଚୁ । ବେଶ ସ୍ୱାର୍ଥପର ଜୀବନ ।

ଥରେ ଯଦି ଆମେ ସେଇ ପାଚେରି ବାହାରକୁ ଆସିଯିବା, ତେଣିକି ଦୁନିଆ ଆମକୁ ସତରେ ରଂଗୀନ ଓ ସୁନ୍ଦର ଲାଗିବ । ଅଚ୍ୟୁତାନନ୍ଦ ପତିଙ୍କ ‘ଅଶୁଭ ପୁତ୍ରର କାହାଣୀ’ରେ ପେଚା ଛୁଆ ନୂଆ ନୂଆ କରି ପୃଥିବୀ ଦେଖିଲା ପରି । ଆମକୁ କୃଷ୍ଣଚୂଡ଼ା ରଂଗ ତେଣିକି ଦାଉ ଦାଉ ଦିଶିବ । ଆମକୁ ସାମଲ ବାବୁଙ୍କ ପତ୍ନୀଙ୍କ ଯନ୍ତ୍ରଣା ବି ମାଲୁମ ହେବ ଓ ରାତି ଅଧରେ ବି ଆମେ ତାଙ୍କ ପଛେ ପଛେ ଯାଇ ଡାକ୍ତରଖାନାରେ ପହଞ୍ଚିବା । ଦୁନିଆ ନୂଆ ଓ ଭାରି ଚମତ୍କାର ଦିଶିବ ।

କିନ୍ତୁ ସେଇ ପାଚେରି ବାହାରକୁ ଆସିବାର କ୍ଷମତା ରଖିଲେ ତ !

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.