କିଏ ଏହି ଅଭୟ ସିଂ, ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଏତେ ପ୍ରବଳ ଚର୍ଚ୍ଚା? ତାଙ୍କ ମୃତ୍ୟୁ ପରେ ସେ ଯେମିତି ଅଧିକ ପାଣବନ୍ତ ଓ ପ୍ରତିଷ୍ଠିତ ହୋଇ ପଡିଛନ୍ତି!! ତାଙ୍କୁ ନେଇ ଅନେକ ମତ, ଅନେକ ଚର୍ଚ୍ଚା ଓ ଅନେକ ଗପ। ତେବେ ଅସଲ ଅଭୟ ସିଂଙ୍କୁ ଜାଣିଥିବା ଲୋକ, ଗୋଟିଏ କଥା ଜାଣେ ଯେ, ତାଙ୍କୁ ଜାଣିବା ଆଦୌ ସହଜ ନୁହେଁ। ସେ ଗୋଟେ ଅଲଗା ଗ୍ରହର ମଣିଷ। ତାଙ୍କୁ ଏ ପୃଥିବୀ ସବୁବେଳେ ବିଦେଶ ଭଳି ଲାଗିଛି। ସେ ଜୀବନ ତମାମ ଗୋଟେ ରହସ୍ୟମୟ ସତ୍ୟକୁ ଖୋଜିଛନ୍ତି ଓ ସେଇ ରହସ୍ୟ ବିଷୟରେ ଲେଖିଛନ୍ତି। ପ୍ରକୃତି ଓ ପ୍ରତିବାଦ- ଏ ଦୁଇଟି ବିଷୟ, ତାଙ୍କର ସବୁଠୁ ପ୍ରିୟ। ସେ ଓଡିଶାର ବହୁ ଜନ ଆନ୍ଦୋଳନ ଓ ପରିବେଶ ସୁରକ୍ଷା ସଂଘର୍ଷ ର ରିପୋର୍ଟିଂ କରିଛନ୍ତି। ତା ସହିତ, ସବୁ ଆନ୍ଦୋଳନକୁ ଟିକେ ଟିକେ ସନ୍ଦେହ ମଧ୍ୟ କରିଛନ୍ତି। ସବୁ ଆନ୍ଦୋଳନକାରୀ ତାଙ୍କର ବନ୍ଧୁ, ହେଲେ ସବୁ ଆନ୍ଦୋଳନକାରୀ ସହିତ ତାଙ୍କର ଟିକେ ଟିକେ ମନାନ୍ତର ଘଟିଛି। ସେ ନିଜ ପାଇଁ ଗୋଟେ ଯାଯାବର ଜୀବନ ବାଛିଛନ୍ତି। ଜରା ନିବାସରେ ତାଙ୍କର ଶେଷ ଜୀବନ ବିତିବାକୁ ନେଇ, ଆମେ ସମସ୍ତେ କଷ୍ଟ ପାଇଛୁ। ହେଲେ, ସେ ଜୀବନ ଅଭୟ ସିଂଙ୍କର ନିଜସ୍ଵ। ସେ କୌଣସି ବନ୍ଧନରେ ପଡିବା ଲୋକ ନୁହନ୍ତି। ଏପରିକି ପରିବାର ଓ ବୃତ୍ତି, କାହା ବନ୍ଧନରେ ସେ କେବେ ପଡିନାହାନ୍ତି।
ଅଭୟ ସିଂଙ୍କର ସବୁଠୁ ବଡ ପରିଚୟ ହେଉଛି, ସେ ଥିଲେ ଓଡିଶାର ସବୁଠୁ ଅଧିକ ଚର୍ଚ୍ଚିତ ଫିଚରଧର୍ମୀ ପତ୍ରିକା “ସଚିତ୍ର ବିଜୟା” ର ପ୍ରତିଷ୍ଠାତା ସମ୍ପାଦକ। ମାଡ୍ରାସର ପ୍ରସିଦ୍ଧ ଚନ୍ଦାମାମା ପ୍ରକାଶନ ଦ୍ଵାରା ନବେ ଦଶକରେ ପ୍ରକାଶ ପାଇଥିବା ଏ ପତ୍ରିକା ଏକ ପ୍ରକାର ଚମକପ୍ରଦ ବିସ୍ମୟ ଥିଲା। ଇଣ୍ଟରନେଟ ଆସିବାର ଠିକ ଆଗରୁ, ଏ ପତ୍ରିକା ପ୍ରତ୍ୟେକ ସଚେତନ ଓଡିଆ ପାଠକର ଅତ୍ୟନ୍ତ ପ୍ରିୟ ପତ୍ରିକା ପାଲଟି ଯାଇଥିଲା। ଅଭୟ ସିଂଙ୍କ ସମ୍ପାଦନାରେ ସେତେବେଳେ ଏ ପତ୍ରିକାର ଆଙ୍ଗିକ ଏବଂ ଆତ୍ମିକ ଚେହେରା ଥିଲା ଅନନ୍ୟ। ପ୍ରତ୍ୟେକ ସଂଖ୍ୟାରେ ଓଡିଶାର ସଂସ୍କୃତି, ସମାଜ, ସାହିତ୍ୟ, ପରମ୍ପରା ଓ ଲୋକ ଜୀବନକୁ ନେଇ ଅତି ଚମତ୍କାର ଫିଚର ସବୁ ଏହି ପତ୍ରିକାରେ ପ୍ରକାଶ ପାଉଥିଲା।
ଅଭୟ ସିଂ ତାଙ୍କ ସମ୍ପାଦନାରେ ଗୋଟେ ଅଭିନବ ଦିଗନ୍ତ ଉନ୍ମୋଚନ କରିଥିଲେ। ପତ୍ରିକା କେବଳ ସର୍ଜନଶୀଳ ସାହିତ୍ୟ ବା ଅଣ-ରାଜନୈତିକ ବିଷୟ ଉପରେ ଠିଆ ହୋଇପାରିବ ନାହିଁ, ବରଂ ଗୋଟେ ସାଂସ୍କୃତିକ ପତ୍ରିକାର ରାଜନୈତିକ ପୃଷ୍ଠଭୂମି ରହିବା ଜରୁରୀ ବୋଲି ସେ ଜାଣିଥିଲେ। ତେଣୁ “ସଚିତ୍ର ବିଜୟା” ରେ ନବେ ଦଶକର ବହୁ ଗଣ ଆନ୍ଦୋଳନ ର ଚିତ୍ର ଆମେ ଦେଖୁଥିଲୁ। ଓଡିଶାର ସମାଜବାଦୀ ଆଂଦୋଳନର ଶେଷ ସାରଥି କିଶନ ପଟ୍ଟନାୟକ, ବାଙ୍କବିହାରୀ ଦାସ, ରବି ରାୟ, ଗାନ୍ଧୀ ବିଚାରର ପ୍ରତିନିଧି ବିଶ୍ଵନାଥ ପଟ୍ଟନାୟକ, ରତନ ଦାସ, ଶାନ୍ତି ଦେବୀ, ପାର୍ବତୀ ଗିରି, ଅଲେଖ ଚରଣ ପାତ୍ର ପ୍ରମୁଖ “ସଚିତ୍ର ବିଜୟା” ର ପ୍ରମୁଖ ବ୍ୟକ୍ତିତ୍ବ ଥିଲେ। ଯେଉଁମାନଙ୍କ ବିଷୟରେ କେହି ଲେଖନ୍ତି ନାହିଁ, ସେମାନଙ୍କ ବିଷୟରେ ଲେଖିବାର ଏକ ବିରଳ ସାହସ ତାଙ୍କର ରହିଥିଲା। ତାଙ୍କର ଏହି ବିରଳ ସାହସ ତାଙ୍କୁ ଅସୁବିଧାରେ ବି ପକାଇଥିଲା।
ସେ “ସଚିତ୍ର ବିଜୟା”, ସେତେବେଳେ ଛାଡିଲେ, ଯେତେବେଳେ ଏହି ପତ୍ରିକା ଲୋକପ୍ରିୟତାର ଶିଖରରେ ରହିଥିଲା। ପ୍ରାୟ ଲକ୍ଷାଧିକ ସଂଖ୍ୟା ବିକ୍ରି ହେଉଥିବା ଗୋଟେ ପତ୍ରିକାର ସମ୍ପାଦକ ହଠାତ ତାକୁ ଛାଡିବା ପଛରେ ଏହି ବିରଳ ସାହସ ହିଁ ଦାୟୀ। ଅଭୟ ସିଂ ସବୁବେଳେ ଅନମନୀୟ। ସେ ଯାହା ବୁଝିଥିବେ, ସେଇଆ। ସବୁ କଥାରେ ଏକଜିଦିଆ, ଏକଶିଙ୍ଗିଆ ଆଉ ଏକବାଗିଆ। ନିଜ କଥା ନ ରହିବାରୁ, ସେ ଗୋଟେ ମୁହୂର୍ତ୍ତରେ ନିଜର ଇସ୍ତଫାପାତ୍ର ଫୋପାଡି ଚାଲି ଆସିଥିଲେ। ସେ ଗଲାପରେ, “ସଚିତ୍ର ବିଜୟା”ର ଚମକ ମଧ୍ୟ କମିଗଲା। (ଦୁର୍ଭାଗ୍ୟକ୍ରମେ, ୨୦୧୨ରେ ଏହି ପତ୍ରିକା ବନ୍ଦ ହେବା ବେଳକୁ ମୁଁ ଥିଲି ତାର ଶେଷ ସମ୍ପାଦକ)
ଓଡିଆ ପତ୍ରପତ୍ରିକା ଜଗତରେ ଅନେକ ନୂଆକଥା ଘଟିଛି ଓ ଘଟୁଛି, ହେଲେ “ସଚିତ୍ର ବିଜୟା” ଭଳି ଏକ ସଫଳ କାହାଣୀ କଦାଚିତ ଘଟିଥାଏ। ଅଭୟ ସିଂଙ୍କର ପତ୍ରିକା ସମ୍ପାଦନାର କାହାଣୀ ଅନେକ ସମୟରେ ଅବିଶ୍ଵାସ୍ୟ ଲାଗିପାରେ। ଗୋଟେ ଫଟୋ ଯୋଗାଡ କରିବାକୁ ସେ ମାଇଲ ମାଇଲ ଚାଲିକି ଯିବା ମୁଁ ଦେଖିଛି। ଏକଦା ମୁଁ ତାଙ୍କୁ କହିଥିଲି, ଆପଣ ଗୁଗୁଲ ରୁ ଫଟୋ ଖୋଜୁ ନାହାନ୍ତି କାହିଁକି। କଡା ନଜରରେ ତାଗିଦ କରି ସେ ମୋତେ କହିଥିଲେ, ଇଣ୍ଟରନେଟ ହେଉଛି ମଣିଷ ବିରୋଧରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ସବୁଠୁ ବଡ ଷଡଯନ୍ତ୍ର। ସେ ଯାହା କହିଥିଲେ, ତାହା ଯେ ଆଂଶିକ ସତ୍ୟ ଏବେ ତାହା କ୍ରମଶଃ ପ୍ରମାଣିତ ହେଉଛି।
ସାମାଜିକ ସଙ୍କଟ ଓ ଆଧ୍ୟାତ୍ମିକ ଅନ୍ଵେଷଣ, ଏହି ଦୁଇଟି ବିନ୍ଦୁ ଉପରେ ସେ ନିଜର ଜୀବନକୁ ବାଣ୍ଟିଥିଲେ। ଗୋଟେ ପକ୍ଷରେ ଗାନ୍ଧୀ-ଲୋହିଆ-କିଶନ ପଟ୍ଟନାୟକ ଓ ଅପର ପକ୍ଷରେ ଶ୍ରୀ ଅରବିନ୍ଦ, ବିବେକାନନ୍ଦ ଓ ରମଣ ମହର୍ଷି। ଗୋଟେ ଅଦ୍ଭୁତ ବନ୍ଧନୀରେ ସେ ନିଜର ବୌଦ୍ଧିକ ଜୀବନ ବଞ୍ଚିଥିଲେ। ଅଭୟ ସିଂଙ୍କର ଅନ୍ୟ କିଛି ପରିଚୟ ଅପେକ୍ଷା, ତାଙ୍କୁ ଜଣେ ଯାଯାବର ସଂସାରୀ ତଥା ସଂସାରମଗ୍ନ ସନ୍ୟାସୀ ବୋଲି କହିବା ଯଥାର୍ଥ ହେବ।
Comments are closed.