Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଉଦ୍‌ଘାଟିତ, ଉପାନ୍ତରେ ଉତ୍ତମ ଚିକିତ୍ସା ସୁବିଧା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଲେଖିଲା ନୂଆ ଇତିହାସ । ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାର ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ଏହି ନୂଆ ଯୋଜନାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଡାକ୍ତରୀ ଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇପାରିବେ । ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏସବୁ ଜିଲ୍ଲାକୁ ଯିବେ ।
ସେଠାକାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ ।
ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ୱାରା ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି । କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଞ ସଚିବ ଭି. କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.