Latest Odisha News

ଚାକିରୀରୁ ହଟିପାରନ୍ତି ସ୍କୁଲ ଶିକ୍ଷକ; ମାସକୁ ୨ଥର ହେବ ପ୍ରତିସ୍କୁଲର ଅନଲାଇନ୍ ମନିଟରିଂ !

ଭୁବନେଶ୍ୱର: ଏବେ ଆକ୍ସନମୁଡରେ ରହିଛି ସ୍କୁଲ ଓ ଗଣାିକ୍ଷା ବିଭାଗ । କୌଣସି ଅବ୍ୟବସ୍ଥାକୁ ଆଉ ପରଦାସ୍ତ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଚରମବାଣୀ ଶୁଣାଇଛନ୍ତି । ଫଳସ୍ୱରୂପ ସରକାରଙ୍କୁ ଠକିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଶିକ୍ଷକଙ୍କୁ ସିଧାସଳଖ ଚାକିରିରୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି । ବଦଳି ଲାଗି କିଛି ଶିକ୍ଷକ ନିଜକୁ ମେଣ୍ଟାଲ ଦର୍ଶାଇଥିବା ବେଳେ ସରକାରି ନିୟମ କାନୁନ୍‌କୁ ଏମାନେ କିଭଳି ପାଳନ କରୁଥିବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଚାକିରୀ ବଞ୍ଚାଇବା ଲାଗି ଅନେକ ଜିଲ୍ଲାରେ ସ୍କୁଲ ଶିକ୍ଷକମାନେ ସରକାରଙ୍କୁ ଭୂଲ ତଥ୍ୟ ଦେଉଥିବା ମଧ୍ୟ ସାମ୍ନାକୁ ଆସୁଛି । ଶିକ୍ଷକଙ୍କ ସାର୍ଟିଫିକେଟିରେ ତ୍ରୁଟି, ଶିକ୍ଷାଦାନ ଲାଗି ଆବଶ୍ୟକ ଦକ୍ଷତାର ଅଭାବ, ସ୍କୁଲରେ ଅଳ୍ପ ପିଲାଙ୍କୁ ଅଧିକ ସଂଖ୍ୟା ଦର୍ଶାଇବା ଆଦି ବହୁ ତଥ୍ୟରେ ତାଳମେଳ ନଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାଣିବାକୁ ପାଇଛି । ତେଣୁ ବିଭାଗରେ ପରିବର୍ତ୍ତନ ଆଣଇବା ସହ ସ୍ୱଚ୍ଛତା ବଜାୟ ରଖିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଯେଉଁ ଶିକ୍ଷକ, ବା ପ୍ରଧାନଶିକ୍ଷକ ସରକାରଙ୍କୁ ଭୁଲ ତଥ୍ୟ ଦେଇ ଠକିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚାକିରିରୁ ହଟାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେଣୁ ଏଣିକି ମାସକୁ ରାଜ୍ୟର ସବୁ ସ୍କୁଲରେ ୨ଥର ଲେଖାଏଁ ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ କରାଯିବ । ଯାହାର ସିଧାସଳଖ ରିପୋର୍ଟ ବିଭାଗ ପାଖରେ ରହିବ । ପୂର୍ବରୁ ଭୁଲ ତଥ୍ୟ ଦେଇଥିବା କିମ୍ବା ସରକାରଙ୍କ ନିୟମକୁ ଅବମାନନା କରୁଥିବା ଜଣାପଡ଼େ ତେବେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଜ୍ୟରେ ଶିକ୍ଷାବ୍ୟବସ୍ଥାରେ ସର୍ବାଧିକ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ ବ୍ୟବସ୍ଥା । ଅନ୍‌ଲାଇନ୍ ମନିଟରିଂ ଯାଞ୍ଚ ବ୍ୟବସ୍ଥା ମାସକୁ ଥରେ କିମ୍ବା ୩ମାସରେ ଥରେ କରାଯାଉôତବା ବେଳେ ଏଣିକି ମାସିକ ୨ଥର ଲେଖାଏଁ ଯାଞ୍ଚ କରାଯିବ । ଏହି ଯାଞ୍ଚ ୍ ବ୍ୟବସ୍ଥାରେ ବିଇଓ, ଡିଇଓ, ସିଆର୍‌ସିସିଙ୍କୁ ସାମିଲ କରାଯାଇଛି । ସେମାନେ ସିଧାସଳଖ ସେମାନଙ୍କ ମୋବାଇଲରେ ସ୍କୁଲ ମନିଟରିଂ ଆପ୍‌ସ ବ୍ୟବସ୍ଥାରେ ସ୍କୁଲର ସବିଶେଷ ତଥ୍ୟ ସରକାରଙ୍କୁ ଜଣାଇବେ । ବିଶେଷକରି ସ୍କୁଲରେ ଉଜ୍ୱଳ-ଉତ୍‌ଥାନ କାର୍ଯ୍ୟକ୍ରମ, ଶିକ୍ଷକଙ୍କ ଶିକ୍ଷାଦାନ ଦକ୍ଷତା, ଏକାଡେମିକ୍ ପର୍‌ଫର୍‌ମାନ୍ସ, ଆକ୍‌ସେସ୍ ଆଣ୍ଡ ଟ୍ରାଞ୍ଜିସନ୍‌, ଭିତ୍ତିଭୁମି ଏବଂ ଅନ୍ୟାନ୍ୟ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ଅଧିକାରୀମାନେ ମୋବାଇଲରେ ଦାଖଲ କରିବେ ।

ଏହାର ଲିଙ୍କ ୟୁଡାଇସ୍ ଏବଂ ବିଭାଗର ତଦାରଖ କମିଟି ପାଖରେ ରହିବ । ଯେଉଁ ସ୍କୁଲରେ ରିପୋର୍ଟ ପ୍ରସ୍ତୁତ କରାଯିବ ତାହାର ସିଧାସଳଖ ରିପୋର୍ଟ ବିଭାଗକୁ ହସ୍ତଗତ ହେବ । ଫଳରେ ରିପୋର୍ଟରେ ତ୍ରୁଟି କିମ୍ବା ପ୍ରିୟାପ୍ରିତିରେ ସୁହାଇବା ଭଳି ରିପୋର୍ଟ ଆଉ ପ୍ରସ୍ତୁତ ହୋଇପାରିବ ନାହିଁ । ପ୍ରତିମାସର ପ୍ରଥମ ସପ୍ତାହ ଏବଂ ଶେଷ ସପ୍ତାହରେ ଏହି ଯାଞ୍ଚ କରାଯିବ । ରିପୋର୍ଟରେ ବ୍ୟବସ୍ଥାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡିକର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ପୂର୍ବରୁ ଯଦି କୌଣସି ଶିକ୍ଷକ ଭୁଲ ରିପୋର୍ଟ ପ୍ରଦାନ କରିଥିବା ଜଣାପଡେ ତେବେ ସମ୍ପୃକ୍ତ ଶିକ୍ଷକଙ୍କଚାକିରି ହରାଇବାର ସମ୍ଭାବନା ମଧ୍ୟ ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଅନେକ ସମୟରେ ରାଜ୍ୟର କିଛି ବ୍ଲକରେ ସ୍କୁଲ ପରିଦର୍ଶରେ ଯାଉଥିବା ଅଧିକାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକଙ୍କ ମଧ୍ୟରେ ସଲାସୁତରା କରି ରିପୋର୍ଟରେ ଭୁଲ ତଥ୍ୟ ପ୍ରଦାନ କରିଥାନ୍ତି । ଫଳରେ ରାଜ୍ୟର କେଉଁ ସ୍କୁଲରେ କ’ଣ ସବୁ ସମସ୍ୟା ରହିଛି ତାହା ସ୍ପଷ୍ଟ ହୋଇପାରୁନଥିଲା । ଏହାବ୍ୟତୀତ ଏପରି ସମସ୍ୟା ଲାଗି ମଧ୍ୟାହ୍ନ ଭୋଜନ, ପୋଷାକ, ମାଗଣା ପାଠ୍ୟପୁସ୍ତକ ଆଦି ସବୁଥିରେ ଦୁର୍ନିତି ହେଉଥିବା ଅଭିଯୋଗ ହେଉଛି । ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା କେଉଁ ସ୍କୁଲରେ କେତେ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ତା’ର ମଧ୍ୟ ସଠିକ ତଥ୍ୟ କାହାରି ପାଖରେ ନାହିଁ ।

ବିଶେଷକରି ରାଜ୍ୟରେ ସ୍କୁଲ ମିଶ୍ରଣ ପ୍ର୍ରକ୍ରିୟା କାର୍ଯ୍ୟକାରୀ ହେବା ପରେ ଅନେକ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହଁନ୍ତି । ଏହାବ୍ୟତୀତ କେଉଁ ସବୁ ସ୍କୁଲରେ ମୌଳିକ ସୁବିଧା ଏବଂ ଉନ୍ନତ ଭିତ୍ତିଭୂମି ନାହିଁ ସେ ସବୁ ତଥ୍ୟ ସଂଗ୍ରହ କରିବାକୁ ସରକାର ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିବାକୁ ନିଷପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ପୂଜାଛୁଟି ପର ଠାରୁ ଆରମ୍ଭ ହେବ ।

Leave A Reply

Your email address will not be published.