Latest Odisha News

BREAKING NEWS

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା’ର ରୂପର ପସରା ମେଲାଇ ଦେଇଥାଏ ।

ମାଆଙ୍କ ଆଗମନ ପାଇଁ ଶରତ ଋତୁର ଶୁଭ୍ରତାରେ ଧରିଣୀ ରାଣୀ ବିଛାଇ ଦିଏ କାଶତାଣ୍ଡି ଫୁଲର ଗାଲିଚା । ଚାରିଲୋକରୁ ଭାସିଆସେ ଜଗତଜନନୀଙ୍କ ଜୟ ଜୟକାର ନାଦ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଖୁସି ଓ ଆନନ୍ଦର ମାହୋଲ ମଧ୍ୟରେ ଏମିତି ମଧ୍ୟ କିଛି ସ୍ଥାନ ଅଛି ଯେଉଁଠି ଦଶହରାକୁ ଖୁସି ବଦଳରେ ଶୋକରେ ପାଳନ କରାଯାଏ । ସବୁଆଡେ ନବରାତ୍ରିଠାରୁ ମାଆଙ୍କ ଉପାସନା ଆରମ୍ଭ ହେଉଥିବା ବେଳେ ଭାରତର କିଛି ସ୍ଥାନରେ ନବରାତ୍ରି ଠାରୁ ଶୋକ ପାଳନ ଆରମ୍ଭ ହୋଇଥାଏ । ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପୌରାଣିକ କଥା ଅନୁଯାୟୀ ମାଆ ଦୁର୍ଗା ଦୁଷ୍ଟ ଅସୁର ମହିଷାସୁରକୁ ବଦ୍ଧ କରିଥିଲେ । ତେବେ କେତେକ ଆଦିବାସୀ ସମ୍ପ୍ରଦାୟ ମହିଷାସୁରକୁ ନିଜ ପୂର୍ବପୁରୁଷ ବୋଲି ମାନିଥାନ୍ତି । ତେଣୁ ସେମାନେ ମହିଷାସୁରକୁ ବଦ୍ଧ କରାଯିବା ନେଇ ଶୋକ ପାଳନ କରନ୍ତି ।

ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶାର କେତେକ ଆଦିବାସୀ ଅଞ୍ଚଳରେ ମହିଷାସୁରକୁ ନିଜ ପୂର୍ବପୁରୁଷ ବୋଲି ମାନି ତାଙ୍କ ପୂଜା କରିଥାନ୍ତି କିଛି ଆଦିବାସୀ ସମ୍ପ୍ରଦାୟ । ଦେବୀ ଦୁର୍ଗା ଛଳରେ ମହିଷାସୁରର ବଦ୍ଧ କରିଦେଇଥିବା ସେମାନେ ବିଶ୍ବାସ କରନ୍ତି ।

ତେବେ ଝାଡ଼ଖଣ୍ଡର ଗୁମଲା ପାହାଡ଼ରେ ରହୁଥିବା ଅସୁର ଜନଜାତିର ଲୋକେ ଏବଂ ସିଂହଭୂମ ଅଞ୍ଚଳର କେତେକ ଜନଜାତି ଏହି ବିଶ୍ୱାସରେ ନବରାତ୍ରି ଅବସରରେ ମହିଷାସୁରର ପ୍ରଣାବଳି ଦିବସ ପାଳନ କରନ୍ତି । ପଶ୍ଚିମବଙ୍ଗର କାଶୀପୁର ଅଞ୍ଚଳରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟ ମହିଷାସୁରର ବଳିଦାନ ଦିବସ ପାଳନ କରିଥାନ୍ତି । ଦଶଦିନ ଯାଏଁ ସେମାନେ ଶୋକ ପାଳିବା ସହ କୌଣସି ଉତ୍ସବ କିମ୍ବା ସ୍ୱତନ୍ତ୍ର ଖାଦ୍ୟପେୟ ଗ୍ରହଣ କରନ୍ତି ନାହିଁ ।

ଆଦିବାସୀଙ୍କ କହିବା ଅନୁଯାୟୀ ମହିଷାସୁରର ଅସଲନାମ ‘ହୁଡୁର ଦୁର୍ଗା’ । ସେ ଜଣେ ବୀର ଯୋଦ୍ଧା ଥିଲେ ଏବଂ ନାରୀ ମାନଙ୍କ ଉପରକୁ ଅସ୍ତ୍ର ଉଠାଉ ନଥିଲେ । ତେବେ ଦେବ-ରାକ୍ଷସ ଯୁଦ୍ଧରେ ଦେବତା ମାନେ ଛଳରେ ଦେବୀ ଦୁର୍ଗାଙ୍କୁ ସାମ୍ନାକୁ ଆଣି ଯୁଦ୍ଧ କଲେ । ନାରୀଙ୍କ ଉପରକୁ ଅସ୍ତ୍ର ଉଠାଉନଥିବା କାରଣରୁ ଦୁର୍ଗା ଛଳରେ ମହିଷାସୁରର ବଦ୍ଧ କରିଥିଲେ । ଏବେବି ସେମାନେ ନିଜ ପିଲାଙ୍କୁ ମହିଷାସୁର ତାଙ୍କ ପୂର୍ବଜ ଓ ସେ ଜଣେ ବୀର ଯୋଦ୍ଧା ବୋଲି ପରିଚିତ କରାନ୍ତି ।

ସେହିଭଳି ପଶ୍ଚିମବଙ୍ଗରେ ବଡ ଧୁମଧାମରେ ଦୁର୍ଗାପୂଜା ପାଳନ ହେଉଥିବା ବେଳେ ଜଲପାଇଗୁଡିର ଅଲିପୁର ଦୁଆର ନିକଟସ୍ଥ ଏକ ଚା’ ବଗିଚା ପାଖରେ ରହୁଥିବା ଜନଜାତିମାନେ ମହିଷାସୁରକୁ ନିଜର ପୂର୍ବପୁରୁଷ ମାନି ନବରାତ୍ରିରେ ଶୋକ ପାଳନ କରନ୍ତି । ଏହି ଜନଜାତିର ପିଲାମାନେ ମାଟିରେ ତିଆରି ସିଂହର ତଣ୍ଟି ମୋଡି, ମୁଣ୍ଡ କାଟି ଖେଳନ୍ତୁ । ଯେହେତୁ ମାଆ ଦୁର୍ଗାଙ୍କ ବାହନ ସିଂହ, ସେଥିପାଇଁ ଅସୁର ଜନଜାତିର ଲୋକେ ସିଂହକୁ ଘୃଣା କରନ୍ତି ।

Leave A Reply

Your email address will not be published.