Latest Odisha News

BREAKING NEWS

AIIMS ଓ NEST ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ରେ ପ୍ରକାଶ ପାଇବ

ଭୁବନେଶ୍ୱର : AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ) ଏବଂ NEST (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ ତାରିଖରେ ପ୍ରକାଶିତ ହେବାକୁ ସ୍ଥିର ହୋଇଛି ।

ଏମ୍ସ ଏମବିବିଏସ ଏଣ୍ଟ୍ରାନ୍ସ ରେଜଲ୍ଟ ଜୁନ ୧୮ ୬ଟାରେ ପ୍ରକାଶିତ ହେବ । ଏହାର ଅଫିସିଆଲ ୱେବସାଇଟ www.aiimsexams.org କୁ ଯାଇ ଲଗଅନ କରି ଏଣ୍ଟ୍ରାନ୍ସ ଫଳାଫଳ ପରୀକ୍ଷାର୍ଥୀମାନେ ଯାଞ୍ଚ କରିପାରିବେ ।

ଏଥର ପ୍ରାୟ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏମ୍ସ ଏମବିବିଏସ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲେ ଏବଂ ଏହି ପ୍ରବେଶିକା ପରୀକ୍ଷା ନୂଆଦିଲ୍ଲୀର ଏମ୍ସ ଦ୍ୱାରା ପରିଚାଳିତ ହୋଇଥିଲା । ତେବେ ଭାରତର ୧୫୫ ଟି ପ୍ରମୁଖ ସହରରେ ଏହି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଓଡ଼ିଶାରୁ ୩୬,୦୦୦ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ । ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରବେଶିକା ପରୀକ୍ଷା ଗତ ମେ ମାସ ୨୬ ଓ ୨୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ।

ଏମ୍ସର ଏମବିବିଏସ ମେଡ଼ିକାଲ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ରହିଛି ୮୦୭ଟି ସିଟ୍ । ସେହି ଏମ୍ସ ଶିକ୍ଷାକେନ୍ଦ୍ର ଗୁଡ଼ିକ ଭାରତର ନୂଆଦିଲ୍ଲୀ, ଭୁବନେଶ୍ୱର, ଯୋଧପୁର, ପାଟନା, ରାୟପୁର, ଋଷିକେଶ, ଭୋପାଳ, ନାଗପୁର ଏବଂ ଗୁଣ୍ଟୁରରେ ରହିଛି ।

ସେହିପରି ଜୁନ ୨ ତାରିଖରେ ଅନୁଷ୍ଠିତ ହୋଇଥିôବା ନ୍ୟାସନାଲ ଏଣ୍ଟ୍ରାନ୍ସ ଟେଷ୍ଟ (ନେଷ୍ଟ) ପରୀକ୍ଷା ଫଳ ମଧ୍ୟ ଜୁନ ୧୮ ତାରିଖରେ ପ୍ରକାଶିତ ହେବାକୁ ଧାର୍ଯ୍ୟ ହୋଇଛି ।

ଏହି ନେଷ୍ଟ ଏଣ୍ଟ୍ରାନସ ପରୀକ୍ଷା ଫଳାଫଳ ୧୨ଟା ପରେ ଅଫିସିଆଲ ୱେବସାଇଟ www.nestexam.in ରେ ପ୍ରକାଶିତ ହେବ । ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳ ଏହି ୱେବସାଇଟକୁ ଲଗଅନ କରି ନିଜର ରେଜଲ୍ଟ ଜାଣିପାରିବେ ।

ନେଷ୍ଟ ପରୀକ୍ଷା ଭାରତର ୧୦୯ ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ୧୩ଟି କେନ୍ଦ୍ର ଯଥା – ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ୱର, ରାୟଗଡ଼ା, ସମ୍ବଲପୁର, ରାଉରକେଲା, ଖୋର୍ଦ୍ଦା, ଝାରସୁଗୁଡ଼ା, ବରଗଡ଼ ଢେଙ୍କାନାଳ ଏବଂ ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.