Latest Odisha News

BREAKING NEWS

‘ରଜୋ’ ନୁହେଁ ‘ରଜ’: ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର : ‘ରଜୋ ନୁହେଁ ରଜ’ ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଓଡ଼ିଆମାନେ ମହାନ ପାରମ୍ପରିକ ପର୍ବ ‘ରଜ’ ଉତ୍ସବ ଆସନ୍ତା ୧୪ ତାରିଖରେ ସମଗ୍ର ଓଡ଼ିଶା ପାଳିବାକୁ ଯାଉଛନ୍ତି । ତେବେ କିଛି ବ୍ୟବସାୟିକ ଗୋଷ୍ଠୀ ଜାଣତରେ ହେଉ ବା ଅଜାଣତରେ ‘ରଜ’ କୁ ତାଙ୍କର ବିଭିନ୍ନ ଗଣମାଧ୍ୟମ ବିଜ୍ଞାପନରେ ଅପଭ୍ରଂସ କରି ‘ରଜୋ’ ଭାବେ ପ୍ରଚାର କରୁଛନ୍ତି । ଫଳରେ ସ୍ୱାଭିମାନୀ ଓଡ଼ିଆ ଭାଷାଭାଷୀଙ୍କୁ ଏହା ମର୍ମାହତ କରିଛି ।

‘ରଜୋ ନୁହେଁ ରଜ’ ଏହି କ୍ୟାମ୍ପେନକୁ ବିଶିଷ୍ଟ ସ୍କୁବା ଡ଼ାଇଭର ସବିର ବକ୍ସ, ଭିନ୍ନକ୍ଷମ କ୍ରିକେଟର ଜାଫର ଇକବଲ ଏବଂ ବାଲୁକା ଶିଳ୍ପୀ ମାନସ ସାହୁ ସୋସିଆଲ ମିଡ଼ିଆରେ ସ୍ୱାଭିମାନୀ ଓଡ଼ିଆଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି ।

ତେବେ ଗତ କିଛି ବର୍ଷ ହେଲା ଫ୍ରିଲାନ୍ସ ସାମ୍ବାଦିକ ରୁଦ୍ର ପ୍ରସନ୍ନ ରଥ ଓ ଯୁବ ସାମ୍ବାଦିକ ସୁବ୍ରତ ନାୟକ ଏହି ‘ରଜୋ ନୁହେଁ ରଜ’ କ୍ୟାମ୍ପେନକୁ ସୋସିଆଲ ମିଡ଼ିଆରେ ବ୍ୟାପକ କରିଥିଲେ । ଓଡ଼ିଶାର ପାରମ୍ପରିକ ମହାନ ଉତ୍ସବ ରଜକୁ କିଛି ବ୍ୟବସାୟିକ ଅନୁଷ୍ଠାନ ତାଙ୍କ ବିଜ୍ଞାପନରେ ‘ରଜୋ’ ଭାବେ ପ୍ରସାରିତ କରିବା ଫଳରେ ଓଡ଼ିଆ ଭାଷା ଏବଂ ସ୍ୱାଭିମାନ ପ୍ରତି କୁଠାରଘାତ ସଦୃଶ ହୋଇଛି ।

ଫେସବୁକ ମାଧ୍ୟମରେ ଏହି କ୍ୟାମ୍ପେନକୁ ବ୍ୟାପକ କରିବା ଫଳରେ ସମାଜର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ସାମ୍ବାଦିକ, କବି, ଲେଖକ, ସମାଜସେବୀ, ସେଲେବ୍ରିଟି, ଛାତ୍ର ତଥା ଯୁବବର୍ଗଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଆ ଏକ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାରତୀୟ ଭାଷା । ଏହି ଭାଷାର ଶବ୍ଦକୁ ଠିକ୍ ରୂପେ ଉଚ୍ଚାରଣ ନକରି ଅନ୍ୟ ଭାଷାରେ ଉଚ୍ଚାରଣ କରିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ପୂଜା କୁ ‘ପୂଜୋ’ ବା ରଜ କୁ ‘ରଜୋ’ ଉଚ୍ଚାରଣ କରିବା ଓଡ଼ିଆ ଭାଷା ପ୍ରତି ଅପମାନ ବୋଲି କେତେକ ସୋସିଆଲ ମିଡ଼ିଆରେ କଟୁ ସମାଲୋଚନା କରିଛନ୍ତି । ‘ରଜୋ ନୁହେଁ ରଜ’ କ୍ୟାମ୍ପେନ ଆଗକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସ୍ୱାଭିମାନୀ ଓଡ଼ିଆ, ଲେଖକ, ସାମ୍ବାଦିକ ତଥା ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥ । ଫେସବୁକର କିଛି ବ୍ୟବହାରକାରୀ ଏହି କ୍ୟାମ୍ପେନକୁ ସମର୍ଥନ କରୁଥିବା ବେଳେ ଓଡ଼ିଆ ଭାଷାର ଠିକ୍ ଉଚ୍ଚାରଣ କରିବା ନେଇ ମଧ୍ୟ ସଚେତନା ବୃଦ୍ଧି ଘଟିବାରେ ଲାଗିଛି । ତେବେ ଓଡ଼ିଆଙ୍କ ପାରମ୍ପରିକ ପର୍ବ ରଜ ଆଉ କିଛି ଦିନ ବାକି ରହିଥିବା ବେଳେ ଏନେଇ ଫେସବୁକ୍ ରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.