Latest Odisha News

BREAKING NEWS

ଜାତୀୟ ସ୍ତରରେ ଚମକିଲା ଏମ୍ସ ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୧୦ ମେଡିକାଲ୍ କଲେଜ୍ ତାଲିକାରେ ସାମିଲ

ଭୁବନେଶ୍ୱର: ରାଜ୍ୟ ତଥା ଦେଶବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆଗଧାଡ଼ିରେ ରହିଥିବା ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପୁଣି ଥରେ ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ସମ୍ପ୍ରତି ପ୍ରକାଶ ପାଇଥିବା ‘ଇଣ୍ଡିଆ ଟୁଡେ-ଏମ୍.ଡି.ଆର୍.ଏ’ (India Today-MDRA) ଶ୍ରେଷ୍ଠ ମେଡିକାଲ୍ କଲେଜ୍ ସର୍ଭେ-୨୦୨୬ରେ ଏମ୍ସ-ଭୁବନେଶ୍ୱର ଦେଶର ପ୍ରମୁଖ ୧୦ଟି ଶ୍ରେଷ୍ଠ ଡାକ୍ତରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଏହା କେବଳ ଅନୁଷ୍ଠାନ ପାଇଁ ନୁହେଁ, ବରଂ ସମଗ୍ର ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଏକ ବଡ଼ ଉପଲବ୍ଧି।

ଦେଶର ଶୀର୍ଷ ୧୦ ମେଡିକାଲ୍ କଲେଜ୍ ତାଲିକାରେ ୧୦ମ ସ୍ଥାନ ଅଧିକାର କରିବା ସହ, ଦେଶର ଶ୍ରେଷ୍ଠ ୫ଟି ‘ସର୍ବାଧିକ ଉନ୍ନତି କରିଥିବା’ ମେଡିକାଲ୍ କଲେଜ୍ ତାଲିକାରେ ଏମ୍ସ-ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ବିଗତ ୫ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନର ଅଭିବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ ରହିଛି। ୨୦୨୧ ମସିହାରେ ଏହି ତାଲିକାରେ ଏହା ୨୫ତମ ସ୍ଥାନରେ ଥିବା ବେଳେ, ମାତ୍ର କିଛି ବର୍ଷର ବ୍ୟବଧାନରେ ୨୦୨୬ ସୁଦ୍ଧା ଏହା ସିଧାସଳଖ ୧୦ମ ସ୍ଥାନକୁ ଉନ୍ନୀତ ହୋଇଛି। ଗୁଣାତ୍ମକ ଚିକିତ୍ସା, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏହାର କ୍ରମାଗତ ଉନ୍ନତି ଏହି ସଫଳତାର ପ୍ରମାଣ ଦେଉଛି।

ମାର୍କେଟିଂ ଆଣ୍ଡ୍ ଡେଭେଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ ଏବଂ ଇଣ୍ଡିଆ ଟୁଡେର ମିଳିତ ଆନୁକୂଲ୍ୟରେ ଏହି ବାର୍ଷିକ ସର୍ଭେ କରାଯାଇଥିଲା। ମୁଖ୍ୟତଃ ୫ଟି ପ୍ରମୁଖ ମାନଦଣ୍ଡ ଉପରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମୂଲ୍ୟାୟନ କରାଯାଇଥିଲା:

ନାମଲେଖା ଗୁଣବତ୍ତା ଓ ଶାସନ ବ୍ୟବସ୍ଥା

ଶୈକ୍ଷିକ ଉତ୍କର୍ଷତା

ଉନ୍ନତ ଭିତ୍ତିଭୂମି ଓ କ୍ୟାମ୍ପସ ଅନୁଭୂତି

ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ବିକାଶ

ପ୍ଲେସମେଣ୍ଟ ବା ନିଯୁକ୍ତି ସୁଯୋଗ

ଏହି ସମସ୍ତ ବିଭାଗରେ ଏମ୍ସ-ଭୁବନେଶ୍ୱର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ସହ ଅନ୍ୟ ଅନୁଷ୍ଠାନଗୁଡ଼ିକୁ କଡ଼ା ଟକ୍କର ଦେଇଛି।

ଏହି ଐତିହାସିକ ଉପଲବ୍ଧି ପରେ କ୍ୟାମ୍ପସରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଏମ୍ସ-ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଗଭୀର ଖୁସି ବ୍ୟକ୍ତ କରିଛନ୍ତି। ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଗୁଣାତ୍ମକ ଡାକ୍ତରୀ ଶିକ୍ଷା, ଉନ୍ନତ ଗବେଷଣା ଏବଂ ରୋଗୀ ସେବା ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତା ଯୋଗୁଁ ଆଜି ଏହି ସଫଳତା ମିଳିପାରିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ-ଭୁବନେଶ୍ୱର ଆଜି ବିଶ୍ୱାସ, ନବସୃଜନ ଏବଂ ନିଷ୍ଠାର ଏକ ପ୍ରତୀକ ପାଲଟିଛି।”

ଏଥିସହିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ସାକାର କରିବା ଦିଗରେ ଏମ୍ସ-ଭୁବନେଶ୍ୱର ବହୁ ପାଦ ଆଗକୁ ବଢ଼ିପାରିଛି ବୋଲି ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.