Latest Odisha News

BREAKING NEWS

ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ, ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ ପ୍ରତି ରବିବାର: ‘ଗୁଗଲୀ’

ଆଉ ଦିନ କେଇଟା ପରେ ରଣଜୀ ସିଜିନ ଆରମ୍ଭ ହୋଇଯିବ । ଠିକ୍‍ କହିଲେ ସୋମବାରଠାରୁ ଦେଶର ବିଭିନ୍ନ ଷ୍ଟାଡ଼ିୟମରେ ୨୦୧୯-୨୦ ସିଜିନର ପ୍ରଥମ ରଣଜୀ ମ୍ୟାଚ ଖେଳାଯିବା ଆରମ୍ଭ ହେବ । ଅତୀତ ବର୍ଷର ଧାରା ଲଗାଯାଇଥିଲେ ଏତେବେଳକୁ ଗ୍ରୁପ୍ ପର୍ଯ୍ୟାୟ ସରିବା ସରିବା ହୁଅନ୍ତାଣି । ହେଲେ ଆଇପିଏଲ୍ ନିଲାମରେ ଖେଳାଳିମାନଙ୍କ ଦର ବଢ଼ାଇ ରଖିବାର ସୁଯୋଗ ଦେବାକୁ ବିଜୟ ହଜାରେ ଏବଂ ମୁସ୍ତାକ ଅଲ୍ଲୀ ଟ୍ରଫି ଆଗ ଏଥର ଶେଷ କରି ଦିଆଯାଇଛି ।

ଏବେ ରାଜ୍ୟ ଦଳଗୁଡ଼ିକର ଫୋକସ୍ ରଣଜୀ ଉପରେ । ଆମର ବି ଦଳ ଗଠିତ ହୋଇସାରିଲାଣି ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ୱର । କିନ୍ତୁ ପ୍ରସ୍ତୁତି ବାବଦରେ କିଛି ଗୋଟାଏ ବଡ଼ ହଲ୍ଚଲ୍ ନାହିଁ । ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ପଦାଧିକାରୀ ଦାୟିତ୍ୱ ନେଇଛନ୍ତି । ସେମାନଙ୍କ ସମ୍ବର୍ଦ୍ଧନା ଉତ୍ସବ ବି ଚାଲିଛି । ଆର ପଟେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ୨୨ ତାରିଖରେ ବାରବାଟୀରେ ହେବ । ତାହା ହିଁ ଏବେ କେବଳ ଫୋକସ୍ରେ ।
ଯେତେ ଆୟୋଜନ, ଯେତେ ଭଲ ଭିତ୍ତିଭୂମି କିମ୍ବା ଯେତେ ଭଲ ଅତିଥି ସକ୍ରାର କଲେ ତାହାର ଲାଭ ରାଜ୍ୟ କ୍ରୀଡ଼ାକୁ ଆସେନାହିଁ । ରାଜ୍ୟ ଖେଳାଳିଙ୍କ ପତିଆରାଭରା ପ୍ରଦର୍ଶନ ଏବଂ ଜାତୀୟ ପ୍ରତିଯୋଗିତାରେ ଦମ୍ଦାର ସାଫଲ୍ୟ ହିଁ ଅସଲ ପ୍ରସିଦ୍ଧି ରାଜ୍ୟ ପାଇଁ ଆଣେ । ଅସଲ ସମ୍ମାନଟି ସେଥିରେ ଆସେ । ତେଣୁ ରଣଜୀ ଟ୍ରଫିରେ ଓଡ଼ିଶା ଦଳର ସାଫଲ୍ୟ ହିଁ ଓଡ଼ିଶା କ୍ରିକେଟର ଅସଲ ସମ୍ମାନ । ବାକି ସବୁ ନକଲ । ଆମ ଖେଳାଳିଙ୍କ ବ୍ୟକ୍ତିଗତ ସଫଳତା ଦଳଗତ ସଫଳତାରେ ରୂପାନ୍ତରିତ ହୋଇ ଲଗାତାର ବିଜୟ ଧାରାରେ ରହିଲେ ଛାତି ଚଉଡା କରିବାର ମଉକା ଆସେ । ଖେଳ ଦୁନିଆରେ ପ୍ରଦର୍ଶନ ଓ ସାଫଲ୍ୟ ହିଁ କେବଳ ସମ୍ମାନ ଆଣିଦେଇଥାଏ ।

ବଡ଼ ଦୁଃଖର ସହ ଲେଖିବାକୁ ପଡ଼ୁଛି ଯେ ଓଡ଼ିଶା ରଣଜୀ ଦଳର ପ୍ରସ୍ତୁତି ଓ ସଜବାଜ ନୂଆ ସିଜିନ ପାଇଁ କେବଳ ଗତାନୁଗତିକ ଧାରାରେ ହେଉଛି ବେଶ୍ କିଛି ବର୍ଷ ହେଲାଣି । କଳାହାଣ୍ଡି କମ୍ ହଜିଗଲାଣି । ମ୍ୟାଚରୁ ପ୍ରତିଭା ଖୋଜା ଶ୍ରେଷ୍ଠ ବୋଲି ସାରା ବିଶ୍ୱ ସ୍ୱୀକାର କରିଥିଲାବେଳେ ଆମର ଏଠାରେ ନେଟ୍ସ ଓ ବିବାଦୀୟ ଅଭ୍ୟାସ ମ୍ୟାଚରୁ ପ୍ରତିଭା ଖୋଜା ହେଉଛି । ଦୂରଗାମୀ ଯୋଜନା ନାହିଁ, ପାଦେ ପାଦେ କେମିତି ଆଗେଇବା ତାହାର ଖସଡ଼ା ବନା ହେଉନାହିଁ । ଖେଳାଳି ଓ କୋଚମାନଙ୍କ ମନରେ ବହୁ ବର୍ଷରୁ ନିଶ୍ଚିତତା ନଥିବାରୁ ଆପେ ରହିଲେ ବଡ଼ କଥା ବାଟରେ ଅଛନ୍ତି ସମସ୍ତେ ।
କେଇ ଦଶନ୍ଧି ଧରି ଓଡ଼ିଶା କ୍ରିକେଟକୁ ମୁଁ ଦେଖୁଛି ପାଖରୁ ।

ଓଡ଼ିଶା ରଣଜୀ ଦଳର ପ୍ରାୟ ସବୁ ମ୍ୟାଚ ରାଜ୍ୟ ଓ ରାଜ୍ୟ ବାହାରୁ କଭର କରିଛି ବହୁ ବର୍ଷ । ହେଲେ ବର୍ତ୍ତମାନର କାମଚଳା ପ୍ରସ୍ତୁତି ଖେଳାଳିମାନଙ୍କ ମାନ୍ଦା ମନୋଭାବ ମୋତେ ବି ଭିତରୁ ପୂର୍ବ ଭଳି ଉଚ୍ଚାଟ କରୁନି ରଣଜୀ ମ୍ୟାଚ କଭର କରିବାକୁ । ଦଳଗତ ଭାବରେ ରଣଜୀରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ମାମୁଲି ବର୍ଗକୁ ଚାଲିଆସିଛି । ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ମେଦିନୀ କମ୍ପାଇ ଦେଲା ଭଳି କିଛି ହୋଇନି । ତେଣୁ ସିନିୟର ଛାଡ଼ନ୍ତୁ ଜୁନିୟର ଦଳ ଗଠନ ହେଲେ ବି ଆଗ ଧାଡ଼ିରେ ରହୁନାହାନ୍ତି ଓଡ଼ିଆ ଖେଳାଳି । ଏଇ ଏଥର ୧୯ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଭାରତୀୟ ଦଳକୁ ଦେଖନ୍ତୁନା । ପ୍ରିୟମ ଗର୍ଗଙ୍କ ନେତୃତ୍ୱରେ ଗଠିତ ଦଳରେ ଓଡ଼ିଆ ନାହାନ୍ତି । କେବଳ ସ୍ଥାନ ପାଇନାହାନ୍ତି ନୁହେଁ, କେହି ଚୟନ ପାଇଁ ଚର୍ଚ୍ଚାକୁ ବି ଆସିନଥିଲେ । ଭାରତୀୟ ଦଳ କ’ଣ ଓଡ଼ିଶା କ୍ରିକେଟରଙ୍କ ପାଇଁ ଆଇପିଏଲ୍ ଦଳ ମଧ୍ୟ ଅପହଞ୍ଚ ହୋଇଗଲାଣି ।

ଓଡ଼ିଶା କ୍ରିକେଟ ଆସୋସିଏସନ୍ର କେତେ କେତେ ତୁମ୍ବିତୋଫାନକାରୀ ଘୋଷଣା ଆଜି ଅଳିଆ ଗଦାରେ । ଅଫ୍-ସିଜିନ୍‍ ପ୍ରତିଯୋଗିତରେ ଓଡ଼ିଶା ଦଳ ରେଗୁଲାର ଖେଳିବ । ଆମେ ବସନ୍ତ ବିଶ୍ୱାଳ ସ୍ମାରକୀ ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ କଟକରେ କରିବୁ । କିଛି ବିଶିଷ୍ଟ କ୍ରିକେଟରଙ୍କ ଦ୍ୱାରା ସ୍ପେଶାଲ କ୍ୟାମ୍ପ କରାଇବୁ ଏମିତି କେତେ ଘୋଷଣା ଆମ କାନରେ ବାଜିଛି । ଏସବୁ ଛାଡ଼ନ୍ତୁ ସିନିୟର ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତା କରାଯାଇପାରୁନାହାନ୍ତି ନିୟମିତ । ଅନ୍ୟ ରାଜ୍ୟ ସଂଘ ୧୦ ଓ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ତାହାରି ପଥରେ ଅଛନ୍ତି । ବଙ୍ଗଳା କ୍ରିକେଟ ସଂଘର ଭିଜନ୍- ଡକ୍ୟୁମେଣ୍ଟ ତ ତିଆରି କରିବାରେ ସହଯୋଗ କରିଛନ୍ତି ଭିଭିଏସ୍ ଲକ୍ଷ୍ମଣ ଏବଂ ମୁରଲୀଥରନଙ୍କ ପରି ଲିଜେଣ୍ଡ ।

ଆମ ବେଷ୍ଟ, ଆମ ଶ୍ରେଷ୍ଠଙ୍କୁ ବ୍ୟାକ୍ କରିବାର ଧାରା ହଟିଗଲାଣି କେବେଠୁ । ତେଣୁ କୌଣସି ଖେଳାଳି ସ୍ଥିର ନିଶ୍ଚିତ ନୁହଁନ୍ତି ନିଜକୁ ନେଇ । ଡେମୋକ୍ଲିସ୍ ଖଣ୍ଡା ମୁଣ୍ଡରେ ସମସ୍ତଙ୍କର । ଚିନ୍ତା ଶୂନ୍ୟ ପ୍ରଦର୍ଶନ ବାହାରିବ କିପରି? ଦଳ ପାଇଁ ଖେଳ ହେବ କେମିତି? ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ ଏହା ହିଁ ତେଣୁ ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି । ଏଥିରେ ଚମକେଇ ଦେବାର ପ୍ରଦର୍ଶନ ବାହାରିବ କି?

Leave A Reply

Your email address will not be published.