Latest Odisha News

BREAKING NEWS

କୃଷ୍ଣଚନ୍ଦ୍ର ଗଜପତି

କୃଷ୍ଣଚନ୍ଦ୍ର ଗଜପତି

(୧୮୯୨-୧୯୭୪)
କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଓଡ଼ିଶାର ଅଂଧକାର ସମୟକୁ ଆଲୋକିତ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ନବନିର୍ମାଣ କରିବା ପାଇଁ ଆଜୀବନ ଉଦ୍ୟମ କରିଥିବା ହାତଗଣତି କେତେଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିବେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ । ପାରଳାଖେମୁଣ୍ଡିର ଏହି ସୁଯୋଗ୍ୟ ଶାସକ ବାସ୍ତବରେ ଓଡ଼ିଶାର ଥିଲେ ଯୁଗପୁରୁଷ । ୧୮୯୨ ମସିହା ଏପ୍ରିଲ୍ ୨୬ ତାରିଖରେ ମହେନ୍ଦ୍ରତନୟା ନଦୀ କୂଳରେ ଥିବା ପାରଳାକୃଷ୍ଣ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର । ସ୍ଥାନୀୟ ମହାରାଜା ହାଇସ୍କୁଲରେ ଶିକ୍ଷା ଗ୍ରହଣ ପରେ ସେ ମାନ୍ଦ୍ରାଜର ନିଉଇଙ୍ଗଟନ୍ ରାଜକୁମାର କଲେଜରେ ଉଚ୍ଚତର ଶିକ୍ଷା ଲାଭକଲେ । ୧୯୧୩ରେ ସେ ପାରଳାଖେମୁଣ୍ଡି ଫେରିଆସିବା ପରେ ତାଙ୍କର ରାଜାଭିଷେକ ହେଲା ଓ ସେ ଗାଦୀରେ ବସିଲେ । ସେତେବେଳକୁ ମଧୁବାବୁ ଉତ୍କଳ ସମ୍ମିଳନୀ ଗଠନ କରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବା ଲକ୍ଷ୍ୟରେ ନାନା ବିରୋଧ ଓ ପ୍ରତିକୂଳର ସାମ୍ନା କରୁଥିଲେ । ଓଡ଼ିଆ ଜାତିର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କୃଷ୍ଣଚନ୍ଦ୍ର ଆଉ ଚୁପ୍ ହାଇ ରହିପାରିଲେ ନାହିଁ । ୧୯୧୪ରେ ସେ ମଧୁବାବୁଙ୍କୁ ଭେଟି ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଅଂଶ ଗ୍ରହଣ କଲେ । ସମୁଦାୟ ବିଚ୍ଛିନ୍ନାଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା, ଓଡ଼ିଆ ସ୍କୁଲ୍ ପ୍ରତିଷ୍ଠା କରି ଓଡ଼ିଆ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଆଦି କାର୍ୟ୍ୟକ୍ରମମାନ ହାତକୁ ନେଇ ସେ ଅକୁଣ୍ଠ ଚିତ୍ତରେ ନିଜର ଅର୍ଥ, ଶ୍ରମ ଓ ବୁଦ୍ଧିମତାର ବିନିଯୋଗ କରିଚାଲିଲେ । ପ୍ରଥମ ବିଶ୍ୱଯୁଦ୍ଧରେ ସହଯୋଗ କରି ସେ ଇଂରେଜ୍ ସରକାରଙ୍କଠାରୁ ଲେଫ୍ଟନାଣ୍ଟ୍ ପଦବୀ ପାଇଥିଲେ । ୧୯୩୦ରେ ଇଂଲଣ୍ଡରେ ଅନୁଷ୍ଠିତ ଗୋଲ୍ଟେବୁଲ୍ ବୈଠକରେ ସେ ଯୋଗଦେଇଥିଲେ ଓ ସେଠାରେ ସ୍ମାରକପତ୍ର ପାଠ କରିବା ପାଇଁ ସୁଯୋଗ ନମିଳିବାରୁ ଇଲଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ ଓ ଓଡ଼ିଶା ବିଷୟରେ ତାଙ୍କର ମତ ରଖିଥିଲେ । ଶେଷରେ ଗୋଲଟେବୁଲ୍ ବୈଠକରେ ଓଡ଼ିଶା ପ୍ରଦେଶ ଗଠନର ଦାବିକୁ ଇଂରେଜ୍ ସରକାର ଘୋର ଅନିଚ୍ଛା ସତ୍ତ୍ୱେ ବି ମାନି ନେଇଥିଲେ । ଓଡ଼ିଶା ପ୍ରଦେଶ ଗଠନ ପରେ ୧୯୩୭ରେ ସେ ବିଧାନସଭା ନିର୍ବାଚନରେ ଭାଗ ନେଇ ଓଡ଼ିଶାର ସର୍ବପ୍ରଥମ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ପୁନର୍ବାର ୧୯୪୧ରେ ଅନ୍ୟ କେତୋଟି ଦଳର ସମର୍ଥନରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରି ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନମାନ ତାଙ୍କ ଉଦ୍ୟମରେ ସଂଭବ ହୋଇଥିଲା । ୧୯୭୪ ମସିହା ମେ ୨୫ ତାରିଖରେ ଏହି ମହାନ ଜନନାୟକଙ୍କର ପରଲୋକ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.