Latest Odisha News

BREAKING NEWS

ସମସ୍ତେ ପରାଜିତ ହେଉଥିବା ଏକ ପ୍ରତିଯୋଗିତା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଭାରତର ଯୁବ ସମାଜ ସଂପ୍ରତି ଏକ ଘଡ଼ିସନ୍ଧି ପରିସ୍ଥିତି ଦେଇ ଗତି କରୁଛି । ଏହି ପରିସ୍ଥିତି ତିଆରି ପାଇଁ ଅନେକାଂଶରେ ଆମେ ସମସ୍ତେ ଦାୟୀ । ଆମ ଶିକ୍ଷା ବ୍ୟବସ୍ଥା, ସଫଳତାର ପ୍ରଚଳିତ ମାପକାଠି, ଉନ୍ନତି ତଥା ବିକାଶର ଭ୍ରମାତ୍ମକ ଅବଧାରଣା, ବାପା, ମା’ଙ୍କର ତଥାକଥିତ ସ୍ୱପ୍ନ ଆଦି ଯୁବ ସମାଜକୁ ଏକ ଭୟଙ୍କର ସ୍ଥାଣୁତା ଭିତରକୁ ଠେଲି ଦେଇଛି । ଦିନକୁ ଦିନ ଭାରତ ବର୍ଷର ଯୁବ ମସ୍ତିସ୍କ ନଷ୍ଟ ହେବାରେ ଲାଗୁଛି । ସୃଜନଶୀଳତା ଦ୍ରୁତ ଗତିରେ ଲୋପ ପାଉଛି । ଆଜିର ଶିକ୍ଷା ବ୍ୟବସ୍ଥାରେ ଛାତ୍ର ଓ ଯୁବକ ମାନେ କେବଳ ବିଜୟୀ ହେବାର ଏକ ଭ୍ରମରେ ବୁଡ଼ି ରହୁଛନ୍ତି, କିନ୍ତୁ ବାସ୍ତବରେ ଏଥିରେ କେହି ବି ବିଜୟୀ ହେଉନାହାନ୍ତି ।

ବୋର୍ଡ଼ ପରୀକ୍ଷା, ଡାକ୍ତରୀ, ଇଞ୍ଜିନିୟରିଂ ଓ ଆଇଆଇଟି. ଆଦି ପାଇଁ ପ୍ରବେଶିକା ପରୀକ୍ଷା, ବଡ଼ କଲେଜରେ ନାମଲେଖା ପ୍ରତିଯୋଗିତା ପଛରେ ସଂପ୍ରତି ଯୁବ ସମାଜ ପାଗଳ ପ୍ରାୟ ଧାଉଁଛନ୍ତି । ଏସବୁକୁ ପାଇବା ଅର୍ଥ ଜୀବନରେ ସଫଳତା ପାଇବା ଓ ନ ପାଇବା ଅର୍ଥ ଜୀବନରେ ବିଫଳ ହେବା । ଏମିତି ଏକ ଅନ୍ଧବିଶ୍ୱାସର ଅନ୍ଧକୂପରେ ପଡ଼ିଛନ୍ତି ଆଜିର ଯୁବ ସମାଜ । ମୂଳ ପ୍ରଶ୍ନ ହେଉଛି, ଏସବୁ ସଫଳତା ଓ ବିଫଳତାର ମାପଦଣ୍ଡକୁ ତିଆରି କରିଛି କିଏ ? ଏସବୁ କ’ଣ ଯୁବ ସମାଜଙ୍କ ନିଜ ଆଗ୍ରହରୁ ଜାତ ହେଉଛି, ନା କିଏ ଯୁବ ସମାଜକୁ ସେହି ପାଗଳ ଦୌଡ଼ରେ ସାମିଲ କରାଉଛି । ଏହାର ଏକମାତ୍ର ଉତ୍ତର ହେଉଛି, ଆଜିର ଦୁନିଆରେ ‘ବଜାର’ ଏମିତି ଏକ ଅବଧାରଣା ତିଆରି କରିଦେଇଛି । ସଫଳତାର ଯେଉଁ ମାପଦଣ୍ଡ ଆମ ଆଗରେ ଦେଖାଯାଉଛି, ତାକୁ ବଜାର ନିଜ ହିସାବରେ ହିଁ ତିଆରି କରିଛି ।

ଆଜି ଯଦି କୌଣସି ଯୁବକ ନିଜ ଅନ୍ତରର ଆହ୍ୱାନରେ, ନିଜ ମନର ଖୁସି ପାଇଁ ଆଗ୍ରହର ସହିତ କିଛି କରିବାକୁ ବାହାରୁଛି, ତା ପାଇଁ ସେ ସୁଯୋଗ ନାହିଁ । କାରଣ ବଜାର ତିଆରି କରିଥିବା ମାପଦଣ୍ଡରେ ସେସବୁ ଛୋଟ କାମ ବୋଲି ବିବେଚିତ ହେଉଛି । ତେଣୁ ବଜାର ସଂପ୍ରତି ନିର୍ଦ୍ଧାରଣ କରୁଛି, ଯୁବକମାନେ କ’ଣ ପଢ଼ିବେ, କ’ଣ କରିବେ । ନିଜର ଇଛା, ରୁଚି ଓ ସାମର୍ଥ୍ୟ ହିସାବରେ ନିଷ୍ପତି ନେବାର ଅଧିକାର ଆଜି କାହାରି ପାଖରେ ବି ନାହିଁ । ଖୁବ୍ ସନ୍ତର୍ପଣରେ ବଜାର ଆମ ମାନସିକତାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ।

ଯେ କୌଣସି ଗୋଟେ ମଧ୍ୟବିତ ଛାତ୍ରର ବାପା ମା’ ଦଶମ ବୋର୍ଡ଼ ପରୀକ୍ଷା ପରେ ତାକୁ ବିଜ୍ଞାନ କିମ୍ବା କୌଣସି ବୈଷୟିକ ପାଠ ପଢ଼ିବା ପାଇଁ ହିଁ ଚାହୁଁଛନ୍ତି । ମୁଖତଃ ଫିଜିକ୍‌ସ (ପଦାର୍ଥ ବିଜ୍ଞାନ) କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ମାଥେମେଟିକ୍‌ସ (ଗଣିତ) । ସଂକ୍ଷେପରେ କହିଲେ ପି.ସି.ଏମ୍‌. । ଆଜି ପି.ସି.ଏମ୍‌. ଯେପରି ଯୁବକ ମାନଙ୍କର ଧର୍ମ ହୋଇଯାଇଛି । ବିଜ୍ଞାନ ବିଭାଗରେ ପାଠ ପଢ଼ି ଭଲ ନମ୍ବର ରଖିବା ପାଇଁ ଗୋଟେ ସତର ବର୍ଷର କିଶୋରକୁ ନିଶ୍ୱାସ ମାରିବା ପାଇଁ ବି ଟିକେ ଅବସର ମିଳୁନି ।

ଘରୋଇ ଟ୍ୟୁଟର, କୋଚିଙ୍ଗ୍ ସେଂଟର, କଲେଜ, ପ୍ରତି ସପ୍ତାହରେ ପରୀକ୍ଷା ଓ ଡାକ୍ତରୀ, ଇଞ୍ଜିନୀୟରିଂ ଓ ଆଇଆଇଟି ଆଦି ପାଇଁ ପ୍ରବେଶିକା ପରୀକ୍ଷା ଆଦି ଭିତରେ ବିଚରା ପିଲାଟି ପେଶୀ ହୋଇଯିବାଟା ହିଁ ସାର ହେଉଛି । ପୁରା ବର୍ଷ ସାରା ପିଲାଟି ଉଦ୍‌ବିଗ୍ନ, କ’ଣ ହେବ ତାର ପରୀକ୍ଷାର ରେଜଲ୍ଟ । ଏକ ମାର୍କ କି ଅଧା ମାର୍କ ବି କମିଗଲେ କେହି ବି ଗ୍ରହଣ କରିବାକୁ ନାରାଜ । ବାପା, ମା’ ଚିନ୍ତିତ, କ’ଣ ହେବ ପୁଅର ରେଜଲ୍ଟ! ସିଟ୍‌ଟାଏ ପାଇବ କି ନା! ବିଚରା ସତର ବର୍ଷର କିଶୋର ପିଲାଟିକୁ ଗପ, କବିତା, ସିନେମା, କଳା, ଓ ଖେଳ ଆଦି ବିଷୟରେ ଆଲୋଚନା ତ ଦୂର ଭାବିବାକୁ ବି ସମୟ ନାହିଁ । ଏସବୁ ବିଷୟରେ ମୁଣ୍ଡ ପୁରେଇ ସମୟ ନଷ୍ଟ କରିବା ଉଚିତ୍ ନୁହେଁ ବୋଲି ପିଲାଟିକୁ ବୁଝେଇ ଦିଆଯାଇଛି ଓ ତାର ବାପା ମା’ ବି ଠିକ୍ ସେଇଆ ଭାବନ୍ତି । ସବୁ ମୂହୁର୍ତରେ ପିଲାଟି ଉପରେ ବାପା, ମା’ଙ୍କ ତରଫରୁ, ସମାଜ ତରଫରୁ ଓ ବିଶେଷ କରି ବଜାର ତରଫରୁ ଚାପ ଅଛି ଯେ, ତାକୁ ସଫଳ ହିଁ ହେବାକୁ ପଡ଼ିବ ।

କିନ୍ତୁ ଅସଲ ପ୍ରଶ୍ନ ହେଉଛି, କ’ଣ ଏହି ‘ସଫଳତା’ ନାମକୁ ଚିଜଟି । ଅନ୍ୟମାନେ ଦେଖାଇ ଯାଇଥିବା ରାସ୍ତାରେ, ଯେଉଁଥିରେ କେବଳ ଅଧିକ ଦରମା ପାଇ ହେବ, ସେହି ରାସ୍ତାରେ ଠିକ୍ ସେହିପରି ଚାଲିବା କ’ଣ ଜୀବନର ସଫଳତା! ଜୀବନଟା କ’ଣ ଏତେ ସମଜାତୀୟ? ଏସବୁ ଭିତରେ ବିଚରା ପିଲାଟି ଯେ ଏକ ଜୀବନ୍ତ ମଣିଷ, ଏକଥା କେହି ବି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । କାରଣ ବଜାର ନିର୍ଦ୍ଧାରଣ କରିଥିବା ମାପଦଣ୍ଡରେ ଆମେ ବି ଆମ ପିଲାକୁ ଦେଖିବାକୁ ଚାହୁଁଛୁ । ତାହା ହିଁ ଏକମାତ୍ର ସଫଳତା ବୋଲି ବାପା, ମା’ ଓ ସମସ୍ତେ ମାନି ନେଇଛନ୍ତି । କିନ୍ତୁ ଅସଲରେ ସଫଳତା ପଛରେ ଦୌଡ଼ି ଦୌଡ଼ି ଆଜିର ଯୁବ ସମାଜ ଗୁରୁତର ଭାବେ ବିଫଳ ହେବାରେ ଲାଗିଛନ୍ତି ।

ଆଜି ଯଦି ଗୋଟେ ପିଲାର ୯୫% ନମ୍ବର ରହୁଛି, ସେ ଦୁଃଖରେ ଭାଙ୍ଗିପଡ଼ୁଛି ଯେ, ତାର ଏକ ପ୍ରତିଶତ ନମ୍ବର କମିଗଲା । ଜୀବନରେ ଏହି ଗୋଟିଏ ଛୋଟ ଦୁଃଖର ଭାରକୁ ସେ ଉଠାଇବାକୁ ଏତେ ଅକ୍ଷମ ଯେ, ସେ ଆତ୍ମହତ୍ୟା କରିଦେଉଛି । ତାହେଲେ ଯାହାକୁ ଆମେ ଜୀବନର ସଫଳତା କହୁଛେ, ତାହା ସଫଳତା ହେଲା କେମିତି । ମାତ୍ର ଗୋଟିଏ ନମ୍ବର ପାଇଁ ଯିଏ ଆତ୍ମହତ୍ୟା କରିଦେଉଛି, ସେ ତ ଜୀବନରେ ଗୁରୁତର ଭାବେ ବିଫଳ ହୋଇଛି ବୋଲି କହିବାକୁ ହେବ ।

ବାସ୍ତବରେ ଆଜିର ବ୍ୟବସ୍ଥା ଗୋଟେ ପିଲାକୁ ମଣିଷ କରୁନି, ତାକୁ ବଜାର ଚାହୁଁଥିବା ଏକ ବସ୍ତୁରେ ପରିଣତ କରିଦେଉଛି । ବଜାରରେ ଯେକୌଣସି ଜିନିଷ ଭଲରେ ପ୍ୟାକିଙ୍ଗ୍ ହେବା ପରି ଆମେ ବି ଆମ ପିଲା ମୁଣ୍ଡରେ ବିଭିନ୍ନ ପ୍ରକାର ବଜାର ନିର୍ଦ୍ଧାରିତ ଡିଗ୍ରି ଝୁଲେଇ ତାକୁ ଭଲରେ ପ୍ୟାକିଙ୍ଗ୍ କରି ବଜାରକୁ ଛାଡ଼ିବାକୁ ସବୁ ପ୍ରକାର ବ୍ୟବସ୍ଥା କରୁଛେ । ଅବଶ୍ୟ ଏଥିପାଇଁ ଆମେ ସ୍ୱପ୍ନ, ଭବିଷ୍ୟତର ଲକ୍ଷ, ବିକାଶ ଆଦି ବିଭିନ୍ନ ପ୍ରକାର ବାହାନା ପିଲାଙ୍କ ସାମ୍ନାରେ ଉପସ୍ଥାପନ କରୁଛେ ।

ଆଜିର ବଜାର ଓ ଅର୍ଥ ସର୍ବସ୍ୱ ଦୁନିଆରେ ବିଜ୍ଞାନ, ବାଣିଜ୍ୟ ଓ ଅନ୍ୟ ଯେକୌଣସି ବୈଷୟିକ ବିଷୟକୁ ପ୍ରଥମ ମାନ୍ୟତା ଦିଆଯାଇଥିବା ବେଳେ କଳା ଆଦି ବିଷୟକୁ ଦ୍ୱିତୀୟ ସ୍ଥାନ ଦିଆଯାଇଛି । ସମସ୍ତେ ପ୍ରାୟତଃ ମନ ପ୍ରାଣ ଦେଇ ଚାହୁଁଛନ୍ତି ଯେ, ପିଲାର ଇଛା ଓ ସାମର୍ଥ୍ୟ ଥାଉ କି ନଥାଉ, ପିଲା ପ୍ରଥମେ ବିଜ୍ଞାନ ବା ବାଣିଜ୍ୟ ପଢ଼ୁ । କଳା ବିଷୟ ତ କେବେ ନୁହେଁ । ସେଥିରେ ଟଙ୍କା ନାହିଁ ଓ ଭବିଷ୍ୟତ ନଷ୍ଟ ହୋଇଯିବ । ପିଲାକୁ ନିଜକୁ ନିଜେ ଦେଖିବାକୁ ଟିକେ ବି ଅବସର ଦିଆଯାଉନାହିଁ । ଏହି ସମୟରୁ ପିଲାର ଜୀବନକୁ ଅନୁପ୍ରବେଶ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଉଛି ।

ଏହି ଅନୁପ୍ରବେଶ ପ୍ରକ୍ରିୟା ଆହୁରି ବଢ଼ି ବଢ଼ି ଚାଲେ, ଯେତେବେଳେ ତଥାକଥିତ ସାମାଜିକ ଚାପ ପିଲାଟିର ଇଛା, ସୃଜନଶୀଳତା ଆଦିକୁ ମାରିଦିଏ ଓ ତାକୁ ବିଶ୍ୱାସ କରିବାକୁ ବାଧ୍ୟ କରେ ଯେ, ଆଇଆଇଟି, ଇଞ୍ଜିନିୟରିଂ ଓ ମ୍ୟାନେଜ୍‌ମେଂଟ ଆଦି ବିନା ଜୀବନଟା ଘନ ଅନ୍ଧାର । ଏହି ସବୁ ଅନ୍ଧ ଦୌଡ଼ର ପ୍ରସ୍ତୁତିରେ ବିଚରା ପିଲାଟି ଜୀବନର କିଛି ବି ଆନନ୍ଦ ପାଇପାରେ ନାହିଁ । କୋଚିଂ ସେଂଟରମାନେ ପିଲାଙ୍କ ପାଠ୍ୟକ୍ରମରେ ବି ଏପରି କିଛି ବିଷୟକୁ ସାମିଲ କରନଥାନ୍ତି, ଯାହା ପିଲାର ଅନ୍ତଃଦୃଷ୍ଟିକୁ ବଢ଼େଇବ । ପିଲା ଭିତରେ ସୃଜନଶୀଳତା ବୃଦ୍ଧି କରିବା ସହିତ ପରିସ୍ଥିତି ସହିତ ଖାପ୍ ଖୁଆଇ ଚଳିବା ପାଇଁ ତା ଭିତରେ ଆତ୍ମବିଶ୍ୱାସ ଭରିଦେବ ।

ପ୍ରତିଦିନ ପ୍ରତି ସମୟରେ ଏହି ସବୁ ଅନୁଷ୍ଠାନ ଗୁଡ଼ିକ ପିଲାମାନଙ୍କୁ ତାଙ୍କ ପାଠ୍ୟକ୍ରମ ଭିତରେ ଏପରି ବୁଡ଼େଇ ରଖନ୍ତି ଯେ, ପିଲାଟିଏ ସେଥିରୁ ବାହାରି ଆଉ କିଛି ବି ଚନ୍ତା କରିପାରେ ନାହିଁ । ଏବେ କେଉଁ ଋତୁ ଚାଲିଛି, ଗଛରେ ପତ୍ର ଅଛି କି ନାଁ, ଆମ ଚାରିପଟେ ଆଉ କେଉଁ କେଉଁ ମାନେ ଅଛନ୍ତି, ଏସବୁ ପିଲାର ମଗଜକୁ ଟିକେ ବି ଛୁଇଁ ପାରେ ନାହିଁ । ତାହେଲେ ଆମେ କ’ଣ ଚିନ୍ତା କରିବା ଉଚିତ୍ ନୁହେଁ କି, ଆମ ପିଲା ଏକ ସକ୍ରିୟ ସାମାଜିକ ପ୍ରାଣୀ ଭାବେ ଏ ସମାଜରେ ରହୁଛି, ନା ଏକ ବହୁଳ ଚାହିଦା ଥିବା ଯନ୍ତ୍ର ହୋଇଯାଉଛି!

ଏହା ବ୍ୟତୀତ ସଫଳତାର ଦ୍ୱିତୀୟ ମାପଦଣ୍ଡ ହୋଇଛି, ଟଙ୍କା, ବୈଷୟିକ ବିଶେଷଜ୍ଞ ଭଳି ବଡ଼ ପଦବୀ ଓ କ୍ଷମତା ସଂପନ୍ନ ସରକାରୀ ଚାକିରୀ ତଥା ଆଇଏଏସ୍ । ତେଣୁ ଏହି ତିନୋଟିକୁ ପାଇବାକୁ ପ୍ରତିଯୋଗିତା ଚାଲୁଛି । ଯଦି ଜୀବନରେ ଭାରତୀୟ ପ୍ରଶାସନିକ ସେବାର ଚାକିରି ବା ବହୁରାଷ୍ଟ୍ରୀୟ କଂପାନୀରେ ଚାକିରି ମିଳିଲା ନାହିଁ, ତାହେଲେ ପାଠ ପଢ଼ି ଜୀବନ ନଷ୍ଟ ହୋଇଗଲା ବୋଲି ବିବେଚିତ ହେଉଛି । ଏପରିକି ବାଙ୍ଗାଲୋର୍‌ରେ ଚାକିରୀ କରୁଥିବା ୨୩ ବର୍ଷୀୟ ଜଣେ ସଫ୍ଟୱେୟର ଇଞ୍ଜିନିଅର ଜୀବନକୁ ସଫଳ ଜୀବନ ବୋଲି ବିବେଚନା କରାଯାଉଥିବା ବେଳେ ଭୁବନେଶ୍ୱର ବା ଭୋପାଳରେ ରହୁଥିବା ଜଣେ ୫୦ ବର୍ଷୀୟ କଲେଜ୍ ପ୍ରଫେସର ଯିଏ ଇତିହାସ ଉପରେ ବହି ଲେଖୁଛନ୍ତି, ତାଙ୍କ ଜୀବନକୁ ବିଫଳ ଜୀବନ ବୋଲି କୁହାଯାଉଛି ।

ଏହି ସବୁ ତଥାକଥିତ ସଫଳତା ପିଲା ହାତରେ ଦେବା ପାଇଁ ଛତୁ ଫୁଟିବା ପରି କୋଚିଂ ସେଂଟର ତିଆରି ହୋଇଛି ଓ ସେମାନେ ଅଭିଭାବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି । ଏମିତି ସବୁ କୋଚିଂ ସେଂଟର ଅଛି, ଯେଉଁଠି ସିଟ୍ ଟିଏ ପାଇଗଲେ ଅଭିଭାବକ ଓ ପିଲାମାନଙ୍କୁ କୋଟିନିଧି ପାଇଗଲା ପରି ଲାଗେ । ଯଦି ଗୋଟିଏ ପିଲା ପଢ଼ିବା ବେଳେ ଘରୋଇ କୋଚିଂ ସେଂଟର ମାନଙ୍କରେ ଏତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବ ତେବେ ପଢ଼ି ସାରିବା ପରେ, ସେ ସେସବୁ ଟଙ୍କାକୁ କଡ଼ା ଗଣ୍ଡା କରି ଆଦାୟ କରିବାକୁ ଚାହିଁବ ନାହିଁ କି? ତାହେଲେ ଏହା ଦ୍ୱାରା ପରୋକ୍ଷରେ ପିଲାଟିକୁ ଅନୈତିକ ରାସ୍ତାକୁ ଠେଲିବାକୁ ଏକ ବ୍ୟବସ୍ଥା କରାଯାଉ ନାହଁକି? ଏହି ସବୁ ଟଙ୍କା ଅସୁଲ କରିବା ପାଇଁ ସେ ଯୌତୁକ ପ୍ରଥାକୁ ବଢ଼େଇବ ଓ ବିଭିନ୍ନ ସରକାରୀ ପଦବୀରେ ଥାଇ ଲାଂଚ ନେବ ହିଁ ନେବ ।

ଏଡି ଦୌଡ଼ର ଗୋଟେ ମୁଖ୍ୟ ନିୟମ ହେଉଛି, ତୁମକୁ ସଫଳ ହେବାକୁ ହେଲେ କାହାକୁ ଜଣକୁ ବିଫଳ ହେବାକୁ ହେବ । ତଥ୍ୟ କହୁଛି, ଅନେକ ଆବେଦନକାରୀ ଏହି ରେସ୍‌ରେ ବିଫଳ ହେବେ ହିଁ ହେବେ । କାରଣ ସିଟ୍ ସୀମିତ ଓ ଆବେଦନକାରୀ ଅନେକ । ତାହେଲେ ଏଥିରୁ ଅନୁମେୟ ପ୍ରତିବର୍ଷ ଆମ ଶିକ୍ଷା ବ୍ୟବସ୍ଥାରୁ ଯେତିକି ସଫଳ ପିଲା ବାହାରୁଛନ୍ତି ତା’ଠାରୁ ଅଧିକ ବିଫଳ ପିଲା ବାହାରୁଛନ୍ତି! ତେଣୁ ଏ ପ୍ରକାର ବ୍ୟବସ୍ଥାରେ ଆମେ ସଂଖ୍ୟାଧିକ ପିଲାଙ୍କୁ ସଫଳ କରାଉଛେ ନା ବିଫଳ କରାଉଛେ ! ବିଫଳ ହୋଇଥିବା ପିଲାମାନେ ଜୀବନସାରା ଏକ ହୀନମନ୍ୟତା ମଧ୍ୟରେ କାଳ କାଟିବାକୁ ବାଧ୍ୟ ହେବେ ।

ମୋଟାମୋଟି ଭାବେ ଏହି ବ୍ୟବସ୍ଥାରେ କେହି ବି ବିଜେତା ନୁହନ୍ତି । ସମସ୍ତେ ପରାଜିତ ହେଉଛନ୍ତି । ସମସ୍ତେ ପଛରେ ରହିଗଲା ପରି ହୀନମନ୍ୟତା ଭିତରେ ସବୁବେଳେ ବଂଚୁଥାନ୍ତି । କାରଣ ଯଦି ବୋର୍ଡ଼ ପରୀକ୍ଷାରେ ଜଣଙ୍କର ୯୦% ରହିଲା, ତେବେ ଆଉ ଜଣକର ୯୫% ଅଛି । ଜଣେ ବାଙ୍ଗାଲୋର୍‌ରେ ଆଇଆଇଟି ସିଟ୍ ପାଇଲାନି ବୋଲି ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡ଼ୁଥିବା ବେଳେ, ବାଙ୍ଗାଲୋର୍‌ରେ ଆଇଆଇଟି ପାଇଥିବା ପିଲାଟି ଆମେରିକା ଯାଇପାରିଲା ନାହିଁ ବୋଲି ସବୁ ଦିନ ରାତିରେ ଦୁଃଖରେ ମଦ ପିଉଛି । କାରଣ ଏଥିରେ ପିଲାର ନିଜସ୍ୱ ଆଗ୍ରହ ବୋଲି କିଛି ନାହିଁ । ତେଣୁ ଏ ବ୍ୟବସ୍ଥାରେ ସମୁଦାୟ ଯୁବ ସମାଜ ହିଁ ପରାସ୍ତ ହେବାରେ ଲାଗୁଛି । କେବଳ ବଜାର ଓ ବଜାରବାଦ୍ ହିଁ ଜିତୁଛି । ଅନ୍ୟ ଭାଷାରେ କହିଲେ ସଫଳତାର ଅନ୍ଧ ଦୌଡ଼ ହିଁ ଯୁବକମାନଙ୍କୁ ପରାଜିତ କରିଦେଉଛି ।

ଏହି ଫାଶରୁ ମୁକୁଳିବା ବାସ୍ତବିକ ସହଜ ନୁହେଁ । କାରଣ ବହୁତ ଶୀଘ୍ର ଧନୀ ହେବା ତଥା ଭୋଗବାଦରେ ବୁଡ଼ି ରହିବା ଓ ତଥାକଥିତ ସାମାଜିକ ସମ୍ମାନର ମୁକୁଟ ଯୁବ ମାନସିକତା ଓ ସେମାନଙ୍କର ଅତି ସୁରକ୍ଷାବାଦୀ ଅଭିଭାବକମାନଙ୍କର ମୁଣ୍ଡକୁ ଗ୍ରାସ କରିରହିଛି । ଏହା ଆଜିର ସମାଜରେ ଏକ ଅର୍ଥପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି । ଏହା ଦୃଢ଼ ସତ୍ୟ ଯେ, ମଣିଷର ସୃଜନଶୀଳତା ବିନା କୌଣସି ବି ସାମାଜିକ ପରିବର୍ତନ ସମ୍ଭବ ନୁହେଁ । ସମସ୍ତେ କେବେ ବି ଏକା ପରି ହୋଇପାରିବା ନାହିଁ । ଯଦି ସମସ୍ତେ ଏହି ତଥାକଥିତ ସଫଳତା ପଛରେ ଧାଇଁବେ ତେବେ ଭବିଷ୍ୟତରେ ସଚିନ୍ ତେନ୍ଦୁଲକର, ଲତା ମଙ୍ଗେସ୍‌କର ଓ ଏମ.ଏଫ୍‌. ହୁସେନମାନେ ତ ଆଉ କେବେ ବି ସୃଷ୍ଟି ହେବେ ନାହଁ । ତାହେଲେ ମଣିଷ ମଣିଷ ହେବ ନା ରୋବଟ୍‌!

ତେଣୁ ଯୁବକମାନଙ୍କୁ ମୂଳରୁ ଶିକ୍ଷା ଦେବାକୁ ହେବ ଓ ସେମାନେ ନିଜକୁ ନିଜେ ହୃଦୟଙ୍ଗମ କରିବା ଉଚିତ୍ ଯେ, ଜୀବନରେ ନିଜ ଅନ୍ତଃକରଣର ପୂର୍ଣ୍ଣତା ତଥା ସନ୍ତୁଷ୍ଟି ବ୍ୟତୀତ ଜୀବନରେ ଆଉ କିଛି ବି ସଫଳତାର ମାପଦଣ୍ଡ ନୁହେଁ । ସଫଳତାର ବାହ୍ୟ ମାପଦଣ୍ଡ କିଛି ନାହିଁ । ସଫଳତାର ଅସଲ ଅର୍ଥ ହେଉଛି, ଜୀବନରେ ଯାହା ବି କର, ଚାଷ କର, କି କବିତା ଲେଖ କି ଶିକ୍ଷକ ହୁଅ, ମନ ଭିତରୁ ସନ୍ତୋଷ ପାଇବା ହିଁ ଅସଲ କଥା । ଜଣେ ଅନ୍ୟ ଜଣେ ଭଳି ହେବା ଜମା ବି ଆବଶ୍ୟକ ନାହିଁ । ବଡ଼ ହେବା ଜମା ବି ଆବଶ୍ୟକ ନାହିଁ । ଜଣେ କେବଳ ନିଜ ପରି ହେବ ।

ଦ୍ୱିତୀୟରେ ଆମକୁ ଭିନ୍ନ ଭିନ୍ନ ବୃତି, ଭିନ୍ନ ଭିନ୍ନ ବୁଦ୍ଧିମତା ଆଦିକୁ ପ୍ରୋତ୍ସାହିତ କରିବାକୁ ହେବ । କାରଣ ସମାଜରେ ସବୁ ବୃତିର ଆବଶ୍ୟକତା ଅଛି । ସମାଜରେ ଚିତ୍ରକର, କବି, ବୈଜ୍ଞାନିକ, ଇଞ୍ଜିନିଅର ଓ ଫିଲ୍ମ ନିର୍ମାତା ସମସ୍ତଙ୍କର ଆବଶ୍ୟକତା ଅଛି । ସମସ୍ତଙ୍କୁ ଆଇଆଇଟି ଇଞ୍ଜିନିୟର ହେବା ଜମା ବି ଆବଶ୍ୟକ ନାହିଁ । ଏହା ବରଂ ସମାଜକୁ ପଙ୍ଗୁ ଦିଗକୁ ନେଇଯିବ । ତେଣୁ ସମାଜରେ ବିବିଧତା ନିହାତି ଆବଶ୍ୟକ । ଏହାକୁ ପ୍ରତିଷ୍ଠା କରିବା ପାଇଁ ପ୍ରଥମେ ଆମ ଶିକ୍ଷା ବ୍ୟବସ୍ଥାକୁ ବଜାର କବଳରୁ ମୁକ୍ତ କରିବାକୁ ହେବ । ଶିକ୍ଷକମାନଙ୍କୁ ପିଲାମାନଙ୍କର ନିଜସ୍ୱ ଦକ୍ଷତା ବିଷୟରେ ଚିହ୍ନେଇବାକୁ ହେବ । ତାହା ହିଁ ହେବ ପିଲାମାନଙ୍କର ଅସଲ ଶିକ୍ଷା ।

ତୃତୀୟରେ ଯୁବକମାନଙ୍କୁ ମନରୁ ଭୟ ଛାଡିବାକୁ ହେବ । ଶଗଡ଼ଗୁଳା ବାହାରେ ବି ଚିନ୍ତା କରିବା ପାଇଁ ଓ ସେ ବିଷୟରେ ପରୀକ୍ଷା ନୀରିକ୍ଷା କରିବା ପାଇଁ ଯୁବକମାନେ ନିର୍ଭୟ ହୋଇ ଆଗେଇ ଆସିବାକୁ ହେବ । ଅଭିଭାବକମାନେ ଯଦି ସେମାନଙ୍କ ପିଲାମାନଙ୍କୁ ଏହି ଦିଗରେ ସାହାଯ୍ୟ ନକରିବେ, ତେବେ ସେମାନେ ଅଜାଣତରେ ସେମାନଙ୍କ ପିଲାମାନଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ବୁଝିବାକୁ ହେବ । ସଫଳତା ପାଇବା ନାଁ’ରେ ଆମ ପିଲାମାନେ ଜୀବନର ପରୀକ୍ଷାରେ ଚରମ ବିଫଳତା ପ୍ରାପ୍ତ ହେବେ ।

ଭିରଙ୍ଗ, ତୀରଣ, ଜଗତ୍‌ସିଂହପୁର-୭୫୪୧୩୮

ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.