Latest Odisha News

BREAKING NEWS

ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଆଜି କୋର୍ଟରେ ହାଜର କରିବ ଭିଜିଲାନ୍ସ, ନବରଙ୍ଗପୁର ସହରରେ ଖୁସିର ମାହୋଲ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ଯେତେ ଖୋଳିଲେ ସେତେ ବାହାରୁଛି। ସରକାରୀ ବାବୁଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ଟଙ୍କା। ମୋଟ ୩ କୋଟି ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ଏହାପରେ ଭିଜିଲାନ୍ସ ଉପଜିଲ୍ଲାପାଳଙ୍କୁ ଉଠାଇ ନେଇଯାଇଛି। ଆଜି କୋର୍ଟରେ ହାଜର କରିବ ବୋଲି ସୂଚନା ରହିଛି।

ତେବେ ଭିଜିଲାନ୍ସ ଚଢ଼ାଉ ପରେ ନବରଙ୍ଗପୁର ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସହରବାସୀ ଏକତ୍ରିତ ହୋଇ ବାଣ ଫୁଟାଇ ପରଷ୍ପର ମଧ୍ୟରେ ମିଠା ଖୁଆଇ ଖୁସି ମନାଇଛନ୍ତି। ପ୍ରଶାନ୍ତ ରାଉତ ଦୁର୍ନୀତିରେ ଲିପ୍ତ ରହୁଥିଲେ, ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଉପରେ ଚଢାଉ କରାଯାଇଥିବାରୁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିବା ସହ ଉତ୍ସବ ମୁଖର ହୋଇ ଉଠିଛନ୍ତି।

ପ୍ରଶାନ୍ତ ରାଉତଙ୍କ ଘରୁ କ’ଣ କ’ଣ ଜବତ ହୋଇଛି, ଏହାର ମୂଲ୍ୟାୟନ କ’ଣ ରହିଛି?

  • ଭିଜିଲାନ୍ସ ଅଧିକାରୀମାନେ ପ୍ରାୟ ୩ କୋଟି ଟଙ୍କା ଜବତ କରିଛନ୍ତି
  • ୫ଟି ପ୍ଲଟ୍, କଟକ ଓ ଭୁବନେଶ୍ୱରରେ ଥିବା ୪ଟି ଏବଂ ନବରଙ୍ଗପୁର ଉମରକୋଟରେ ଥିବା ଗୋଟିଏ ବେନାମୀ ପ୍ଲଟ୍ ଠାବ କରିଛନ୍ତି।
  • ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ଏବେ ଏସବୁ ସମ୍ପତ୍ତିର ମାପଚୁପ ଓ ମୂଲ୍ୟାୟନ କରୁଛି
  • ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ଥିବା ଏକ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି
  • ୨୦୧୯ ମସିହାରୁ ପ୍ରଶାନ୍ତ ରାଉତଙ୍କ ଦ୍ୱାରା ୨୧ ଲକ୍ଷ ଟଙ୍କା ସନ୍ଦେହଜନକ ଭାବେ ଏହି ଆକାଉଣ୍ଟରେ ଜମା କରାଯାଇଛି
  • ୪୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଓ ବୀମା ଜମା
  • ଦୁଇଟି ଚାରିଚକିଆ ଯାନ ଏବଂ ଗୋଟିଏ ଦୁଇଚକିଆ ଯାନର ମୂଲ୍ୟାୟନ କଲେ ମୋଟ୍ ୩୭ ଲକ୍ଷ ଟଙ୍କା ହେବ
  • ସୁନା ଓ ରୂପା ଅଳଙ୍କାରର ସହ ଘରକରଣା ସାମଗ୍ରୀକୁ ମିଶାଇଲେ ୨୧ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ମୂଲ୍ୟ ରହିଛି

ପ୍ରଶାନ୍ତ ରାଉତ ତାଙ୍କ ଝିଅର ଡାକ୍ତରୀ ପାଠପଢା ଏବଂ ତାଙ୍କ ପୁଅର ଶିକ୍ଷା ଖର୍ଚ୍ଚ ପାଇଁ ପ୍ରାୟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସୂଚନା ଅନୁୟାୟୀ, ପ୍ରଶାନ୍ତ ରାଉତ ୧୯୯୬ ମସିହା ଜୁଲାଇ ୧ ତାରିଖରେ ଓଏଏସ୍ ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିବା ବେଳେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ। ନିଲମ୍ବନ ପରେ ୨୦୨୦ ଜାନୁଆରି ୧୮ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା।

Leave A Reply

Your email address will not be published.