Latest Odisha News

BREAKING NEWS

ଉତ୍କଳ- ପ୍ରତିଟି ଓଡ଼ିଆ ପ୍ରାଣର ପ୍ରତିଧ୍ୱନି

(ମାତୃଭାଷା ଦିବସ ଅବସରରେ ସ୍ୱତନ୍ତ୍ର ଆଲେଖ୍ୟ)

ଓଡ଼ିଆ – କେବଳ ଏକ ଭାଷା ନୁହେଁ , ଏହା ପ୍ରତିଟି ଓଡ଼ିଆଙ୍କ ଛାତି ତଳେ ଚାପି ରହିଥିବା ସେହି ଅଖଣ୍ଡ ଶକ୍ତିଟିଏ । ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ , ଆର୍ଯ୍ୟରଷିମାନଙ୍କ ଉଦରା ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ବକମ, ତଥା ବହୁ ଭାଷାଭାଷୀ ମଣିଷଙ୍କ ବିଚିତ୍ର ମିଳନ ଭୂମି ଏ ଭାରତବର୍ଷ । ଏହାରି ଭିତରେ ଓଡ଼ିଆ ଓ ଓଡ଼ିଶାର ମହତ୍ତ୍ୱ ଟିକେ ନିଆରା । ଏହାର କଳେବରରେ ଭରି ରହିଛି ଏକ ନୂତନ ସ୍ୱାତନ୍ତ୍ର‌୍ୟ । ଏହାର ସଭ୍ୟତାର ପରିଭାଷା ସ୍ୱଚ୍ଛନୀରା ମନ୍ଦାକିନୀର ଧାରା ପରି ପବିତ୍ର । ଶ୍ରମ,ସାଧନା ଓ ସମର୍ପଣର ଉପାଦାନରେ ପରିସ୍ଫୁଟ ଆମ ଓଡ଼ିଶା ପ୍ରଦେଶ ଏକ ମହାଭାରତୀୟ ଚେତନାର ଆଦ୍ୟରୂପ । ଏଠି ଗାଁର ମଧୁମୟ ପରିବେଶ ସାଙ୍ଗକୁ ପରିବାରର ପ୍ରେମପ୍ରଣୟ ବେଶ ଜୀବନ୍ତ ହୋଇଉଠେ । ସେଇଥିପାଇଁ ତ ଆମେ ଛାତିଫୁଲେଇ କହିପାରୁଛେ ମୁଁ ଓଡ଼ିଆ , ଓଡ଼ିଆ ମୋର ଭାଷା । ଓଡ଼ିଆର ମନ୍ତ୍ରଧ୍ୱନିରେ ଧ୍ୱନିତ ଓଡ଼ିଶା । ପ୍ରତିବର୍ଷ ଏପ୍ରିଲ ୧ତାରିଖକୁ ଆମେ ଉତ୍କଳ ଦିବସ ଭାବେ ପାଳନ କରୁ ସତ କିନ୍ତୁ କାହିଁକି କେଉଁଠି ନା କେଉଁଠି ଏହି ଦିନ ଉତ୍କଳ , ଉଡ଼୍ର , ଓଡ଼ିଶା ପ୍ରତି ମନ ଭିତରେ ଥିବା ଆବେଗପଣ ଆଉ ଟିକେ ଜୀବନ୍ତ ହୋଇଉଠେ । ନିଜ ଭାଷାକୁ ନେଇ ଗର୍ବ କରିବାକୁ ମନେ ହୁଏ ।

ଭାଷା ହିଁ ଜୀବନ ଶକ୍ତି ଜୀବ ମାନଙ୍କର , ଯେଉଁ ଜାତି ଭାଷାହୀନ ସେ ଜାତି ବର୍ବର । ବୈଦିକ ଯୁଗରେ ବି ବେଦର ଭାଷା ଥିଲା ମୁନିରଷି ମାନଙ୍କ ଭାଷା । ସୁତରାଂ ସବୁ ସମୟରେ ଭାଷା ହିଁ ଜୀବନଯମୁନାରେ ଏକ ନୂତନତା ଓ ଆତ୍ମୀୟତାର ସରଳରେଖା ଟାଣିଥାଏ । ଏହାର ଗତି ନିର୍ଣ୍ଣିତ ଓ ସ୍ୱାଦ ବି ଅପରିବର୍ତ୍ତିତ । ଭାଷା ମଣିଷର ଭୂଷଣ । ଠିକ୍ ସେମିତି ଓଡ଼ିଆ ଆମ ମାତୃଭାଷା । ସମୟର ଗତାନୁଗତିକ ପରିବର୍ତ୍ତନ ସହିତ ଆଜି ଓଡ଼ିଆ ମାନେ ନିଜ ମାତୃଭାଷାକୁ କହିବା ପାଇଁ ବି ଲାଜ କରୁଛନ୍ତି । ଅତ୍ୟନ୍ତ ପରିତାପର ବିଷୟ ଆଜିର ଓଡ଼ିଆ ମାନେ ବିଦେଶୀ ଭାଷାର ନିଶାରେ ମାତି ଯାଇଛନ୍ତି । ସେଇପାଇଁ –

ବର୍ଣ୍ଣବୋଧ ଭାଷା ଆଜି ବିବର୍ଣ୍ଣ ହେଲାଣି
ବିଦୀର୍ଣ୍ଣ ହେଉଛି ଛାତି
ଦେଖି ସ୍ୱଦେଶୀଙ୍କ ବିଦେଶିନୀ ମୋହ
କାନ୍ଦେ ଭାଷା ସଂସ୍କୃତି
ଦେଶଜାତି ପ୍ରୀତି , ଇଂରାଜୀ ଭାଷାର ନିଶାରେ ମାତିଛି
ମାତାଲ ଓଡ଼ିଆ ଜାତି ।

ବିଶ୍ୱସ୍ତରରେ ପରିଚିତ ଆମ ଓଡ଼ିଶା ଭାଷା । କାହିଁକି ନା ଆମେ ଓଡିଆ , ଆମ ଭାଷା ଓଡ଼ିଆ । ସେଥିପାଇଁ ନିଜକୁ ସଜାଗ ରଖିବାକୁ ହେବ । ଭବିଷ୍ୟତରେ ଯେମିତି ଭାଷା ସମସ୍ୟା ସୃଷ୍ଟି ନ ହଉ , ଆଂଚଳିକତାକୁ ଜଳାଂଜଳି ଦେବାକୁ ହେବ – ଏକଥାକୁ ସ୍ମରଣ ରଖିବାକୁ ହେବ । ଏକ ପରିବାର ,ଏକ ଭାଷା ଏହି ଉକ୍ତିରେ ନିଜକୁ ପରିଚାଳିତ କରିବାକୁ ହେବ ।

ମା’ ର ଭାଷା ହିଁ ମାତୃଭାଷା । ଏହା ଯେତେ ସୁନ୍ଦର ସରସ ସାବଲୀଳ ଅନ୍ୟ କୌଣସି ଭାଷା କେବେ ଏହାର ସମକକ୍ଷ ହୋଇପାରିବ ନାହିଁ । ମାତୃଭାଷାରେ ଗୋଟିଏ ଜାତିର ସ୍ୱାଭିମାନ୍ ପ୍ରକଟିତ । ମାତୃଭାଷାକୁ ନିନ୍ଦା ଆଉ ଅବମାନନା କରିବା ଲୋକ ଜାତିଦ୍ରୋହୀ । ଗଙ୍ଗାଧର ମେହେର ଦିନେ କହିଯାଇଥିଲେ

”ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।”

ଯେଉଁ ଦେଶର ଭାଷା ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ । କୌଣସି ଉନ୍ନତ ଦେଶର ସାହିତ୍ୟ ଓ ସଂରକ୍ଷଣ ତାହାର ଭାଷା ଦ୍ୱାରା ପ୍ରଭାବିତ ହୋଇଥାଏ । ଫଳରେ ସେ ଦେଶର ଶିକ୍ଷା ଓ ସଂସ୍କୃତି ଆପେଆପେ ବିକଶିତ ହୁଏ । ଠିକ ଏହି କାରଣରୁ ଇଂରାଜୀ ଭାଷା ବିଶ୍ୱ ଦରବାରରେ ଜନାଦୃତ ହାଇ ପାରିଛି । ଯେଉଁ ଦେଶର ଭାଷା ଦୁର୍ବଳ, ସେ ଦେଶ ପ୍ରଗତି ସେତେ ମନ୍ଥର ।

ଯଦିଓ ପୃଥିବୀର ବିକଶିତ ଭାଷା ମାନଙ୍କ ମଧ୍ୟରେ ଇଂରାଜୀ ଅନ୍ୟତମ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଟେଲିଯୋଗାଯୋଗ କ୍ଷେତ୍ରରେ ପ୍ରାଧାନ୍ୟ ଅଧିକ, ତଥାପି ଫ୍ରାନ୍ସ, ଜାପାନ୍‌, ନେଦରଲ୍ୟାଣ୍ଡ ପ୍ରଭୁତି ଦେଶ ନିଜ ମାତୃଭାଷା ରେ ଶିକ୍ଷାଲାଭ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମାତୃଭାଷା ରେ ଶିକ୍ଷାଦାନ କରିବା ଶିକ୍ଷକ ମାନଙ୍କ ପାଇଁ ସହଜ ଆଉ ଏହାକୁ ହଜମ କରିବା ଛାତ୍ରମାନଙ୍କ ପାଇଁ ମଧ୍ୟ ସହଜ । ଏହା ମନ ଓ ହୃଦୟ ଉଭୟଙ୍କୁ ଛୁଇଁପାରେ । ହୁଏତ ଅଳ୍ପ କେତେଙ୍କ ପାଇଁ ପ୍ରବାସୀ ଭାଷା ସୁବୋଧ ହୋଇପାରେ ପରନ୍ତୁ ଅଧିକାଂଶ ପିଲାଙ୍କ ପାଇଁ ଏହା ଦୁର୍ବୋଧ । ତେଣୁ ଯେତେ ଡିଣ୍ଡିମ ପିଟି ପ୍ରବାସୀ ଭାଷା ର ପ୍ରଚାର କଲେବି ଏହା ଧର୍ମ କୁ ଆଖି ଠାର ପରି । ଏବର ଭାରତ ବର୍ଷରେ ଏବେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନକୁ ପ୍ରସାର କରାଯାଉଛି । ଏହି ଶିକ୍ଷାଧାରରେ ମନୁଷ୍ୟ ପାଶ୍ଚାତ୍ୟ ର ଅନୁଗାମୀ ହୋଇଯାଇଛି । ଫଳରେ ଆଜି ବୈକୁଣ୍ଠ ନର୍କ ହୋଇଯାଇଛି । ସବୁ ସରକାରୀ କାର୍ଯ୍ୟଳୟରେ ଇଂରାଜୀ ଫଳକ ଲାଗୁଚି । ସରକାରୀ ଚିଠିପତ୍ର ରେ ଇଂରାଜୀ ଶବ୍ଦ । ଯାହାର ପରିଣତି ହେଉଛି ଭାରତର ବ୍ରେନଡ୍ରେନ । ଆମ ଦେଶରେ ବହୁ ଭାଷା ପ୍ରଚଳିତ । ଏମାନଙ୍କ ମଧ୍ୟରେ ସଂହତି ସହାନୁଭୂତି ଭରି ରହିଛି । ବିବିଧତା ଭିତରେ ଏକତା ଆମର ମୂଳମନ୍ତ୍ର । ପରନ୍ତୁତ୍ତବର୍ତ୍ତମାନ ସେଇ ମମତାବନ୍ଧନର ଶିଥିଳ ହୋଇଯାଇଛି । ସଂପ୍ରଦାୟିକତା ବଢିଛି । ସୋହାର୍ଦ୍ୟ କମୁଛି । ଓଡିଆ ଲୋକ ଆନ୍ଧ୍ରରେ ଓଡିଆ କହିଲେ ମାଡ ଖାଇବାକୁ ପଡୁଛି ।

ଅବଶ୍ୟ ଭାରତ ବର୍ଷରେ ଏବେ ଇଂରାଜୀ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏହାର କୁପରିଣତି କାହାକୁ ଅବିଦିତ ନୁହେଁ । ଏହାର ଶିକ୍ଷାଧାର ରେ ପ୍ରଭାଭିତ ହୋଇ ମାନବ ପଶ୍ଚାତ୍ୟର ଅନୁଗାମୀ ହୋଇ ପାରିବାରିକ ସମ୍ପର୍କ ଛିନ୍ନ କରୁଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାରତରେ ବାସ କରୁଥିବା ଯେତେଜଣ ବ୍ୟକ୍ତି ନୋବେଲ ପୁରସ୍କାର ପାଇଛନ୍ତି ତାଠୁ ଅଧିକ ପ୍ରବାସୀ ଭାରତୀୟ ପାଇଛନ୍ତି । ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ପ୍ରବାସୀ ଭାଷା ମାଧ୍ୟମରେ ଶିକ୍ଷିତ ଯୁବ ଗୋଷ୍ଠି ମାତୃଭୂମି ପ୍ରତି ମମତା ନାହିଁ । ଜନ୍ମଭୂମି ପ୍ରତି ଆନୁଗତ୍ୟ ନୁହନ୍ତି । ନିଜର ସ୍ୱାର୍ଥ ସାଧନ ପାଇଁ ମା’ ପେଟରେ ଛୁରୀ ଚଲେଇବାକୁ ସେମାନେ କୁଣ୍ଠିତ ନୁହନ୍ତି । ଫଳରେ ରାଜଠାକୋରଙ୍କ ପରି ବିଛିନ୍ନ ବାଦ ନେତାଙ୍କ ଉଦ୍ଭବ ଘଟୁଛି । ମୁମ୍ବାଇ ଫର୍ ମରାଠୀ ଶବ୍ଦରେ ହିନ୍ଦୁସ୍ତାନ ସ୍ତବ୍ଧ ହୋଇଯାଇଛି । ତେଣୁ ଏ ପ୍ରକାର ଅବ୍ୟବସ୍ଥା ରୁ ରକ୍ଷା ପାଇବାକୁ ହେଲେ ମାତୃଭାଷାରେ ଶିକ୍ଷାଦାନ ନିତ୍ୟାନ୍ତ ଜରୁରୀ ।
ମଣିଷ ନିଜ ସ୍ୱାଭିମାନକୁ ନେଇ ବଂଚେ । ମାତୃଭାଷା ଆମ ମନର ସେହି ସ୍ୱାଭିମାନ ସୃଷ୍ଟି କରେ । ଏହାକୁ ଉଜ୍ଜୀବିତ କରିବା ଏକାନ୍ତ କାମ୍ୟ ।
‘ଲେଖିବା ଓଡ଼ିଆ ପଢିବା ଓଡ଼ିଆ କହିବା ଓଡ଼ିଆ କଥା
ବିଶ୍ୱଦରବାରରେ ଉନ୍ନତ କରି ଚାଲିବ ନିଜର ମଥା ।’

ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର, ଭଦ୍ରକ, ମୋ – ୯୪୩୮୪୬୭୦୭୯

Leave A Reply

Your email address will not be published.