Latest Odisha News

BREAKING NEWS

ରାଗିଛନ୍ତି ଅଜିତ ପାୱାର, ଭାଙ୍ଗିଦେବେ ସିନ୍ଦେ ସରକାର!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆଜିଯାଏ ମଧ୍ୟ ସ୍ଥିରତା ଆସିବା ଦେଖାଯାଉ ନାହିଁ। ସିନ୍ଦେ ଗୋଷ୍ଠୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପ୍ରସଙ୍ଗ ହେଉ କିମ୍ବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଅଡୁଆ।

ଏମିତି ଅନେକ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହେଉଛି। ଏଭଳି ସ୍ଥିତିରେ ବର୍ତ୍ତମାନ ବିଜେପି, ସିନ୍ଦେ ଓ ଅଜିତ ଗୋଷ୍ଠୀର ମିଳିତ ସରକାର ଚାଲିଥିବା ବେଳେ ଅଜିତ ପାୱାର କିନ୍ତୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ସେ ବହୁ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି।

ଏ ଭିତରେ ଆଉ ଏକ ଖବର ମହାରାଷ୍ଟ୍ର ରାଜନୀତିକୁ ଆହୁରି ଉଷ୍ମ କରିଛି। ଏନସିପି ଅଜିତ ପାୱାର ଗୋଷ୍ଠୀ ବିଧାୟକ ଯେଉଁମାନେ ସରକାରରେ ସାମିଲ ହୋଇଛନ୍ତି ସେମାନେ ବିକାଶ ପାଣ୍ଠି ବଣ୍ଟନଙ୍କୁ ନେଇ ସନ୍ତୁଷ୍ଟ ନୁହଁନ୍ତି ବୋଲି କୁହାଯାଉଛି।

ସେଥିପାଇଁ ଚଳିତ ମାସ ୨୧ ତାରିଖରେ ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ବୈଠକ ଡକାଯାଇଛି। ଏପରିକି ଆଗକୁ ପ୍ରତି ମଙ୍ଗଳବାର ବିଧାୟକ ମାନଙ୍କର ବୈଠକ କରାଯିବ ବୋଲି କୁହାଯାଉଛି।

ଅଜିତ ପାୱାର ଗୋଷ୍ଠୀର ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧୀନରେ ଥିବା ସହରାଞ୍ଚଳ ବିକାଶ, ସାମାଜିକ ନ୍ୟାୟ, ରୋଜଗାର ଗ୍ୟାରେଣ୍ଟି, ଜଳ ସଂରକ୍ଷଣ, ଗ୍ରାମୀଣ ବିକାଶ ଆଦି ବିଭାଗର କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି।

ଅଜିତ ଗୋଷ୍ଠୀର ଏନସିପି ବିଧାୟକ ମାନଙ୍କୁ ସିନ୍ଦେ ଗୋଷ୍ଠୀ ଶିବସେନା ଓ ବିଜେପି ବିଧାୟକଙ୍କ ତୁଳନାରେ କମ ଫଣ୍ଡ ଦିଆଯାଉଥିବା ବିଧାୟକ ମାନେ ଅଭିଯୋଗ କରିଛନ୍ତି। ପୂର୍ବରୁ ସିନ୍ଦେ ଗୋଷ୍ଠୀ ବିଧାୟକ ଉଦ୍ଧବଙ୍କ ହାତ ଛାଡିବା ବେଳେ ମହାବିକାଶ ଅଘାଡି ସରକାର ସମୟରେ ଫଣ୍ଡ ଦୁରୂପଯୋଗର ଅଭିଯୋଗ ଆଣିଥିଲେ।

ଏପରିକି ସେତେବେଳେ ଅର୍ଥମନ୍ତ୍ରୀ ଥିବା ଅଜିତ ପାୱାର ଭୁଲ ବାଟରେ ଅର୍ଥ ବଣ୍ଟନ କରୁଥିବା ଅଭିଯୋଗ ହୋଇଥିଲା। ଏବେ ଗୋଟିଏ ପଟେ ଡିସେମ୍ବର ୩୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଶୁଣାଇବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି।

ତେଣୁ ଏହାକୁ ନେଇ ରାଜନୈତିକ ସ୍ଥିତି ଭିନ୍ନ ରୂପ ନେଉଥିବା ବେଳେ ଏବେ ଅଜିତ ଗୋଷ୍ଠୀ ବିଧାୟକଙ୍କ ଅସନ୍ତୋଷ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି। ସେପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ମଧ୍ୟରେ ବହୁ ବିଧାୟକ ମନ୍ତ୍ରୀପଦ ପାଇଁ ଦାବିଦାର ଥିଲେ ମଧ୍ୟ ଏହା ହୋଇ ନ ପାରିବା ଯୋଗୁ ଅନେକ ବିଧାୟକ ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ଏସବୁ ଭିତରେ ସିନ୍ଦେ ସରକାର କିଭଳି ଓ କେମିତି ଆଗକୁ ବଢ଼ୁଛି ତା ଉପରେ ନଜର।

Leave A Reply

Your email address will not be published.