Latest Odisha News

BREAKING NEWS

ପରୀକ୍ଷାରେ ସ୍ୱଚ୍ଛତା: ମ୍ୟାଟ୍ରିିକ, ଯୁକ୍ତଦୁଇ ଆଡ଼ମିଟ କାର୍ଡ଼ରେ ଆଧାରକାର୍ଡ଼ ହେବ ସଂଯୋଗ !

ଭୁବନେଶ୍ୱର: କପି ରୋକିବା ସହ ପରୀକ୍ଷାରେ ଜାଲ ପରୀକ୍ଷାର୍ଥୀଙ୍କୁ ଧରିବା ଲାଗି ଏଣିକି ଉଭୟ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ଆଡମିଟ୍‌କାର୍ଡରେ ଆଧାରକାର୍ଡ ସଂଯୋଗ କରାଯିବ । ଆଡମିଟ୍‌କାଡରେ ରୋଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ଫଟୋ ସହ ପରୀକ୍ଷାର୍ଥୀଙ୍କ ଆଧାର ନମ୍ବର ବାଧ୍ୟତାମୂଳକ କରାଯିବ । ପ୍ରବେଶ ସମୟରେ ଆଡମିଟ୍‌କାର୍ଡରେ ଥିବା ଆଧାର ନମ୍ବର ଏବଂ ଆଧାର କାଡ୍ ମିଳାଇ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ । ତେବେ ରାଜ୍ୟରେ ପ୍ରଥମଥର ଏଭଳି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି ।

ରାଜ୍ୟ ତଥା ଦେଶରେ ବିଭିନ୍ନ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି । ଅନ୍ୟ ପିଲାଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିବା ଏହି ନକଲି ପରୀକ୍ଷାର୍ଥୀଙ୍କ ଏକ ର‌୍ୟାକେଟ୍ କିଛି ବର୍ଷ ହେବ ସକ୍ରିୟ ହୋଇଉଠିଛି । ତେବେ ଉଭୟ ମାଟ୍ରିକ ଏବଂ +୨ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିବାର ଆଶଙ୍କା କରି ବିଭାଗ ପକ୍ଷରୁ ପ୍ରାକ୍ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଦଶମ କିମ୍ବା ଯୁକ୍ତଦୁଇ ପରୀକ୍ଷାରେ କୌଣସି ନକଲି ପରୀକ୍ଷାର୍ଥୀ ଧରାପଡ଼ିନଥିଲେ ହେଁ ଆଗକୁ ସମସ୍ୟାକୁ ନଜର ଦେଇ ଏପରି ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୂର୍ବରୁ ମାଟ୍ରିକ ପରୀକ୍ଷା ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ +୨ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା । ମାତ୍ର +୨ ଗଣଶିକ୍ଷା ବିଭାଗ ଅଧିନକୁ ଚାଲିଆସିବା ପରେ ରାଜ୍ୟରେ ସ୍କୁଲ ଭଳି ଜୁନିୟର କଲେଜଗୁଡିକର ବିକାଶ ଏବଂ ଶିକ୍ଷାଦାନରେ ଅନେକ ପରିବର୍ତ୍ତନ ଘଟିଛି । ଦଶମ ବୋର୍ଡ ପରୀକ୍ଷା ଏବଂ +୨ ପରୀକ୍ଷାରେ ପାସ୍ ହାର ବୃଦ୍ଧି ସାଙ୍ଗକୁ ଯେପରି ସ୍ୱଚ୍ଛତା ରହିବ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ମାର୍କ ପାଇବେ ସେଥିନେଇ ବିଭାଗ ତତ୍ପର ହୋଇପଡ଼ିଛି । ଗତକିଛି ମାସ ହେବ ଗଣଶିକ୍ଷା ବିଭାଗର କାର୍ଯ୍ୟଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଛି । ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବାର ପ୍ରୟାସ ଏକ ପ୍ରକାର ସଫଳ ହୋଇଥିବା ବେଳେ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି ।
ପ୍ରକାଶଥାଉକି ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ସାଢ଼େତିନି ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷାଦେଉଥିବା ବେଳେ ପ୍ରାୟ ୪ଲକ୍ଷ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଉଛନ୍ତି । ମାଟ୍ରିକ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେବାର ଆଶଙ୍କା ରହିଛି । ସେହିପରି ୨୦୧୪ରୁ +୨ ପରୀକ୍ଷା ପରିଚାଳନାରେ ମଧ୍ୟ ବହୁ ବ୍ୟତିକ୍ରମ ଉପୁଜିଛି । ଏପରି ସମସ୍ୟାର ସମାଧାନ ଲାଗି ଆଡମିଟ୍‌କାର୍ଡରେ ଆଧାର ସଂଯୋଗ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏ ସମ୍ପର୍କରେ ଶିକ୍ଷାବିତ ଆଶୋକ କୁମାର ପାଢ଼ୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜାତୀୟସ୍ତରର ସବୁ ପ୍ରବେଶିକା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ହୋଇଛି । ଏପରିକି ଆଧାର କାର୍ଡ ନଦେଖାଇଲେ ପରୀକ୍ଷାକେନ୍ଦ୍ରକୁ ମଧ୍ୟ ଯିବାକୁ ଅନୁମତି ଦିଆଯାଉନାହିଁ । ଏଭଳି କଡ଼ା କଟକଣା ପରୀକ୍ଷାରେ ସ୍ୱଚ୍ଛତା ଆଣିବାରେ ବେଶ ସହାୟକ ହୋଇପାରିବ । ରାଜ୍ୟରେ ପ୍ରାୟ ୫୮ହଜାର ୮୯ଟି ସେକେଣ୍ଡାରୀ ସ୍କୁଲ ଥିବାବେଳେ କେବଳ ୯୮୭୨ଟି ମାଧ୍ୟମିକ ସ୍କୁଲ ରହିଛି । ସେହିପରି ୧୬୮୦ଟି ଜୁନିୟର କଲେଜ ରହିଛି । ପ୍ରତିବର୍ଷ ଯେତିକି ସ୍କୁଲରେ ମାଟ୍ରିକ ପରୀକ୍ଷା ହେଉଛି ସେଥିରୁ ୩୮ପ୍ରତିଶତ ସ୍କୁଲରେ ଭିତ୍ତିଭୂମି ଆଶିକ ଖରାପ ଥିବା ବେଳେ ୧୧ପ୍ରତିଶତ ସ୍କୁଲରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ରହିଥାଏ । ସେହିପରି ଯୁକ୍ତଦୁଇ ପରୀକ୍ଷାରେ ପ୍ରତିବର୍ଷ ପ୍ରାୟ ହଜାର କେନ୍ଦ୍ରରେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ସେଥିରୁ ୮ପ୍ରତିଶତ କଲେଜରେ ଢ଼ିଲା ବ୍ୟବସ୍ଥା ଥିବା ଜଣାପଡ଼ିଛି ।

ତେଣୁ ଏହି ଢ଼ିଲା ବ୍ୟବସ୍ଥା ଥିବା ସ୍କୁଲ ଏବଂ କଲେଜଗୁଡିକରେ ନକଲି ପରୀକ୍ଷାର୍ଥୀ ଏହାର ସୁଯୋଗ ନେବାର ଆଶଙ୍କା ରହିଛି ।
ରାଜ୍ୟରେ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ପରୀକ୍ଷାରେ ଆଧାରକାର୍ଡ ସଂଯୋଗ ବ୍ୟବସ୍ଥା ଥିବା ବେଳେ ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ମାଟ୍ରିକ କିମ୍ବା +୨ ପରୀକ୍ଷାରେ ଆଧାର ଲିଙ୍କ୍ ହେଉନଥିଲା । ଅନେକ ପରୀକ୍ଷାକେନ୍ଦ୍ରରେ ସିସି ଟିଭି ନଥିବାରୁ ନକଲି ପରୀକ୍ଷାର୍ଥୀ ଏହାର ସୁଯୋଗ ନେଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏହାବ୍ୟତୀତ ସ୍କୁଲ ସ୍ତରରେ ସବୁ ପିଲାଙ୍କର ଆଧାର ସଂଯୋଗ ହୋଇଥିବାରୁ ଆଡମିଟ୍ କାର୍ଡରେ ଆଧାର ନମ୍ବର ଲାଗି କୌଣସି ସମସ୍ୟା ହେବ ନାହିଁ । କେବଳ ପିଲାମାନେ ଆଡମିଟ୍ କାର୍ଡ ସହ ଆଧାର କାର୍ଡ ସାଙ୍ଗରେ ନେଇ ପରୀକ୍ଷାକେନ୍ଦ୍ରକୁ ଯିବାକୁ ପଡ଼ିବ ।

Leave A Reply

Your email address will not be published.