Latest Odisha News

BREAKING NEWS

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିଭଳି ନେବେ ଯତ୍ନ? ଜାଣନ୍ତୁ

ଭୁବନେଶ୍ୱର: କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ଦେବା ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ମାଧ୍ୟମରେ ସଚେତନତା କରାଯାଇଛି ।

କଟକସ୍ଥିତ ଏସସିବି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ମଙ୍ଗଳବାର ରାଜ୍ୟବାସୀଙ୍କୁ କହିଛନ୍ତି ଯେ, କୋଭିଡରୁ ମୁକ୍ତ ହେବା ପରେ ଦୁର୍ବଳ ଲାଗିବା, ଦେହବଥା କିମ୍ବା ମୁଣ୍ଡବିନ୍ଧା ହେବା, ସ୍ୱାଦ କମିଯିବା ଆଦି ଦେଖାଦେବ । ସେହିପରି ଯେଉଁମାନଙ୍କର ଛାତିରୋଗ ରହିଛି, ସେମାନେ ଧଇଁସଇଁ ହୋଇ ପଡିବେ । କେତେକ ଅବସାଦ ଆଡକୁ ଗତି କରିଥାଆନ୍ତି । କେତେକଙ୍କ ନିକଟରେ ଗ୍ୟାସଷ୍ଟ୍ରିକ୍ ଏବଂ ଭୋକ କମିବା ପରି ଲକ୍ଷଣ ଦେଖାଦେଇଥାଏ । ଅବଶ୍ୟ କୋଭିଡରୁ ସୁସ୍ଥ ହୋଇଥିବା ସମସ୍ତ ରୋଗୀଙ୍କ କ୍ଷେତ୍ରରେ ଏହା ଦେଖା ଯାଇ ନ ଥାଏ। ସେହିପରି ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ କ୍ୟାନସର ଥିବା ରୋଗୀ ସାମାନ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ।

ସେହିପରି ଏଥିରୁ ସତର୍କ ରହିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, ବ୍ୟାୟାମ କରିବା, ଧୂମ୍ରପାନ ଏବଂ ମଦ୍ୟପାନ କରିବାରୁ ବିରତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ମଦ୍ୟପାନ ଏବଂ ଧୂମ୍ରପାନ ଶରୀରକୁ ବହୁତ କ୍ଷତି କରିଥାଏ । ସାଧାରଣତଃ କୋଭିଡ ଭୂତାଣୁ ୧୦ ଦିନ ସଂକ୍ରମଣ ପରେ ଦୁର୍ବଳ ହୋଇ ଯାଇଥାଏ । ତେଣୁ ଅନ୍ୟ ଲୋକଙ୍କ ସହ ମିଶିବାରେ କୌଣସି ଅସୁବିଧା ନାହିଁ ।

Leave A Reply

Your email address will not be published.