Latest Odisha News

BREAKING NEWS

ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର; ଝିଅର କାନ୍ଦଦେଖି ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପୁଣି ଜଣେ ଅଭାବୀ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ଗରିବଙ୍କ ଭଗବାନ ବନିଯାଇଥିବା ସୋନୁ ସୁଦ ସବୁ ଅସହାୟଙ୍କ ଡାକ ଶୁଣି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବା ଦେଖା ଯାଇଛି।

ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓ ଦେଖି ସେ ଜଣେ ଆଦିବାସୀ ବାଳିକାକୁ ନୂଆ ବହି ସହ ନୂଆ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମୁକେଶ ଚନ୍ଦ୍ରକର ନାମକ ଜଣେ ଯୁବକ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବାଳିକା କାନ୍ଦୁଥିବାର ଦେଖାଯାଇଛି। ସେ ଲେଖିଛନ୍ତି ଯେ ଅଗଷ୍ଟ ୧୫-୧୬ ହୋଇଥିବା ବନ୍ୟାରେ ଅଞ୍ଜଳିଙ୍କ ଘର ପ୍ରାୟ ନଷ୍ଟ ହୋଇଯାଇଥିଲା।ଭାଙ୍ଗି ଯାଇଥିବା ଘର କଥା ନ ଭାବି ଅଞ୍ଜଳି ନଷ୍ଟ ହୋଇଯାଇଥିବା ନିଜ ବହିକୁ ଦେଖି ଖୁବ କାନ୍ଦିଥିଲେ। ମୁଁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ବାଳିକାର ପୁସ୍ତକ ପ୍ରତି ଏଭଳି ଭଲ ପାଇବା ଦେଖିଲି।

ଏହି ଟୁଇଟକୁ ରିଟ୍ୱିଟ କରି ସୋନୁ ଲେଖିଛନ୍ତି – ଲୁହ ପୋଛିଦିଅ ଭଉଣୀ, ବହିଗୁଡ଼ିକ ମଧ୍ୟ ନୂଆ ହେବ। ଘର ମଧ୍ୟ ନୂଆ ହେବ। ସୋନୁଙ୍କ ଏଭଳି ଟୁଇଟ ପୁଣି ଥରେ ଲୋକଙ୍କ ମନ କିଣି ନେଇଛି। ଏହା ପୂର୍ବରୁ ହଳ କରିବାକୁ ବଳଦ ନଥିବା ଚାଷୀକୁ ଟ୍ରାକ୍ଟର ଏବଂ ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ।

ସୋନୁଙ୍କ ଏଭଳି ସହାୟତାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି।

Comments are closed.