ଜଗୁ ମଉସା, ଆପଣ ଏବେ ବି ଅଛନ୍ତି …

(ଜଗନ୍ନାଥ ଶତପଥୀଙ୍କ ଦ୍ୱାଦଶାହ ଅବସରରେ..)

ସଂସାରରେ ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖିଆଲ୍ ମନକୁ ନେଇ ବଂଚନ୍ତି । ସେଇ ଖିଆଲ୍ ମନ ଭିତରେ ଚିରକାଳ ରହିବାକୁ ଭଲପାଆନ୍ତି, ସେଇଥିରେ ନିଜକୁ ହଜେଇପାରନ୍ତି, ନିଜକୁ ନିଜ ଭିତରେ ଭିଜେଇ ପାରନ୍ତି । ତାଙ୍କ ସ୍ୱପ୍ନ ହିଁ ତାଙ୍କ ସାମ୍ରାଜ୍ୟ, ତାଙ୍କ ପରିକଳ୍ପିତ ପୃଥିବୀ । ସେଇଠି ଥାଏ ନା ଦୁନିଆର କୋଳାହଳ ନା ଥାଏ କୌଣସି ବାଦ, କୌଣସି ପ୍ରତିଯୋଗିତା ।

ଅଥଚ ସେ ପରିକଳ୍ପିତ ପୃଥିବୀରେ କୌଣସି ଏକ ବେଳାରେ ଘୋଟି ଆସେ କାଳର କଳାବାଦଲ! ନିଜସ୍ୱ ପରିକଳ୍ପିତ ପୃଥିବୀ ଭିତରେ ଭିଜି ରହିଥିବା ସତ୍ତାଟିକୁ ଆଚ୍ଛାଦିତ କରିଦିଏ, ଭସାଇ ନିଏ ଅଫେରା ଦୁନିଆକୁ ।

ଦିନ ସବୁ ବିତିଯାଏ । କାଳର ପ୍ରବାହ, କାଳର ଗତି ଚାଲିଥାଏ ଅନବରତ । ଯାହା ଆସେ, ଯିଏ ଆସେ ସିଏ ଦିନେ ଚାଲିଯିବା ହିଁ ନିଧାର୍ଯ୍ୟ ।
ହେଲେ ପ୍ରଭାବିତ କରିପାରିଥିବା ବ୍ୟକ୍ତିତ୍ୱକୁ, ଆପଣାର କରିପାରିଥିବା ସତ୍ତାକୁ, ସ୍ମୃତିକୁ ଯେତେ ରୂପରେଖ ଦେଲେ ବି ତାହା କଣ ସଂପୂର୍ଣ୍ଣ ହୋଇପାରେ?
ଅସମ୍ଭବ, ଅସମ୍ଭବ…

ପ୍ରିୟ ଜଗୁ ମଉସା, ଆଜି ଦ୍ୱାଦଶାହ ଆପଣଙ୍କର । କୋଉଠି ମଉସା ଆପଣ, କୋଉଠି? ମୋତେ ଆପଣ ଦେଇଥିବା ପୁଳେ ବଂଶୀରେ, ବଂଶୀର ସ୍ୱାକ୍ଷରରେ, ଶୂନ୍ୟତାରେ, ଫଟୋରେ, ସ୍ମୃତିରେ, କେଉଁଠି ସତରେ?

ମଉସା, ଆଜି ବି ଏବେ ବି ମୋ କାନରେ ଶୁଭୁଛି “ହାଲୋ, ପପୁ…କଣ ଦେଖା ନାହିଁ ତମର । ଭଲ ଅଛ ଟି? କଣ କରୁଥୁଲ ଏଇଲେ? ବଇଁଶୀ ବଜଉଚ ତ? ନିଇତି ଟିକିଏ ଟିକିଏ ବଜଉଥ ।” ସେଇଠୁ ଆରମ୍ଭ, ଅନ୍ତ କୋଉଠି ନା ଆପଣଙ୍କୁ ଜଣାପଡୁଥିଲା ନା ମତେ ।

ମଉସା, ମନେ ଅଛି ଶେଷଥର ପାଇଁ ଆପଣ ମତେ ଫୋନ୍ କରିଥିଲେ ଜୁନ୍ ୧୯ତାରିଖ ଠିକ୍ ସଂଧ୍ୟା ୬ଟା ବେଳକୁ ।

-ହାଲୋ ମଉସା ନମସ୍କାର ।
ଆପଣ କହିଲେ “ହଁ ନମସ୍କାର । ଆହେ କି କଥା ଏଗୁଡାକ, ତମେ କଣ ଆଉ ଭୀମଟାଙ୍ଗି ଏରିଆ ମାଡିବନି କି? ଆହେ ଆଜି ପା ୩ଟା ବେଳକୁ ନ୍ୟୁଜ୍ ପଢୁଥିଲ । ସଂଧ୍ୟା ବେଳକୁ ବି ଥିବ?

-ମୁଁ କହିଲି, ହଁ ମଉସା ସଂଧ୍ୟା ୭ଟା ବେଳକୁ ନ୍ୟୁଜ୍ ଅଛି । ଆଜି ଆପଣ ଦେଇଥିବା ଆସାମୀ ଗାମୁଛାଟା ପକେଇକି ନ୍ୟୁଜ୍ ପଢା ହେବ, ଆପଣ ଦେଖିବେ । ଏବେ ଅଫିସ୍ ଯାଉଚି, ଫେରିଲେ କଥା ହେବି ।

ଆପଣ ହସିକି ଫୋନ୍ ରଖିଥିଲେ । ତା’ପରେ ଆପଣଙ୍କର ମୋର ଆଉ ମାତ୍ର ଥରେ ଦେଖା, ଥରେ ଫୋନ୍‌ରେ କଥାବାର୍ତ୍ତା । ସେଇଠୁ…
ସେଇଠୁ ଆପଣ ଅଫେରା ଠିକଣାର ବାସିନ୍ଦା, ଆମମାନଙ୍କର ସ୍ମୃତିର ଅଗଣାର ଅଭୁଲା ମଣିଷ…

ମୋ ସ୍ମୃତିରେ ଆପଣଙ୍କ ମୋ ସଂପର୍କର ସେ ଦିନ ସବୁ ଏବେ ଆଖି ଆଗରେ ଖେଳିଯାଉଚି, ଅତୀତର ଅନ୍ତରଙ୍ଗତା ସବୁ ଏ ମନରେ ଅନେକ ଥର କଥା କହୁଚି । ଆପଣ ତ ହୃଦୟରେ ନା! ଭାବୁଚି ଆପଣ ବି ଶୁଣିପାରୁଥିବେ ।
ଏକା ନିଃଶ୍ୱାସରେ ତମାମ୍ ସ୍ମୃତିର ସାମାନ୍ୟ ଝଲକ…

ମୋର ମନେ ଅଛି ମଉସା, ମୋହିନୀ ସାର୍‌ଙ୍କ (ଗୁରୁ ମୋହିନୀମୋହନ ପଟ୍ଟନାୟକ) ବଂଶୀ ଶିଖିବାକୁ ଯାଉଥାଏ । ଆରମ୍ଭ ଆରମ୍ଭ । ଦିନେ ସାର୍ ଆପଣଙ୍କ ପାଖକୁ ପଠେଇଥିଲେ ବଂଶୀଟେ ଆଣିବାକୁ । ସେଦିନର କଥା ଠିକ୍ ମନେ ପଡୁଚି ।

ମୋହିନୀ ସାର୍ କହିଥିଲେ “ବଳଭଦ୍ର, ଯିବୁ ଭୀମଟାଙ୍ଗିରେ ଆମ ଜଗୁ ବାବୁ ରହନ୍ତି, ଜଗନ୍ନାଥ ଶତପଥୀ । ସିଏ ବଢିଆ ବଂଶୀ ତିଆରି କରନ୍ତି । ଜଗୁ ବାବୁଙ୍କ ପାଖକୁ ଯାଇକି ଉ୰ବଂଶୀଟେ ଆଣିବୁ । ଆରଥରକୁ ଆସିଲା ବେଳକୁ ବଂଶୀଟା ନେଇକି ଆସିଥିବୁ । ମୋ ନାଁ କହିଲ ଜଗୁ ବାବୁ ବଢିଆ ବଂଶୀଟେ ଦେଇ ଦେବେ ।”

“ମୁଁ ପଚାରିଲି ସାର୍ ଜଗୁ ବାବୁ କିଏ?”

ସାର୍ କହିଲେ “ଆରେ ଆମ ଶ୍ରୀନିବାସର ବାପା ମ…ନେ ନମ୍ବର ନେ, କଥା ହେଇକି ଆଣିବୁ ।”
ମୁଁ ସେଦିନ ସଂଧ୍ୟା ବେଳକୁ ଫୋନ୍ କରିଥିଲି । “ହାଲୋ…ଆଜ୍ଞା ନମସ୍କାର, ମୁଁ ବଳଭଦ୍ର ରଥ କହୁଚି । ମୋହିନୀ ସାର୍ ଆପଣଙ୍କ ନଂବର ଦେଇଥିଲେ । ମତେ ବଂଶୀଟେ ଦରକାର ଥିଲା । ମତେ କହନ୍ତୁ କୋଉ ସମୟରେ ଯାଇକି ମୁଁ ଆଣିପାରିବି ?”
“ଆସୁନାହାନ୍ତି, ଘର ଦେଖିଛନ୍ତି ।”
-ମୁଁ କହିଲି ନାଁ ।

ଆପଣ କହିଲେ “ଭୀମଟାଙ୍ଗୀ ଭିମେଶ୍ୱର ମନ୍ଦିର ଗଳିରେ ପଶିକି ସିଧା ଆସିବେ । ସିଧା ଆସିକି ଦୁଇ ଦ୍ୱିତୀୟ ଗଳିରେ ପଶିବେ । ଦ୍ୱିତୀୟ ଗଳିର ତିନି ନମ୍ବର ଘରଟା । ଦୀନନାଥ ପାଠୀଙ୍କ ଘରର ଠିକ୍ ପଛ ଘରଟା ।”

-ମୁଁ କହିଲି ଦୀନନାଥ ପାଠୀଙ୍କ ଘର ଦେଖିଚି, ‘ଅବନ୍ତୀ’ ତ?

“ହଁ, ହଁ, ଦେଖିଛନ୍ତି ତ… ଯେତେବେଳେ ବି ଆସୁଛନ୍ତି ଆସନ୍ତୁ ମୁଁ ଘରେ ଥିବି ।”
ସାଇକେଲ୍‌ଟେ ଧରି ଖେଦି ଯାଇଥିଲି ଆପଣଙ୍କ ଘରକୁ । ଏକା ନିଶ୍ୱାସରେ ଠିକଣାରେ ପହଞ୍ଚି ଯାଇଥିଲି ।
ଯାଉ ଯାଉ ଆପଣ କହିଥିଲେ “ହଉ ବସନ୍ତୁ । ଚା’ ଟିକେ ପିଇବେ?”

ମୁଁ ମୁଣ୍ଡ ନାଡି ବୋଲେ-ଆଜ୍ଞା…
କୋଉଠି ରହୁଛନ୍ତି, ଘର କୋଉଠି, ବଇଁଶୀ କେବେଠୁ ଶିଖୁଛନ୍ତି, ମୋହିନୀ ସାର୍‌ଙ୍କ ପାଖକୁ କେବେଠୁ ଯାଉଛନ୍ତି…ଆପଣଙ୍କର ଏମିତି ଅନେକ ପ୍ରଶ୍ନ, କଥାବାର୍ତ୍ତା ଭିତରେ ଚା ପିଆ ସରେ । ପରିଚୟ ପର୍ବରୁ ହିଁ ଆପଣ ଆପଣାର କରି ନେଇଥିଲେ ।

ଚା’ ପିଆ ସରିବା ପରେ ଆପଣ ଆଣି ମୋ ଆଗରେ ଗଦେଇ ଦିଅନ୍ତି ବିଡେ ହବ ବଂଶୀ । ତାରି ଭିତରୁ ଗୋଟେ ବଂଶୀଟେ ବାହାର କରି ସହିତ ବି କରେଇ ଦେଲେ ।
“ନିଅ ଏଇଟା, ବଢିଆ ବାଜୁଚି ।”
-ମୁଁ ପାରିଚିଲି ଆଜ୍ଞା କେତେ ପଇସା ଏ ବଂଶୀଟା?
“ଆହେ ତମେ ନଉନ । ନିଅ, ବଜାଅ, ଶିଖ । ଏଇଟା ମଉସା ତରଫରୁ । ଆରଥରକୁ ଆସିଲେ ଦେଖିବା ।”

-ମୁଁ କହିଲି ନାଇଁ ନାଇଁ ଆପଣ କିଛି ପଇସା ବି ନିଅନ୍ତୁ ।
ଆପଣ ପଚାରିଲେ, “ଆଚ୍ଛା ବଳଭଦ୍ର ତମ ଡାକ ନାଁଟା କଣ, ଘରେ କଣ ଡାକନ୍ତି?”

-ମୁଁ କହିଲି ପପୁ, ପାପୁ, ପପୁନ୍‌…
ଆପଣ କହିଲେ “ପପୁକୁ ଏ ବଂଶୀଟା ମଉସା ଦେଲେ । ପପୁ ଆଉ ପଇସା କଥା ପଚାରିବନି ।”
“ହଉ ରାତି ହେଲାଣି ଯାଅ । ମୋ ନମ୍ବର ରହିଲା, ଫୋନ୍ କରୁଥିବ । ମଝିରେ ମଝିରେ ଆସୁଥିବ । ଯୋଉ ବଂଶୀଟା ଦରକାର ହବ ମତେ କହୁଥିବ ମୁଁ ବଢିଆ କିରି ତିଆରି କରିଦେବି ।”

-ମୁଁ କହିଲି ହଉ ମଉସା ଠିକ୍ ଅଛି । ମୁଁ ଫେରେ ।
ତାର ଠିକ୍ ସାତଦିନ ପରେ ଆପଣ ଫୋନ୍ କରିଥିଲେ “ହାଲୋ ପପୁ, ଆହେ ମୁଁ ଜଗୁ ମଉସା କହୁଛି । ତମେ ଯୋଉ ବଇଁଶୀଟା ନେଇଥିଲ ସେଇଟା ବଜେଇ ପାରୁଛ ତ, କେମିତି ବାଜୁଛି, ସାର୍ କଣ କହିଲେ…”

-ମୁଁ କହିଲି ମଉସା ମୁଁ ତ ଏବେ ଶିଖୁଛି, ମୁଁ କଣ ସେ ବିଷୟରେ ଭଲରେ ତ କହିପାରିବିନି । ମୋହିନୀ ସାର୍ କିନ୍ତୁ କହୁଥିଲେ ବଢିଆ ବଂଶୀଟେ…
ସେଇଠୁ ଆପଣ ମୋର ଅତି ନିଜର ହେଇଗଲେ, ଆପଣାର ହେଇଗଲେ ।

ସେବେଠୁ ଆପଣଙ୍କ ପାଖକୁ ମୋର ଯାଆଆସ ଲାଗେ । ଗଲେ ଅନେକ ସମୟ ଧରି ଅନେକ କଥା ଆପଣଙ୍କର ମୋର ହଉଥିଲେ, ଆପଣ କେମିତି ବଂଶୀ ତିଆରି କରୁଥିଲେ, ବଂଶୀ ପ୍ରତି ଭଲପାଇବାର ଆପଣଙ୍କ ସେଇ ସବୁ ଦିନମାନଙ୍କର କଥା, ପରିବାରର ଜଂଜାଳ ଭିତରେ ବଂଶୀ ନିଶାକୁ ଉଜେଇ ରଖିବାର କଥା, ପୁରୀ ଏସ୍‌ସିଏସ୍ କଲେଜ୍‌ରେ ଆପଣଙ୍କ ସେଇ ସବୁ ଦିନ, ବଡି ବିଲ୍ଡିଂ ପାଇଁ ନିଶା, ବ୍ୟାଙ୍କ୍ ଚାକିରିର ଜୀବନ, ହାର୍ଟ୍ ଅପରେସନ୍ ସବୁ କିଛି ମତେ କହିଛନ୍ତି । ସବୁ ଭିତରେ ସଂଗୀତ, ନୃତ୍ୟ, ପ୍ରତି ଆପଣ କେତେ ମାତ୍ରାରେ ସମର୍ପିତ ସେକଥା ମୁଁ ଅତି ପାଖରୁ ଲକ୍ଷ୍ୟ କରିଛି । ଶ୍ରୀନିବାସ ଭାଇନାଙ୍କୁ ଜଣେ ବଂଶୀବାଦକ, ବିଜୟିନୀ ନାନୀଙ୍କୁ ଓଡିଶୀ ନୃତ୍ୟ ପ୍ରତିଷ୍ଠିତ କରେଇବା, ସାନ ଭାଇନାଙ୍କୁ ମର୍ଦ୍ଦଳ କ୍ଷେତ୍ରରେ ଆଗକୁ ବଢେଇବାରେ ଆପଣଙ୍କ ଭଳି ଜଣେ ବାପା ସତରେ ବିରଳ । ଏକଥା ମୋ ଅପେକ୍ଷା ଭାଇନା ଓ ନାନୀ ଚିରକାଳ ସ୍ୱୀକାର କରିବେ ।

ମଉସା, ବଂଶୀ ତିଆରି ପ୍ରତି ଆପଣଙ୍କର ଦୁର୍ବଳତା ଏବଂ ଦୁର୍ବାର ଇଚ୍ଛାଶକ୍ତିକୁ ଦେଖିଛି । ଆପଣଙ୍କ ପାଖରେ ବସିକି ବଂଶୀ ବାବଦରେ ଅନେକ କିଛି ବୁଝିପାରିଛି । ବୟସର ଅପରାହ୍ନରେ ଆପଣଙ୍କ କର୍ମକୁଶଳତା ଏବଂ ନିଜ କଳ୍ପିତ ଦୁନିଆରେ ଡୁବିକି ରହିବାର ମଗ୍ନ ମାନସିକତାକୁ ଦେଖିଛି ।
କୋଉ ଦିନ ଖାଲି ପାଟିରେ ମତେ ଛାଡୁନଥିଲେ । “ପପୁ ଆଜି ଏଇଟା ହେଉଚି, ଆଜି ସେଇଟି ହେଇଚି, ଆଜି ପୋଇ ଚୁଙ୍ଗୁଡି ହେଇଚି, ଆଜି କୁନି (ଭାଉଜ) ଏଇଟା ଆଣିଛି, ଆଜି ସେଇଟା ଆଣିଛି ବୋଲି କହି ବଳେଇ ବଳେଇ ଖୁଆଉଥିଲେ ।”

ମୋ ହାତ ତିଆରି ବିରିୟାନୀର ଆପଣ ଥିଲେ ଜଣେ ମୁଗ୍ଧ ପ୍ରଶଂସକ । ଯେତେବେଳେ ଦେଖା ହେଲେ “ଆହା ପପୁ ତମର ସେ ବିରିୟାନୀ… ଆଃ…”

ମୁଁ ମଉସା ଦେହ କେମିତି ଅଛି ବୋଲି ପଚାରିଲେ ଆପଣ ହସି ହସି କହୁଥିଲେ “ଆହେ ପପୁ, ବୁଝିଲ ତମେ ସେ ଯୋଉ ଚବନପ୍ରାଆଶ ଦେଇନଥିଲ, ଆହେ ଖାଇବାକୁ ମନେ ପଡୁନି ହେ…ଏଥର ରେଗୁଲାର୍ ଖାଇବି…”

ମଉସା, ମୁଁ ‘ଜଗୁ ଫଁ ଫାଁ ସଂସାର…’ ନାଁରେ ଯେଉଁ କାର୍ଟୁନ୍‌ଟେ କରିକି ଆପଣଙ୍କୁ ଦେଇଥିଲି, ଆଜି ବି ସେଇଟା ଆପଣଙ୍କ କାନ୍ଥରେ ବନ୍ଧେଇ ହେଇ ଲାଗିଛି । ଆପଣ ସେଦିନ ଖୁବ୍ ହସିଥିଲେ ।

ଅଗଷ୍ଟ ମାସ ପରଠୁ ଆପଣଙ୍କୁ ଥରେ ଫୋନ୍ କରିଥିଲି । କିନ୍ତୁ ଆପଣ ଉଠେଇନଥିଲେ । ମୁଁ ବି ଏପଟେ ସେପଟ ହେଇ ଆଉ ଫୋନ୍ କରିପାରିନଥିଲି ।

ଆଜିକୁ ମାସକ ତଳର କଥା । ମାଉସୀ ଫୋନ୍ କରିଥିଲେ ତାଙ୍କ ନମ୍ବରରୁ “ପପୁ ଜାଣିଛ, ମଉସା ହସ୍ପିଟାଲ୍‌ରେ ଆଡ୍‌ମିଟି ହେଇଚନ୍ତି, ଆଇସିୟୁରେ ଅଛନ୍ତି । ଦେହ ବହୁତ ସିରିୟସ୍‌…”
ମୁଁ କହିଲି ମୁଁ ଜାଣିନି ମାଉସୀ, ମୁଁ କଥା ହେଉଛି ଶ୍ରୀନିବାସ ଭାଇନାଙ୍କ ସହ । ତାପରେ ଭାଇନାଙ୍କ ସହିତ କଥା ହେଇଥିଲି । ଭାଇନା ବି ବହୁତ ଚିନ୍ତାରେ ଥିଲେ, ଠିକ୍ ସେ କଥା ବି ହେଇପାରୁନଥିଲେ । ମତେ କହିଲେ ପପୁ ତମେ ହସ୍ପିଟାଲ୍ ଆସନି । ଭିତରକୁ ତ କାହାକୁ ଛାଡୁନାହାନ୍ତି । ଆସିକି କଣ କରିବ? ଯାହା ହେବ ମୁଁ ଜଣେଇବି । ଭାଇନାଙ୍କ କଥାରୁ ମୁଁ ବୁଝିପାରୁଥିଲି ଆପଣଙ୍କ ବିନା ସେ କେତେ ଅସହାୟ!

ସେଇଠୁ ନିୟମିତ ଭାବେ ଭାଉଜଙ୍କ ସହିତ ଯୋଗାଯୋଗରେ ଥିଲି । ଆପଣଙ୍କ ଫୋନ୍‌କୁ ଫୋନ୍ କଲେ ଭାଉଜ ଫୋନ୍ ଉଠଉଥିଲେ । ଅନେକ ସମୟରେ ମଣିଷ ଅସହାୟ!

ଆପଣଙ୍କ ଦେହ ସାମାନ୍ୟ ସୁସ୍ଥ ହେଲା ପରେ ଆପଣ ଘରକୁ ଫେରିଲେଣି ବୋଲି ଜାଣି ଘରକୁ ଯାଇଥିଲି । ପାଖରେ ବିଜୟିନୀ ନାନୀ । ଆପଣ ଖଟରେ ଶୋଇକି ଅନଉଛନ୍ତି । “ପପୁ, କେତେବେଳେ ଆଇଲ? ବସ ।” କଥା କହିବା ପାଇଁ ଆପଣଙ୍କର ଶକ୍ତି ସୁଦ୍ଧା ନଥିଲା । ମଉସା, ସଂପର୍କ ଆରମ୍ଭରୁ ସେ ଦିନ ଯାଏଁ ଆପଣ ଏତେ ନୀରବ ରହିବାର ମୁଁ କେବେ ଦେଖିନି । ଅ।।ପଣଙ୍କୁ ଚଳଚଞ୍ଚଳ କରେଇ ଦେବା ପାଇଁ ବିଜୟିନୀ ନାନୀଙ୍କର କେତେ ଆକୁଳ ଚେଷ୍ଟା ମୁଁ ଦେଖିଛି । ଆପଣଙ୍କ ଶଯ୍ୟାଶାୟୀ ଅବସ୍ଥାରେ ସମସ୍ତେ କେତେ ବିବ୍ରତ ଥିଲେ ମୁଁ ଅନୁଭବ କରିପାରିଥିଲି । ମୁଁ ବି ଆଉ ମୁହୂର୍ତ୍ତେ ରହିପାରିନଥିଲି ।

ତାପରେ ଆପଣ ପୁଣି ଆଡମିଟ୍ ହେଇଥିଲେ । ଯୋଉଦିନ ଆଡ୍‌ମିଟ୍ ହେଇଥିଲେ ତାର ଦି ଦିନ ପରେ ଭାଉଜ ମତେ କହିଥିଲେ “ପପୁ ବାବାଙ୍କ ଦେହ ବିଶେଷ ଆଉ ଭଲ ନାହିଁ । ଦେଖିବା କଣ ହେଉଛି!”

ତା ପରଦିନ, ମାନେ ୨୧ତାରିଖ ସକାଳ ୪ଟା ୫୨ରେ ଆପଣଙ୍କ ନମ୍ବରରୁ ହିଁ ଭାଉଜ ମେସେଜ୍ କରିଥିଲେ । ମୁଁ ଶୋଇଥିଲି, ତ ଦେଖିନଥିଲି । ଭାଉଜ ପୁଣି ୭ଟା ୪୬ରେ ଫୋନ୍ କରି କହିଥିଲେ “ପପୁ ରାତି ୩ଟାରେ ବାବା ଚାଲିଗଲେ! ୯ଟା ବେଳକୁ ସ୍ୱର୍ଗଦ୍ୱାର ନେବେ ।”
ତରତର ହେଉ ମୁଁ ଆପଣଙ୍କ ଘରେ ପହଞ୍ଚିଲା ବେଳକୁ ୯ଟା୫ ହେଇଗଲାଣି । ସେତେବେଳକୁ ଆପଣଙ୍କ ପାଇଁ ସ୍ୱର୍ଗଦ୍ୱାର ଆଡକୁ ଯାତ୍ରା ଆରମ୍ଭ ହେଇଯାଇଥିଲା । ମୁଁ ଦେଖିପାରିନଥିଲି । ଦେଖିଥିଲି ଦାଣ୍ଡରେ ଖାଲି ପଡିଥିଲା କିଛି ଖଇକଉଡି, ଠାଏଁ ଠାଏଁ ଫଗୁ…

ଘର ବାଉଣ୍ଡ୍ରି ଫାଙ୍କା । ନୂଆ ବଇଁଶୀ ତିଆରି ପାଇଁ ମଗେଇଥିବା ବାଉଁଶ ବିଡାଟେ ଥୁଆ ହେଇଚି । ଆପଣ ଶୋଉଥିବା ଖଟରେ ଶେଯ ନାହିଁ, ପଟା ଦିଶୁଛି, ଆଉ ସେ ଘରେ ସବୁଆଡେ ଶୂନ୍ୟରେ ଆପଣଙ୍କ ମୁହଁ । କାନରେ ଆପଣଙ୍କ ପୁରୁଣା ଦିନର କଥା…
ଅଭିମାନ ରହିଲା ମଉସା, ଅଭିମାନ ରହିଲା ।

ଆଜି ଦ୍ୱାଦଶାହ । କାଲି ଏକାଦଶାହ ସଭାକୁ ଯାଇଥିଲି । ଆପଣଙ୍କ ବ୍ୟାପକତାକୁ ହୃଦୟଙ୍ଗମ କରିପାରିଥିଲି । ଆପଣ ମୋ ପାଖରେ, ସମସ୍ତଙ୍କ ପାଖରେ ଥିଲା ଭଳି ଲାଗୁଥିଲେ । ହେଇଟି, ହେଇଟି ସରିଗଲା ବାରଦିନ…

ମଉସା ଆପଣ ଏ ଜଗତରେ ଆଜି ନାହାନ୍ତି, ତ କଣ ହେଇଗଲା ସେଇଠୁ? ଆପଣ ତ ସବୁଦିନ ପାଇଁ ମୋ ମନରେ ଅଛନ୍ତି, ହୃଦୟରେ ଅଛନ୍ତି । ମୋ ଶେଷ ଯାଏଁ ମୋ ହୃଦୟରେ ଯାହା ଆପଣଙ୍କ ସହିତ ଦେଖାସାକ୍ଷାତ । ଆଉ କଣ କହିବି ମଉସା । ରହିଲି ନମସ୍କାର ।

ଇତି ଆପଣଙ୍କର
ପପୁ
ବଳଭଦ୍ର ରଥ
ମୋ: ୯୯୩୮୧୧୬୧୪୪