Latest Odisha News

BREAKING NEWS

ହୋମିଓପାଥିର ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସା ପ୍ରଣାଳୀ ସୃଷ୍ଟି ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ବର୍ତ୍ତମାନ ପ୍ରଚଳିତ ଚିକିତ୍ସା ସେବାରେ ଅତ୍ୟାଧୁନିକ ଔଷଧ ଏବଂ ପ୍ରାଚୀନ କାଳରୁ ଚଳି ଆସୁଥିବା ହୋମିଓପାଥିର ସମନ୍ବୟ ସ୍ବାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି । ତେବେ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାପ୍ରଣାଳୀ ବ୍ୟବସ୍ଥା ପ୍ରବର୍ତ୍ତନ ସମୟର ବଡ଼ ଆହ୍ବାନ ।

ଏହି ଆହ୍ବାନକୁ ସାକାର ରୂପ ଦେବାକୁ ଆଗେଇ ଆସିଛନ୍ତି ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍‌) । ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମିଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି ।

ଏହି କ୍ଷେତ୍ରରେ ଉଚ୍ଚତର ଏବଂ ବ୍ୟାପକ ଗବେଷଣାର ପଥ ଉନ୍ମୁକ୍ତ କରିବାର ଯଥେଷ୍ଟ ଆଶା ରହିଛି । ଏପରିକି ହୋମିଓପାଥିର ଉପଯୁକ୍ତ ଉପଯୋଗ ସ୍ୱାସ୍ଥ୍ୟ ସେବାରେ ଆଧୁନିକ ଔଷଧର ଅତ୍ୟଧିକ ବ୍ୟବହାରକୁ ହ୍ରାସ କରିବା ନେଇ ବିଶ୍ବାସ ଜନ୍ମିଛି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକରୁଥିବା ସ୍ବୟଂଶାସିତ ପ୍ରତିଷ୍ଠାନ ସିସିଆରଏଚ୍‌ ଏବଂ ଏମ୍‌ସ ଭୁବନେଶ୍ୱର ମିଳିତ ଭାବେ ଏମ୍‌ସରେ ଏକୀକୃତ ଚିକିତ୍ସା ବିଭାଗ ପ୍ରତିଷ୍ଠାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ହୋମିଓପାଥିର ବୈଜ୍ଞାନିକ ପ୍ରାମାଣିକତା, ଅନୁସନ୍ଧାନ ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଏହି ପ୍ରାଚୀନ ଔଷଧୀର ପ୍ରୟୋଗ ନେଇ ଏହି ବୁଝାମଣାରେ ବିଶେଷ ବ୍ୟବସ୍ଥା ରହିଥିବା ସୂଚନା ପ୍ରଦାନ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ । ହୋମିଓପାଥି ଚିକିତ୍ସା ନିମନ୍ତେ ପ୍ରମାଣଭିତ୍ତିକ ବ୍ୟବସ୍ଥିତ ଚିକିତ୍ସା ପଦ୍ଧତି ସୃଷ୍ଟି, ବିଭିନ୍ନ ରୋଗ ଉପଶମ କ୍ଷେତ୍ରରେ ଏହାର ପ୍ରୟୋଗଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ଦୁଇ ଜାତୀୟ ଅନୁଷ୍ଠାନ ଗବେଷଣା କରିବେ ବୋଲି ପ୍ରକାଶ କରିଛନ୍ତି ଡ. ବିଶ୍ବାସ।

ଏମ୍‌ସ ଭୁବନେଶ୍ୱର ଭଳି ଜନାଦୃତ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ସହିତ ହୋମିଓପାଥି ସମ୍ପର୍କରେ ଅଧିକ ଗବେଷଣା ନିମନ୍ତେ ହୋଇଥିବା ବୁଝାମଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସିସିଆରଏଚ୍‌ର ମହାନିର୍ଦ୍ଦେଶକ (ଡିଜି) ଡ. ସୁଭାଷ କୌଶିକ । ଏକାଧିକ ରୋଗର ଉପଚାର କରିବାରେ ହୋମିଓପାଥିର ବୈଜ୍ଞାନିକ ପ୍ରମାଣ ରହିଛି ।

ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ ପାଉନଥିବା ଏବଂ ସାଧାରଣ ଲୋକଙ୍କୁ ସୁହାଉଥିବା ହୋମିଓପାଥି ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନର ଆଧୁନିକ ଚିକିତ୍ସାପ୍ରଣାଳୀ ସହିତ ଏକୀକୃତ ହେଲେ ବ୍ୟାପକ ସମ୍ଭାବନା ସୃଷ୍ଟି କରିବ । ଭାରତ ସରକାରଙ୍କ “ଗୋଟିଏ ରାଷ୍ଟ୍ର, ଗୋଟିଏ ସ୍ୱାସ୍ଥ୍ୟ”ର ଅବଧାରଣାକୁ ଦୃଷ୍ଟିରେ ରଖି ହୋଇଥିବା ଏହି ବୁଝାମଣା ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. କୌଶିକ୍‌ ଆଶାବ୍ୟକ୍ତ କରିଛନ୍ତି ।

କୋଭିଡ୍‌ ମହାମାରୀ ସମୟରେ ହୋମିଓପାଥିର ଆଦର ବେଶ ବୃଦ୍ଧି ପାଇଥିଲା । ଡେଙ୍ଗୁ, ଆକ୍ୟୁଟ୍ ଏନ୍‌ସେଫାଲାଇଟିସ୍ ସିଣ୍ଡ୍ରୋମ, କୋଭିଡ୍‌ ପରବର୍ତ୍ତୀ ଜଟିଳ ସମସ୍ୟା, କର୍କଟ ଚିକିତ୍ସା, ବିଭିନ୍ନ ମାନସିକ ରୋଗ ସହିତ ଏକାଧିକ ରୋଗର ଚିକିତ୍ସାରେ ହୋମିଓପାଥିର ପ୍ରୟୋଗ ସୁଫଳ ଆଣିଥିବା ବିଭିନ୍ନ ସମୟରେ ହୋଇଥିବା ପ୍ରୟୋଗାତ୍ମକ ଚିକିତ୍ସାପଦ୍ଧତିରୁ ପ୍ରମାଣିତ ହୋଇଛି ।

ଦୁଇ ଅନୁଷ୍ଠାନର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅବସରରେ ଏମ୍‌ସ ଭୁବନେଶ୍ୱର ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌(ଗବେଷଣା) ଡ. ସତ୍ୟଜିତ ମିଶ୍ର, ବରିଷ୍ଠ ମେଡିକାଲ୍ ଅଫିସର (ଆୟୁଷ ବିଭାଗ) ଡ. ପ୍ରଶାନ୍ତ କୁମାର ସାହୁ, ଡ. ଶୁଭାଷୀଶ ସରକାର, ଡ. ଆସିଫ ସର୍ଦ୍ଦାର, ଡ. ଅଜିତ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁଙ୍କ ସମେତ ସିସିଆରଏଚ୍‌ରୁ ଡ. ଦେବଦତ୍ତ ନାୟକ, ଡ. ଉମାକାନ୍ତ ପୃଷ୍ଟି, ଡ. କରନ୍‌ପ୍ରୀତ ନହର୍‌ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ, ଏମ୍‌ସରେ ଥିବା ଏକ ଉତ୍ସର୍ଗୀକୃତ ଆୟୂଷ ବିଭାଗ ଅଧିନରେ ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଆଦି ମାଧ୍ୟମରେ ଚିକିତ୍ସା ସେବା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.