Latest Odisha News

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର ବିନା ବ୍ୟଞ୍ଜନ ଉଚ୍ଚାରିତ ହୋଇ ପାରେନାହିଁ। ସେମିତି ଆଉ ଗୋଟିଏ କଥା ଅଯୋଗବାହ ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ଓ ବିସର୍ଗ ଆମେ ସ୍ୱତନ୍ତ୍ର ଭାବରେ ଉଚ୍ଚାରଣ କରି ନଥାଉ। ସ୍ୱର କିମ୍ବା ବ୍ୟଞ୍ଜନ ପର୍ଯ୍ୟାୟରେ ଆସୁନଥିବାରୁ ଏହି ତିନୋଟି ଧ୍ୱନି ସଙ୍କେତକୁ ଆମେ ଅଯୋଗବାହ କହୁ। ଏଗୁଡ଼ିକ ସ୍ୱର କିମ୍ବା ବ୍ୟଞ୍ଜନ ବର୍ଣ୍ଣ ସହ ଯୋଗ ହେଲେ ହିଁ ଉଚ୍ଚାରିତ ହୋଇ ପାରନ୍ତି । ଯେମିତିକି ଅନୁସ୍ୱାର ଅଂଶ, କଂସ, ବଂଶୀ, ହଂସ, ହିଂସା, କଂସା, । ଚନ୍ଦ୍ରବିନ୍ଦୁ :- ଏଁ , କେଉଁ, କାହିଁକି, ପାଇଁ, ନାଇଁ, କଇଁ। ବିସର୍ଗ :- ଦୁଃଖ, ନିଃଶ୍ୱାସ, ଦୁଃସାହସ, ନିଃସହାୟ।

ଆମ ଭାଷାରେ ବ୍ୟବହାର ହେଉଥିବା ଅନୁସ୍ୱାରକୁ ଆମେ ଏକ ଅଯୋଗବାହ ବର୍ଣ୍ଣ କହିଥାଉ। ଏହା ଦେଖିବାକୁ ଏକ ବିନ୍ଦୁ ଭଳି। ଏହା ଅକ୍ଷର ଆଶ୍ରିତ। ସଂଯୁକ୍ତ ବର୍ଣ୍ଣରେ ନାସିକ୍ୟ, ଉଚ୍ଚାରଣ ପାଇଁ ଏହାକୁ ବିକଳ୍ପ ଭାବେ ବ୍ୟବହାର କରାଯାଏ। ତେବେ ନାସିକ୍ୟ ବ୍ୟଞ୍ଜନ ଏହାର ଅଲଗା ବ୍ୟବହାର ନାହିଁ। ଯେମିତିକି ଅଙ୍କ , ମଞ୍ଜି, ସ୍ୱୟଂ। ଆମ ବ୍ୟାକରଣରେ ସବୁ ନାସିକ୍ୟଯୁକ୍ତ ବ୍ୟଞ୍ଜନକୁ ଅନୁସ୍ୱାର ଦେଇ ଲେଖିବା ପାଇଁ ଅନୁମତି ଦିଆ ଯାଇଛି। ଯଥା ପାଞ୍ଚ – ପାଂଚ, କଣ୍ଟା – କଂଟା, ଦାନ୍ତ – ଦାଂତ , କମ୍ପ – କଂପ ଇତ୍ୟାଦି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଥମ ଖଣ୍ଡ ୩୪୦ପୃଷ୍ଠାରେ କୁହାଯାଇଛି : ” ଅନୁସ୍ୱାର ହେଉଛି ସ୍ୱରବର୍ଣ୍ଣ ପରେ ଥିବା ମ ଅନୁନାସିକ ବିନ୍ଦୁ ଚିହ୍ନିତ ସ୍ୱର ଅଯୋଗବାହ ବର୍ଣ୍ଣ। ପାରମ୍ପରିକ ବ୍ୟାକରଣରେ ଚନ୍ଦ୍ରବିନ୍ଦୁକୁ ଅନୁନାସିକ ବର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି। ଚନ୍ଦ୍ରବିନ୍ଦୁର ପ୍ରୟୋଗ ସଂସ୍କୃତ ଭାଷାରୁ ଆସିଛି। କ୍ରମେ ଏହା ଆମ ଓଡ଼ିଆ ଭାଷା ସହ ଭାରତର ସମସ୍ତ ପ୍ରାଦେଶିକ ଭାଷାରେ ବ୍ୟବହାର ହୋଇଆସୁଛି। ଆମ ବ୍ୟାକରଣରେ ଧ୍ୱନି ବିଜ୍ଞାନ ଅନର୍ଗତ ଅନୁନାସିକ ଉଚ୍ଚାରଣ ତଥା ନାସିକ୍ୟକରଣ ପ୍ରକିୟାରେ ସ୍ଵର ଓ ବ୍ୟଞ୍ଜନ ଧ୍ୱନିମାନଙ୍କର ନାସିକ୍ୟକରଣକୁ ଲିଖିତ ଭାବରେ ସୂଚେଇ ଦେବା ପାଇଁ ଚନ୍ଦ୍ରବିନ୍ଦୁକୁ ଶୀର୍ଷ ଦେଶରେ ଯୁକ୍ତ କରାଯାଇଥାଏ। ସେହିଭଳି ଅନ୍ୟତମ ଅଯୋଗବାହ ବର୍ଣ୍ଣ ବିସର୍ଗ । ଆଃ , ଉଃ , ବାଃ ଏମିତି କେତେ ଅର୍ଥରେ ଏ ଅଯୋଗବାହର ବ୍ୟବହାର। ଏହା ଏକ ଅକ୍ଷର ଆଶ୍ରିତ ବର୍ଣ୍ଣ ଭାବରେ ଓଡ଼ିଆ ବର୍ଣ୍ଣମାଳାରେ ସ୍ଥାନ ପାଇଛି । ଓଡ଼ିଆରେ ଏହାର ଉଚ୍ଚାରଣ ‘ହ’ଧ୍ୱନି ସହ ସମାନ ଓଡ଼ିଆ ଭାଗବତରେ ବି ବିସର୍ଗ କଥା ଉଲ୍ଲେଖ ଅଛି।

ବିନ୍ଦୁ ଅନୁସ୍ୱାର ବୋଲାଇ ସେ
ବିନ୍ଦୁ ଯେବେ ବିସର୍ଗ ହୋଇ।
ବିସର୍ଗ ନାମେ ସେ ବୋଲାଇ
ବିସର୍ଗ ତିନି ରୂପ ହୋଇ।।

ଭାଷା ବିଜ୍ଞାନୀ କୁଞ୍ଜ ବିହାରୀ ତ୍ରିପାଠୀ ‘ଭାଷା ଓ ଲିପିର ପୃଷ୍ଠା ୨୩୮ ରେ ‘ଓଡ଼ିଆ ବର୍ଣ୍ଣାମାଳା ଓ ତାହାର ଉଚ୍ଚାରଣ ବିଧି’ ରେ ଏକଥା ଆଲୋଚନା କରିଛନ୍ତି। ଆମେ ଯଦି ଆମ ଅକ୍ଷର କଥା ଦେଖିବା ତେବେ ଏହା ବ୍ରାହ୍ମୀଲିପିରୁ ଆସିଥିବା ଅନେକ ଆଲୋଚନାରୁ ଜାଣିପାରିବା । ଆମର ଅକ୍ଷରର ଦୁଇ ପ୍ରକାର ଲିଖନ ପଦ୍ଧତି, ପ୍ରଚଳିତ ଶୈଳୀ ଓ କରଣୀ ଶୈଳୀ । ପ୍ରଚଳିତ ଶୈଳିଟି ଅଧ୍ୟୟନ, ଲେଖାପଢ଼ାରେ ବ୍ୟବହାର ହେଉଥିବା ବେଳେ କରଣୀ ଶୈଳୀ ସିରସ୍ତାଦାର ପେଶାଦାର ଆଇନ ଅଦାଲତ କାମରେ ବ୍ୟବହାର ହେଉଛି । ଆମ ବର୍ଣ୍ଣମାଳାରେ ଅଯୋଗବାହ ବର୍ଣ୍ଣ, ସ୍ୱର ବର୍ଣ୍ଣ, ମାତ୍ରା, ବର୍ଗ୍ୟ ଓ ଅବର୍ଗ୍ୟ ବ୍ୟଞ୍ଜନ ଫଳା ଓ ଯୁକ୍ତାକ୍ଷର ଆଦିର ବ୍ୟବହାର ରହିଛି। ଅନୁସ୍ୱାର ଯୋଗରେ ଆମେ ଶବ୍ଦ ଗଢ଼ିଥାଉ । ଯଥା : ମାଂସ, ବଂଶୀ, ବଂଶ, ହିଂସା, ଅଂଶୁ, ସଂସାର, ମୀମାଂସା , ଦଂଶନ, ସଂହତି ଇତ୍ୟାଦି ଇତ୍ୟାଦି। ବିସର୍ଗ ଯୋଗରେ ଦୁଃଖ , ଦୁଃଖୀ, ଦୁଃଖିତ , ନିଃଶେଷ, ନିଃସହାୟ , ଦୁଃସାହସ, ଦୁଃସମୟ ଇତ୍ୟାଦି। ଚନ୍ଦ୍ରବିନ୍ଦୁ ଯୋଗ କରି ଆମେ ଶବ୍ଦ ଗଢୁ । ନିଆଁ, ନାହିଁ, ଭଉଁରୀ, ଚଉଁରୀ, କଅଁଳ ପିଲା , ଯାଆଁଳା ଭାଇ ଇତ୍ୟାଦି ଇତ୍ୟାଦି।

ଅଯୋଗବାହ ଆମ ଭାଷାର ଅବିଚ୍ଛେଦ୍ୟ ଅଙ୍ଗ। ଆମ ବ୍ୟାକରଣରେ ଅଯୋଗବାହର ଆବଶ୍ୟକତା ଅନୁଭୂତ ହୁଏ। ଅଯୋଗବାହ ଆମ ଭାଷାର ଅନ୍ୟତମ ବୈଶିଷ୍ଟ୍ୟ। ବର୍ଣ୍ଣର ଲିଖିତ ରୂପ ଅକ୍ଷର ଏହା ଆମେ ଆଗରୁ ଆଲୋଚନା କରିସାରିଛେ। ବର୍ଣ୍ଣଗୁଡିକ ଉଚ୍ଚାରଣ ପରେ ପରେ ହୁଏତ ଲୋପ ପାଇଯାଏ। ଆଉ ତାର ସାମୂହିକ ସ୍ୱରୂପ ଲିପି। ବର୍ଣ୍ଣ ଆମ ଭାଷାର ସୌନ୍ଦର୍ଯ୍ୟ , ଆମ ଭାଷାର ଆଧାର।

Comments are closed.