Latest Odisha News

BREAKING NEWS

ଆମେ ପୁଣି ହସିବା !!

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଏବେ ଯେଉଁଆଡ଼େ ଟିକେ ଆଖି ବୁଲେଇଲେ କେବଳ କରୋନାର ଚିତ୍ର । ସବୁ ଠିକ୍ ଠାକ୍ ଥିଲା । ହଠାତ ଆସି ମୃତ୍ୟୁର ମାୟାଜାଲ ରଚି ସମସ୍ତଙ୍କ ମନରେ ଏକ ଅଭୁତପୂର୍ବ ଭୟ ସଂଚାର କରିଛି କରୋନା । କିଛି ମାସ ପୂର୍ବକୁ ଲକ୍ଷ୍ୟ କଲେ ଦୁନିଆ ଏକରକମର ବ୍ୟବସ୍ଥିତ ଢ଼ଙ୍ଗରେ ଚାଲୁଥିଲା । ଚାଷୀ ଚାଷ ଜମିରେ ସୁନା ଫଳେଇବା ଆଶାରେ ମାତିଥିଲା । ଅନେକ ଛାତ୍ରଛାତ୍ରୀ ନିଜ ଫାଇନାଲ ସେମିଷ୍ଟାର ଦେଇ ସ୍ନାତକର ଶେଷ ମୁହୂର୍ତ୍ତକୁ ବେଶ ଖୁସିରେ ମନେଇବାକୁ ଭାବିଥିଲେ । କିନ୍ତୁ ସବୁ କିଛି ଆଶାରେ ମଉଳିଗଲା । କରୋନାର କାୟାରେ ସବୁ କବଳିତ ହୋଇଗଲେ । କିଛି ସମୟ ମଧ୍ୟରେ ସାରା ଭାରତରେ ବି ନିଜ ପରାକାଷ୍ଠା ଦେଖେଇଦେଲା ଏ ମହାମାରୀ ।

ସୁତରାଂ ଦେଶବାସୀଙ୍କୁ ଏପରି ଏକ ବଡ଼ ବିପତ୍ତିରୁ ରକ୍ଷା କରିବା ପାଇଁ ସରକାର ଲକଡ଼ାଉନ ଘୋଷଣା କଲେ । ସମ୍ପୂର୍ଣ୍ଣ ଦେଶ ଏକ ତାଲାବନ୍ଦ ଅବସ୍ଥାରେ ଏବେ ବି ଅଛି । ଲୋକେ ଘରେ ଦିନ କାଟିବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ସରକାରଙ୍କ ଗାଇଡ଼ଲାଇନକୁ ପାଳନ କରିବାଟା ଥୟ । ଏହି ସମୟରେ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ ଓ ଅନୁକରଣକୁ ଗୁରୁତ୍ୱ ଦେବା ଆବଶ୍ୟକ । କାରଣ ଏ ମହାମାରୀ କେତେ ଦିନର ଅବଧି ତାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ଅନ୍ୟ ପକ୍ଷରେ ଏହା ଯେଉଁପରି ଭାବେ ତାଣ୍ଡବ ରଚି ଚାଲିଛି ,ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସେ ଯାହା ହେଉ ନା କାହିଁକି ଆମେ ଯଦି ଚାଷୀକୁଳ କଥା ଚିନ୍ତା କରିବା, କରୋନା ଏ କ୍ଷେତ୍ରରେ ବି ବିଶେଷ ପ୍ରଭାବିତ କରିଛି ।

ଶେଷ ବର୍ଷର ସ୍ନାତକ ସମୟରେ କୃଷି ଭିତ୍ତିକ ଗ୍ରାମାଂଚଳ ଅଭିଜ୍ଞତା କାର୍ଯ୍ୟକ୍ରମରେ ମୁଁ ବି ଗତ ତିନି ମାସ ହେବ ସବୁଦିନ ଚାଷ କ୍ଷେତକୁ ଯାଇ ଚାଷୀମାନଙ୍କ ସହ ଅନେକ ସମୟ ବିତେଇଛି । ଗଜପତି ଜିଲ୍ଲାରେ ଏବେ ଆର.ଏନ.ଆର ଧାନର ବେଶ ଚାହିଦା । ଆମ ଉତ୍ତର ଓଡ଼ିଶାର କିଛି ଚାଷୀମାନେ ସିନା କେବଳ ଖରିଫ ଋତୁରେ ଧାନ ଚାଷ କରନ୍ତି , କିନ୍ତୁ ଏ ଆର.ଏନ.ଆର କିସମ ଉଭୟ ଖରିଫ ଓ ରବିରେ ଚାଷ ହୋଇପାରୁଥିବା କିସମ । ବେଶ ନାଁ ଏହାର । କେହି କେହି ଏହାକୁ ତେଲେଙ୍ଗାନା ସୁନା ବି କହନ୍ତି । ପାଖାପାଖି ୩୫ ଜଣ ଚାଷୀଙ୍କୁ ପରଖେଇବାକୁ ଆମେ ସବୁଦିନ ପାଂଚଟି ଗାଁକୁ ଯାଉ । ସେତେବେଳେ ନା ଥଲା କରୋନା ନା ମନରେ ଡ଼ର ।

ହଠାତ ସରକାର ସବୁକିଛି ଲକଡ଼ାଉନ କରିବା ସହ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ଫଳରେ ଆମେ ବି ଏବେ ଘରେ । ପ୍ରଥମାର୍ଦ୍ଧ ଲକଡ଼ାଉନ ସମୟରେ ଚାଷ କାର୍ଯ୍ୟରେ ଦେଖାଯାଇଥିଲା ଅନେକ ସମସ୍ୟା । ଯାହାର ଅଧିକ ଏକର ଜମି ଥିଲା , ସେ ତ ସବୁକିଛି ଏକା କରିପାରିବନି । କାରଣ ଚାଷ ତ ଜଣିକିଆ କାମ ନୁହେଁ । ତଳି ପକାଇବା ଠାରୁ ଆରମ୍ଭ କରି ରୁଆ ଯାଏଁ ଯାହା ବିହେଲେ କ୍ଷେତରେ ତିନି ଚାରି ଜଣ ଲୋକ ଦରକାର । କିଏ କିଏ ମଜୁରୀ ଦେଇ ବି ରୁଆ କରନ୍ତି । କିନ୍ତୁ ଏ ଲକଡ଼ାଉନ ଏକ ପ୍ରକାର ଏହାକୁ ଠପ୍ କରିଦେଲା ପ୍ରଥମାବସ୍ଥାରେ ।
ନା କିଏ କୁଆଡ଼େ ଯାଇପାରିଲେ ନା କାମଦାମ କିଛି କରିପାରିଲେ । କାନମୁଣ୍ଡା ଆଉଁସି ଘରେ ବସିବାଟାକୁ ସାର ଭାବିଲେ ସଭିଏଁ ।

କେବଳ ଧାନ କାହିଁକି ରବି ଋତୁରେ ଯେଉଁମାନେ ଜମିରେ ମୁଗ, ବିରି ବୁଣିଥିଲେ ସେସବୁ ଅମଳ କରିବାର ସମୟ ଏଇ ମାର୍ଚ୍ଚ ଶେଷ ଆଡ଼କୁ । କାରଣ ମୁଗ ବିରି ପ୍ରାୟତଃ ତିନିମାସିଆ ଫସଲ । ତେବେ ଏକର ଏକର ମୁଗ ଚାଷ କରିଥିବା ଜମିରେ ଜଣେ ଲୋକ ଯାଇ ମୁଗ କି ବିରି ତୋଳି
ଆଣିବା ଏକ କଷ୍ଟକର ବ୍ୟାପାର । ଏଥିପାଇଁ ଶ୍ରମିକ ଆବଶ୍ୟକ । କିନ୍ତୁ ଏପରି ସ୍ଥିତିରେ ମୁଗ, ବିରି ଜମିରେ ପଡ଼ିରହି ପାଚିଗଲାଣି । ସରକାର କୋହଳ କରିଛନ୍ତି ସତ କିନ୍ତୁ ପ୍ରଥମରୁ ଯେଉଁ କ୍ଷତି ହୋଇଯାଇଛି ସେସବୁର ଆକଳନ କରିବା ବି ଆବଶ୍ୟକ । କାରଣ ଚାଷୀ ଖଟିଲେ ଖାଏ । ଯେଉଁ ମୁଗ, ବିରି ଏବେ ନଷ୍ଟ ହୋଇଗଲା ସେଥିରୁ ଦି ପଇସା କରି ଚଳିଥାନ୍ତେ । ଆଜି ସେସବୁ ବି ପାଣି ଫୋଟକା ।

ଅନ୍ୟ ପକ୍ଷରେ ପାନ ବରଜ ଚାଷୀ ଆଉ ଛତୁ ଚାଷୀଙ୍କ କଥା ବିଚାର କରାଗଲେ ବି କଥା ସମାନ ପ୍ରାୟ । ପାନ ଦୋକନ ବନ୍ଦ । ତା ସହ ବଜାରରେ ପାନ ନେବାକୁ ବି ଅଧା ବେପାରୀ ମଙ୍ଗୁନାହାନ୍ତି । ବରଜରେ ପାନ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି । ଯେଉଁ ବରଜରୁ
ଦିନେ ଚାଷୀ କିଛି ଟଙ୍କା ଉପାର୍ଜନ କରିବାର ସ୍ୱପ୍ନ ଦେଖିଥିଲା ଆଜି ସେସବୁକୁ ଭୁଲି ଯିବାକୁ ବସିଲାଣି । ଅଡ଼୍ୟ ପଟେ ଗାଁ ମାନଙ୍କରେ ଅଧିକାଂଶ ମହିଳା ଆଉ ପୁରୁଷ ଛତୁ ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି । ପ୍ରଥମତଃ ଏହା ଏକ ଉଦ୍ୟୋଗୀକରଣର ନୂତନ ସମ୍ଭାବନା । ଦ୍ୱିତୀୟରେ ଛତୁ ଚାଷ ପାଇଁ ଗାଁ ପରିବେଶ ବେଶ ସହାୟକ । ଏବେ ଲକଡ଼ାଉନ ପରିସ୍ଥିତିରେ ଏ ଛତୁଚାଷୀ ନିଜ ଛତୁକୁ ବିକ୍ରି କରିବାକୁ ବାଟ ପାଉନାହାନ୍ତି । 

ଯେଉଁମାନଙ୍କ ଘର ବଜାର ପାଖଆଖ ଅଂଚଳର ସେମାନେ ଆସି ବିକ୍ରି କରିପାରୁଛନ୍ତି । ହେଲେ ଏ ଗାଁ ଛତୁ ଚାଷୀଙ୍କ କଥା ବୁଝିବ କିଏ? ଅନେକାଂଶରେ ଏବେ ଏହି ଅବସ୍ଥା ଚାଷୀର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ସରକାର ଚାଷୀଙ୍କ ପାଇ: ନିୟମ କୋହଳ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକଡ଼ାଉନରେ ଅନେକାଂଶରେ କୋହଳ ହୋଇଛି । ଚାଷକାମକୁ ଅନୁମତି ମିଳିଛି । ସାମଜିକ ଦୂରତା ବଜାୟ ରଖି ଚାଷ କାମ କରିବାକୁ ନିର୍ଦ୍ଦେଶନାମା ବି ହୋଇଛି । କୃଷିଜାତଦ୍ରବ୍ୟ ବିକ୍ରି ପାଇଁ ବି କଟକଣା କୋହଳ କରାଯାଇଛି ।

ଆଉ ଏକ ଖୁସିଖବର ଯେ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଏଥର ବୃଷ୍ଟିପାତ ଠିକ ଅନୁପାତରେ ହେବ । ସମୟ ସବୁବେଳେ ସମାନ ନଥାଏ । ଏକଥା ସତ । କିନ୍ତୁ ମନ ଭିତରେ ଥିବା ଆଶା ଥରେ ମଉଳିଗଲେ ସେ ପୁଣି ଜାଗି ଉଠିବା ଟିକେ କଷ୍ଟ । ତଥାପି ଓଡ଼ିଶା – ଏକ ଉଦ୍ଦୀପନାର ରାଜ୍ୟ । ସମ୍ଭାବନାକୁ ବାସ୍ତବତାରେ ପରିଣତ କରୁଥିବାର ରାଜ୍ୟ । ଆମ ଚାଷୀ ଡ଼ରିବା ଶିଖିନାହାନ୍ତି । ଆମ ରାଜ୍ୟର ଚାଷୀ ଉନ୍ନତ ଜ୍ଞାନକୌଶଳରେ ଭରପୁର । ଶ୍ୟାମଳ ଜମିରୁ ସୁନା ଫଳେଇବାରେ ମାହିର ଆମ ଚାଷୀ । ଅନେକ ବିପର୍ଯ୍ୟୟ ଦେଇ ଗତି କରିଥିଲେ ବି ପୁଣି ଅଣ୍ଟା ସଳଖି ଠିଆ ହୋଇଛନ୍ତି ଆମ ରାଜ୍ୟର ଚାଷୀ ।

ଆମ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ମହାବାହୁ ନିଶ୍ଚୟ ଆମକୁ ରକ୍ଷା କରିବେ । ଏ ମହାମାରୀର ବିଲୋପ ଘଟିବ । ଓଡ଼ିଶା ପୁଣି କୃଷି କ୍ଷେତ୍ରରେ ଆଗୁଆ ହେବ ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର ,ଭଦ୍ରକ , ମୋ – ୯୪୩୮୪୬୭୦୭୯)

ଇମେଲ: dshuvam97@gmail.com

Comments are closed.