Latest Odisha News

[ଦେଖନ୍ତୁ ଭିଡିଓ] ୫ ମାସ ହେଲା ଛୁଆ, ଗର୍ଭବତୀ, ପ୍ରସୂତିଙ୍କୁ ମିଳିନି ଅଣ୍ଡା ଓ ଛତୁଆ

କାମାକ୍ଷାନଗର: ଅଙ୍ଗନୱାଡ଼ି ଛୁଆଙ୍କୁ ଛତୁଆ ମିଳୁନି । ଦିଦି ଅଣ୍ଡା ନଦେଇ ଖାଇ ଦେଉଛନ୍ତି । ଲୋକେ ପଚାରିଲେ ଦିଦି ଓଲଟା କହୁଛନ୍ତି, ବିଲ୍ ପାସ୍ ହୋଇନି ମୁଁ କୋଉଠୁ ଦେବି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦିଙ୍କ ବିରୋଧରେ । ଗତ ୫ ମାସ ହେଲା ଅଙ୍ଗନୱାଡି ଦିଦି ମମତା ପ୍ରଧାନ ଗର୍ଭବତୀ, ପ୍ରସୂତି ଓ ଛୋଟ ଛୁଆଙ୍କୁ ଛତୁଆ ଓ ଅଣ୍ଡା ଦେଇ ନାହାନ୍ତି । ଦିଦିଙ୍କ କାର୍ଯ୍ୟରେ ଅତିଷ୍ଠ ଗାଁ ଲୋକ ଓ ହିତାଧିକାରୀ, ଅଙ୍ଗନୱାଡ଼ି କେନ୍ଦ୍ର ଘେରାଉ କରିଛନ୍ତି ।

ଲୋକ ଅଙ୍ଗନୱାଡ଼ି ଦିଦିଙ୍କୁ ଘେରିଥିବା ଖବର ଶୁଣି ସେଠି ପହଞ୍ଚି ହଟହଟା ହୋଇଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ପଧାନ । ମତେ କାହିଁକି ଏ ବିଷୟରେ ଦିନେ ହେଲେ ବି କହି ନାହଁ ବୋଲି ରବି କହିଥିଲେ । ତେବେ ଗୋଟିଏ ଗାଁରେ ରହି ତମେ କେମିତି ଜାଣି ପାରିଲ ନାହିଁ ବୋଲି ଓଲଟା ପ୍ରଶ୍ନ କରିଥିଲେ ମହିଳା । ଏପରିକି ଜଣେ ସ୍ଥାନୀୟ ଲୋକ ପ୍ରତିନିଧି ହୋଇ ତୁମେ କେବେ କୌଣସି ସମସ୍ୟା ଜାଣିବାକୁ ଚେଷ୍ଟା କରିଛ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଜିଲ୍ଲାପରିଷଦ ସଭ୍ୟ ଘବରେଇ ଯିବା ସହ ହଟହଟା ହୋଇ ପଳାଇଥିଲେ ।

ଅଙ୍ଗନୱାଡ଼ି ଦିଦିଙ୍କ କଥାରେ ତାଳମେଳ ରହୁ ନଥିବା ବେଳେ ଦୀର୍ଘ ୫ ମାସ ହେଲା ଅଣ୍ଡା, ଛତୁଆ କାହିଁକି ଦିଆଯାଉ ନାହିଁ ସେନେଇ କଙ୍କଡ଼ାହାଡ଼ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିବା କହିଛନ୍ତି ଉପଜିଲ୍ଲାପାଳ । ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋମଳ ମତି ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ପାଇଁ ଅଣ୍ଡା, ଛତୁଆ ଯୋଗାଇ ଦେଉଛନ୍ତି । ହେଲେ ହିତାଧିକାରୀଙ୍କୁ ମିଳୁଛି କି ନାହିଁ ତାର ସଠିକ୍ ତଦାରଖ ହେଉ ନାହିଁ ।

Leave A Reply

Your email address will not be published.