Latest Odisha News

BREAKING NEWS

କାଶ୍ମିରୀ ପଣ୍ଡିତଙ୍କ ଅଭିଶପ୍ତ ଦିନ; ଜାନୁଆରୀ ୧୯ରେ ସାଜିଥିଲେ ବାରବୁଲା !

୧୯ ଜାନୁୟାରୀ ୨୦୨୦ରେ କଶ୍ମୀର ପଣ୍ଡିତ ଘାଟି ଛାଡିବାର ୩୦ ବର୍ଷ ପୂରଣ ହେଉଛି । ମାନବିକତା କଶ୍ମୀରରେ ସେ ଦିନ ବଳି ପଡି ଯାଇଥିଲା । ଏହି ଦିନଟି ଥିଲା କାଶ୍ମୀରର ମୂଳ ବାସିନ୍ଦାଙ୍କ ଲାଗି ଅଭିଶପ୍ତ ଦିନ । ନିରୀହ କଶ୍ମୀର ପଣ୍ଡିତଙ୍କୁ ଜବରଦସ୍ତ ତାଙ୍କ ଭିଟା ମାଟିରୁ ଛାଡି ଯିବା ପାଇଁ ବାଧ୍ୟ କରାଯାଇଥିଲା । ସେଦିନ ଦିଲ୍ଲୀ ସରକାରଠାରୁ ଆରମ୍ଭ କରି କୌଣସି ଯାଗାରେ ସେମାନଙ୍କ ବିକଳ ଚିତ୍କାର ପହଂଚିପାରି ନ ଥିଲା ।

ଆଜି ସେଦିନର ପ୍ରକୃତ ଅକୁହା କଥା ଓ କାହାଣୀକୁ ଆଜି ଭାରତୀୟ ଗଣମାଧ୍ୟମ ଗୁଡ଼ିକ ଲୋକଲୋଚନକୁ ଆଣିବାରେ ଲାଗିଛନ୍ତିି । ବିଭିନ୍ନ ଟିଭି ଚ୍ୟାନେଲ ଓ ଖବରକାଗଜରେ ସେଦିନର ନୃଶଂସ ଖବର ଏବେ ପ୍ରକାଶିତ ହେବାରେ ଲାଗିଛି । ପ୍ରକୃତରେ ସେଦିନ ମସଜିଦରେ ଭିନ୍ନ ସ୍ୱର ଶୁଭିଥିଲା । ତୁମେ କାଫିର…ପୁରୁଷମାନେ ଏହି ସ୍ଥାନ ଛାଡ । ନୀରିହ କାଶ୍ମୀର ପଣ୍ଡିତ ଅସହାୟ ହୋଇ ଶୁଣୁଥିଲେ ଶୈତାନର ପୈଶାଚିକ ଚେତାବନୀ । ଅଥବା ଆମ ଧର୍ମ ଗ୍ରହଣ କର । ଏହା ଥିଲା ତାଙ୍କର ଚେତାବନୀ । ଯେଉଁମାନେ ଭାବପ୍ରବଣ ହୋଇ ରହି ଯାଇଥିଲେ ସେମାନେ ଅନୁଭବ କରିଥିଲେ ସେଦିନ ନୃଶଂସତା, ନିର୍ଦ୍ଦୟତା ଓ ସ୍ୱାର୍ଥପରତା କ’ଣ ହୋଇପାରେ । କଶ୍ମୀର ମାଟି ଲାଲ ହୋଇ ଯାଇଥିଲା । ଝିଅ, ବୋହୂଙ୍କ ବିଷୟରେ ଆଲୋଚନା କରି ହେବନି…ରକ୍ତ ଗରମ ହୋଇ ଉଠିବ । ଆସନ୍ତୁ ଜାଣିବା ଭାରତୀୟ ସ୍ୱାଧୀନ ଇତିହାସର କଳଙ୍କିତ କାହାଣୀ । ସ୍ୱାଧୀନତା ପରେ ପାକିସ୍ତାନ ଆକ୍ରମଣ ଏବଂ କଶ୍ମୀର ଅବ୍ୟବଚ୍ଛେଦ ଅଙ୍ଗ କିପରି ହେଲା ସେ ସମ୍ପର୍କରେ ଆଲୋଚନା କରିବା ନାହିଁ । ଆମର ମୁଖ୍ୟ ବିଷୟ ହେଲା କଶ୍ମୀର ପଣ୍ଡିତଙ୍କ ପଳାୟନ ।

୧୯୮୯ ବେଳକୁ କଶ୍ମୀର ଘାଟିରେ ବହୁତ କିଛି ବଦଳି ଯାଇଥିଲା । ପାକିସ୍ତାନ ସମର୍ଥନରେ କେତେକ ଆତଙ୍କବାଦୀ ସଂଗଠନ ସେମାନଙ୍କ ଇଚ୍ଛାରେ ସରକାର ଚଳାଇବା ଆରମ୍ଭ କରି ଦେଇଥିଲେ । ଏଥିରେ ଜମ୍ମୁ-କଶ୍ମୀର ଲିବେରଶନ ଫ୍ରଂଟ ଆଗରେ ରହିଥିଲା । ରାଜୀବ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ଥିବା ବେଳେ କେକେଏଲଏଫ ପଣ୍ଡିତଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ । ୧୯୮୯ ସେପ୍ଟେମ୍ବର ୧୪ରେ ପଣ୍ଡିତ ଟିକାଲାଲ ଟପୁଲଙ୍କୁ ହତ୍ୟା କରାଯାଇଥିଲା । ସେ ଭାରତ ଏବଂ ପଣ୍ଡିତମାନଙ୍କ ପାଇଁ ଲଢ଼ୁଥିବାରୁ ଆତଙ୍କବାଦୀମାନେ ତାଙ୍କୁ ପ୍ରଥମେ ହଟାଇଥିଲେ । ଏହାର ଠିକ୍ ସପ୍ତାହ ପରେ ବିଚାରପତି ନୀଳକଣ୍ଠ ଗୁଂଜଙ୍କୁ ବିଚ୍ ରାସ୍ତାରେ ଗୁଳି ମରାଯାଇଥିଲା । ସେ ରାସ୍ତାରେ ୨ ଘଂଟା ପଡି ରହିଥିଲେ ମଧ୍ୟ ତାଙ୍କ ପାଖକୁ କେହି ଯାଇ ନ ଥିଲେ । ଗୁଂଜ ପୂର୍ବରୁ ମକବୁଲ ବଟ ନାମକ ଆତଙ୍କବାଦୀଙ୍କୁ ପାଶୀ ଦଣ୍ଡାଦେଶ ଶୁଣାଇଥିଲେ । ୧୯୯୦ ଜାନୁୟାରୀ ୪ରେ ସ୍ଥାନୀୟ ଉଦ୍ଦ୍‌ୁର୍ ଖବରକାଗଜରେ ହିଜବୁଲ ମୁଜାହିଦ୍ଦିନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା- ଇସଲାମ ଧର୍ମ ଆପଣାନ୍ତୁ ଅନ୍ୟଥା ଘର ଛାଡି ଚାଲି ଯାଅ । ୫ ତାରିଖରେ ଗିରିଜା ପଣ୍ଡିତ ଏବଂ ତାଙ୍କ ପରିବାରବର୍ଗଙ୍କୁ ଟାର୍ଗେଟ କରିଥିଲେ । ୬୦ ବର୍ଷୀୟ ମାଆଙ୍କ ଶବ ଜଙ୍ଗଲରୁ ମିଳିଲା, ଆଜି ଯାଁଏ ଝିଅର ପତା ମିଳି ନାହିଁ । ଉଭୟଙ୍କୁ ଧର୍ଷଣ ପରେ ହତ୍ୟା କରାଯାଇଥିଲା । ଏହା ପରେ ପ୍ରଥମ ପଣ୍ଡିତ ଭାବେ ଗିରିଜା ପଣ୍ଡିତ ସପରିବାର ସ୍ଥାନ ଛାଡି ପଳାୟନ କରିଥିଲେ । ଏହା ପରଠାରୁ କଶ୍ମୀରରେ କେବଳ ବରବାଦୀ ଦେଖିବାକୁ ମିଳିଥିଲା । ୧୯ ଜାନୁୟାରୀ ସମସ୍ତ ପଣ୍ଡିତଙ୍କ ଘର ବାହାରେ ଲେଖାଗଲା-କଶ୍ମୀର ଛାଡ, ଅଥବା ପରିଣାମ ଭୋଗ…ଇସଲାମ ଧର୍ମ ତମର ଶେଷ ରାସ୍ତା । ସେ ସମୟର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଇସ୍ତଫା ଦେଲେ ଏବଂ ସେଠାରେ ରାଜ୍ୟପାଳ ଶାସନ ଲାଗୁ ହେଲା । ରାଜ୍ୟପାଳ ଗିରିଶ ଚନ୍ଦ୍ର ସକ୍ସେନା ସେନାର ସାହାଯ୍ୟ ମାଗିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିଲେ । ବଳାତ୍କାର, ହତ୍ୟାରେ ସ୍ୱର୍ଗର ଭୂମି ନର୍କ ପାଲଟି ଯାଇଥିଲା । ୧୯ ରାତିରେ ମସ୍‌ଜିଦରୁ ପଣ୍ଡିତଙ୍କୁ ପଳାୟନ ପାଇଁ ଶେଷ ଧମକ ଦିଆଗଲା । ଭୟରେ ପଣ୍ଡିତମାନେ ପଳାୟନ କରିଥିଲେ ଆଉଁ ଯେଉଁମାନେ ନ ଗଲେ…..ଓହଃ.. ତାହା ବର୍ଣ୍ଣନା କରି ହେବ ନାହିଁ । ୫୦୦ କଶ୍ମୀର ହିନ୍ଦୁଙ୍କୁ ହତ୍ୟା କରାଗଲା । ୧୫୦୦ ମନ୍ଦିର ନଷ୍ଟ ହେଲା । ଦିଲ୍ଲୀର ଶରଣାର୍ଥୀ ଶିବିରରେ ଶହ ଶହ ପଣ୍ଡିତ କଲବଲ ଜୀବନ ଯାପନ କରିଥିଲେ । ଅନେକ ତା’ମଧ୍ୟରୁ ମୃତ୍ୟୁବରଣ କରିଥିଲେ । ୨୪ ଜାନୁୟାରୀରେ ରାଜ୍ୟପାଳ ଭାରତ ସରକାରଙ୍କ ସ୍ଥିତି ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ଉତର ଆସି ନ ଥିଲା । କଶ୍ମୀର ଘାଟିରେ ଛୋଟ ପିଲାଙ୍କ ଶବ, ଅର୍ଦ୍ଧ ଦଗ୍ଧ ବୃଦ୍ଧ, ବୃଦ୍ଧାଙ୍କ ଶବ ଏବଂ ମହିଳାମାନଙ୍କ ଶରୀର ପଡି ରହିଥିଲା । ୨୬ ଜାନୁୟାରୀ ୩୫୦,୦୦୦ ପଣ୍ଡିତ କାଶ୍ମିର ଛାଡିଲେ । ସେଦିନ ମାଟି ଲୁହରେ ଧୋଇ ହୋଇ ଯାଇଥିଲା । କଶ୍ମୀର ପଣ୍ଡିତବିହୀନ ହୋଇ ଯାଇଥିଲା । ଖବର ପାଇବା ପରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଏବଂ ଅନ୍ୟ ବିଜେପି କର୍ମକର୍ତା ପ୍ରଧାନମନ୍ତ୍ରୀ ବାସଭବନ ଆଗରେ ଆମରଣ ଅନଶନରେ ବସିଥିଲେ । ୬ ଫେବୃୟାରୀରେ ୨ ପ୍ଲାଟୁନ ସାମରିକ ବାହିନୀ ଗଲେ ମାତ୍ର ଆତଙ୍କବାଦୀ ସେମାନଙ୍କ ଉପରକୁ ପଥର ପକାଇଲେ । ସିଆରପିଏଫ ସମସ୍ତ ଘଟଣାର ରିପୋର୍ଟ ଦେବା ପରେ ଗୃହମନ୍ତ୍ରୀ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଅନୁମତି ନେଇ ରାଷ୍ଟ୍ରପତିଙ୍କୁ ଏଏଫଏସପିଏ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ । ରାଷ୍ଟ୍ରପତି ରାମାସ୍ୱାମୀ ଭେଙ୍କଟରାଘବନ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ । ସବୁ କିଛି ଏହା ପରେ ଧୀରେ ଧୀରେ ନୀରବ ହୋଇଗଲା । ଆଉ ରାଜୁତି ଚାଲିଲା ଶୈତାନଙ୍କର !

Leave A Reply

Your email address will not be published.