Latest Odisha News

BREAKING NEWS

ମାଓବାଦୀଙ୍କ ସହିଦ ସପ୍ତାହ ପାଇଁ ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ । ଯାହାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୋଲିସ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଆନ୍ତଃ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ମାଓବାଦୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ।

ଏସଓଜି, ସିଆରପିଏଫ୍, ବିଏସ୍ଏଫ୍ ପକ୍ଷରୁ ନିୟମଗିରି ଭଳି ସମ୍ବେଦନ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପାତ୍ର । ରାୟଗଡ଼ା ଜିଲ୍ଲାକୁ ଲାଗିଥିବା କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଛି ।

ଗତକାଲି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରିର ପାରସାଲି  ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ଲଗାଇ ନିଜ ଉପସ୍ଥିତି ଜାହିର୍ କରିଥିଲେ । ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ନାଁରେ ପୋଷ୍ଟର ଲଗାଇବା ସହ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଥିଲେ । ସହିଦ ସପ୍ତାହରେ ମାଓବାଦୀ ନିଜ ସ୍ଥିତି ଜାହିର କରିବା ପାଇଁ କିଛି ଅଘଟଣ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ପରେ ପୋଲିସ ସାରା ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି ।

ମାଓ ପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡ଼ା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ ସିଆରପିଏଫ୍, ବିଏସ୍ଏଫ୍ ଯବାନ କମ୍ବିଂରେ ସାମିଲ୍ ହୋଇଛନ୍ତି । ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତୀକ୍ଷଣ୍ ଦୃଷ୍ଟି ରଖିଛି ପୋଲିସ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ପୋଲିସ୍ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି ।

ଏଥି ସହିତ ଆନ୍ତଃ ଜିଲ୍ଲା ସୀମା ଉପରେ କଡ଼ା ନଜର ରଖିଛି ପୋଲିସ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତା ସିଲ୍ ସହ ମାଓ ପ୍ରଭାବିତ ଗାଁ ଗୁଡ଼ିକ ଉପରେ ପୋଲିସ ନଜର ରଖିଛି । ମୁନିଗୁଡ଼ା-ଚନ୍ଦ୍ରପୁର, ଲ୍ୟାଣସିଂହପୁର-ତ୍ରିଲୋଚନପୁର-କଳାହାଣ୍ଡି, ଅମ୍ବାଦଳା-ବେଲଘର, ମୁନିଗୁଡ଼ା-କୋଟଗଡ଼-ବାଲିଗୁଡ଼ା ରାସ୍ତା ଉପରେ ମାଓବାଦୀ ଅଘଟଣ ଘଟାଇବାର ଆଶଙ୍କା ରହିଛି ।

ସହିଦ ସପ୍ତାହର ପ୍ରଥମ ଦିନରେ ରାୟଗଡ଼ା ଜିଲ୍ଲାର କୌଣସି ସ୍ଥାନରେ ମାଓବାଦୀ ପୋଷ୍ଟର, ବ୍ୟାନର ଲଗାଇବାରେ ସକ୍ଷମ ହୋଇନାହାନ୍ତି । ମାଓବାଦୀଙ୍କ ସହିଦ ସପ୍ତାହକୁ ଗୁରୁତର ସହ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ କମ୍ବିଂ, ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଥିବା କହିଛନ୍ତି ଅତିରିକ୍ତ ଏସପି ।

ଓଡ଼ିଶା ରାଜ୍ୟ ପରିବହନ ବିଭାଗ ରାୟଗଡ଼ା ଶାଖା ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ରାୟଗଡ଼ାରୁ ୫ଟି ରୁଟରେ ସରକାରୀ ବସ୍ ଚଳାଚଳ କରୁଥିବା ବେଳେ ରାୟଗଡାରୁ ତଙ୍ଗାପାଇ, କାଶୀପୁର, ରାମପୁର, ଚନ୍ଦ୍ରପୁର ଓ ରାୟଗ଼ଡ଼ାରୁ ନାରାୟଣପାଟଣାକୁ ଯାଉଥିବା ସମସ୍ତ ବସକୁ ବନ୍ଦ କରାଯାଇଛି । ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.