ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
ତାକୁ ଆଉ କିଛି କୁହନି
ସେ ସହିବାକୁ ଜାଣେ
ଦୁର୍ଭିକ୍ଷ, ମହାମାରୀ,ଅତ୍ୟାଚାର
ଅନ୍ଧାରୀ ଗୁମ୍ଫା ଭିତରେ
ଆଲୁଅ ଖୋଜିବା ର କଳା ଜାଣେ
ସ୍ୱପ୍ନହୀନ ଜୀବନକୁ ରଙ୍ଗେଇ ଦେବାର
ଅଦମ୍ୟ ସାହସ ରଖେ ।
ଯଦି ବିଶ୍ୱାସ ନାହିଁ
ଇତିହାସର କଳେବର ଝୁଣି ଦିଅ
ତା ଅଗଣିତ କଲା କର୍ମ ର ପ୍ରଚ୍ଛଦ ସମୂହ ।
ତୁମେ ଖୋଜି ପାଇବ
ତୁମର ନରମ କଲିଜା ।
ଯିଏ ଅନ୍ୟାୟର ଖଣ୍ଡା
ଖଣ୍ଡ ବିଖଣ୍ଡିତ କରିଥିଲା
କ୍ରାନ୍ତି ର ମଶାଲ ଜାଳି
ଦୁନିଆରେ ଢାଳିଥିଲା ଆଲୁଅ ।
ନବ ଉନ୍ମାଦନା ର ଗୀତ ଗାଇ
ଶ୍ୟାମଳିମା ଭରିଥିଲା କ୍ଷେତ୍ର ତନୁରେ।
ଉଜୁଡ଼ା ଘର, ଭଙ୍ଗା ମନ ସାଜି
ଦେଇଥିଲା ହଜାର ସପନ।
ଏବେ କିଆଁ ନିଶ୍ଚଳ, ନିଶ୍ଚୁପର କୋଲପ ମୁଖେ
ପଡୋଶୀ ନିଆଁ ରେ ଘର ଜଳୁଛି
ବଗିଚା ,ପୋଖରୀ ,
ନିଃଶ୍ୱାସ, ବିଶ୍ୱାସ ସବୁ ଛାରଖାର
ସାଉଁଟି ନିଅ କବିତାର ଭାଷା
ଆତ୍ମାକୁ ଆବୋରି ନିଅ
ନଚେତ୍
ତୁମ ଶିରା ପ୍ରଶିରା
ସଖୀକଣ୍ଢେଇ ର ତାଳ ସୃଷ୍ଟି କଲେ
ଚାହିଁ ଥିବ ଜଳକା ହୋଇ ।
(ସରକାରୀ ଏସ୍ ଏସ୍ ଡି,ଏଚ୍ ଏସ୍ ଏସ୍ ,ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ )
Comments are closed.