Latest Odisha News

BREAKING NEWS

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା ରୋଗୀଙ୍କ ପାଇଁ ଡାକ୍ତରଖାନା ପହଂଚିବା ଦୁଃସ୍ୱପ୍ନ ପାଲଟିଛି ।

ସାମାନ୍ୟ ବର୍ଷାମାଡରେ ବେହାଲ୍ ରାସ୍ତା । ସ୍ୱାଭିମାନ ଅଂଚଳରେ ଦୀର୍ଘ ୩ କି.ମି ଷ୍ଟ୍ରେଚର୍‌ରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ସ୍ଥିତିକୁ ନେଇ ଚର୍ଚ୍ଚାକୁ ଆସିଛି କୁନିଗୁଡା ଗାଁ । ଏହି ଗାଁର ଗଣେଶ ପାଙ୍ଗି ଦୁଇଦିନ ହେଲା ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗଣେଷଙ୍କ ପରିବାର ଲୋକେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଲାଗି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଖବର ପାଇ ଗଣେଶ ପାଙ୍ଗିଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ତୁରନ୍ତ ବାହାରିଥିଲା । ହେଲେ କାଦୁଅ ପଚପଚ ରାସ୍ତା ପାଇଁ ଆମ୍ୱୁଲାନ୍ସ କୁନିଗୁଡା ଗାଁରୁ ୩ କି.ମି ଦୂରରେ ଅଟକିବାକୁ ବାଧ୍ୟ ହୋଇଥିଲା । ପରେ ଗଣେଷଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ଷ୍ଟ୍ରେଚର୍‌ରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣି ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇଥିଲେ ।

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ରାସ୍ତା କାମ ମନ୍ଥ୍ରର ଗତିରେ ଚାଲିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏବେ ଦେଖିବାକୁ ବାକି ରହିଲା ରାସ୍ତା କାମକୁ ନେଇ ପ୍ରଶାସନର ନିଦ କେବେ ଭାଙ୍ଗୁଛି ।

Leave A Reply

Your email address will not be published.