Latest Odisha News

BREAKING NEWS

କ୍ଷମା ମାଗିଲେ ଅଭିଜିତ ଆୟାର ମିତ୍ର, ଓଡ଼ିଶା ବାଚସ୍ପତିଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ତଥା ଓଡ଼ିଶା ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇ ହଟଚମଟ ସୃଷ୍ଟି କରିଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଏନେଇ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ କ୍ଷମା ମାଗିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପ୍ରତିରକ୍ଷା ବିଶେଷଜ୍ଞ ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଏନେଇ ଗୁରୁବାର ଦିନ ଏକ କ୍ଷମାପତ୍ର ବିଧାନସଭାର ବାଚସ୍ପତିଙ୍କ ସଚିବଙ୍କ ନିକଟକୁ ପଠାଇଛନ୍ତି ।

ଗୁରୁବାର ଦିନ ବିଧାନସଭା ଗୃହ କମିଟି ନିକଟରେ ଅଭିଜିତ ଏହି ମାମଲାରେ ହାଜର ହେବାକୁ ନୋଟିସ ପାଇଥିଲେ ।

ଓଡ଼ିଶା ବିଧାନସଭାର କକ୍ଷରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ନିକଟରେ ଗୁରୁବାର ଦିନ ୧୦.୩୦ ସମୟରେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ହାଜର ହେବାର ଧାର୍ଯ୍ୟ ହୋଇଥିଲା । କିନ୍ତୁ ନିଜେ ଏହି କମିଟି ଆଗରେ ହାଜର ନ’ହୋଇ ଅଭିଜିତ ପତ୍ର ମାଧ୍ୟମେରେ ନିଜର କ୍ଷମା ପ୍ରାର୍ଥନା କରିଥିବାର ସୂଚନା ମିଳିଛି ।

ଏହି ପରିପ୍ରେକ୍ଷୀରେ ଆଗାମୀ କାର୍ଯ୍ୟାନୁଷ୍ଠାନ କ’ଣ ହେବ ସେନେଇ ପ୍ରଶ୍ନର ଉତ୍ତର ଦେଇ ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, “ଏସମ୍ପର୍କରେ ଗୃହ କମିଟି ଖୁବ୍ ଶିଘ୍ର ନିଷ୍ପତ୍ତି ନେବ” ।

ଏଠାରେ ସୂଚନାଯୋଗ୍ୟ, ଗତ ମୌସୁମୀ ବର୍ଷା ଅଧିବେସନର ଅନ୍ତିମ ଦିବସ ଅର୍ଥାତ ସେପ୍ଟେମ୍ବର ୨୦ ତାରିଖ ଦିନ ବାଚସ୍ପତି ପ୍ରଦୀପ ଅମାତ ଏହି ବିଷୟର ତଦନ୍ତ କରିବା ନେଇ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଗୃହ କମିଟି ଗଠନ କରିଥିଲେ । ଏହି ଗୃହ କମିଟିରେ ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସମେତ, ଦେବୀ ପ୍ରସାଦ ମିଶ୍ର, କେ ଭି ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଂଜୟ ଦାସବର୍ମା ଅନ୍ୟ ସଦସ୍ୟ ଭାବେ ରହିଥିଲେ ।

ତେବେ ଏସମ୍ପର୍କରେ ଗୃହ କମିଟି ତାହାର ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭାର ଆସନ୍ତା ଅଧିବେଶସନର ପ୍ରଥମ ଦିନରେ ହିଁ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଏହାକି, ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓ ତାଙ୍କ ବନ୍ଧୁ ଆରତୀ ଟିକ୍କୋ ସିଂହ କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ହେଲିକପ୍ଟର ଯୋଗେ ପୁରୀ ଓ କୋଣାର୍କ ଆକାଶରେ ବୁଲାବୁଲି କରିଥିଲେ । ଏହି ସମୟରେ କୋଣାର୍କ ମନ୍ଦିରର ଭିଡ଼ିଓ ଚିତ୍ର ଉତ୍ତୋଳନ କରି ଏଥିରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ଟିପ୍ପଣୀ ଦେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ଅଭିଜିତ ।

Leave A Reply

Your email address will not be published.