Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇ ସ୍କୁଲ ସାର୍ଟିଫିକେଟ୍ ଏକଜ୍ୟୁକେସନ (ଏଚଏସଇ) ପରୀକ୍ଷା ଶୁକ୍ରବାର ଦିନ ଠାରୁ ରାଜ୍ୟର ପ୍ରାୟ ୨,୯୫୩ କେନ୍ଦ୍ରରେ ଆରମ୍ଭ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ପରୀକ୍ଷାର୍ଥୀମାନେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଛନ୍ତି । ଏଥିସହିତ ପ୍ରାୟ ୯ଟା ୩୦ମିନିଟ୍ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଓଏମଆର୍ ସିଟ୍ ପ୍ରଦାନ କରାଯାଇ ଥିବା ବେଳେ ସକାଳ ୧୦ ମିନିଟରେ ପରୀକ୍ଷା ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୬ଟାରୁ ସକାଳ ୮ଟା ୩୦ମିନିଟ୍ ମଧ୍ୟରେ ସମସ୍ତ ନୋଡାଲ କେନ୍ଦ୍ର ଗୁଡିକୁ ପ୍ରଶ୍ନପତ୍ର ପହଞ୍ଚିଥିଲା । ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଦ୍ୱାରା ଓଏଏସ, ଓଇଏସ୍ ଏବଂ ଓଏଫଏସ୍ ର‌୍ୟାଙ୍କରେ ଯାଞ୍ଚ କରଯାଇଥିଲା । ୨ୟ ପର୍ଯ୍ୟାୟରେ ସକାଳ ୯ଟା ୪୫ ମିନିଟ୍ ସମୟରେ ନିରୀକ୍ଷକ ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ସକାଳ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା ।

ପୂର୍ବବର୍ଷ ଭଳି ଚଳିତବର୍ଷ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ପଢିବା ପାଇଁ ଅତିରିକ୍ତ ୧୫ମିନିଟ୍ ସମୟ ପ୍ରଦାନ କରାଯିବ ନାହିଁ ।

ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୪୫ ହଜାର ୩୬୪ ଜଣ ରେଗୁଲାର୍, ୨୫,୦୦୮ ଜଣ ଏକ୍ସ-ରେଗୁଲାର୍, ଏବଂ ୨,୧୦୬ ଜଣ ରେଗୁଲାର କରେସପଣ୍ଡେଣ୍ଟ ଏବଂ ୨୧୧ ଜଣ ଏକ୍ସ-ରେଗୁଲାର କରେସପଣ୍ଡେଣ୍ଟ ପରୀକ୍ଷାର୍ଥୀ ରହିଛନ୍ତି ।

ଆହୁରି ମଧ୍ୟ ମାଟ୍ରିକ୍ ପରୀକ୍ଷା ସକାଳ ୧୦ ଟାରୁ ଦିନ ୧୨ଟା ୩୦ମିନିଟ୍ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ କେବଳ ଗଣିତ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୪୫ମିନିଟ୍ ସମୟରେ ସରିବ ।

ସେହିପରି ମଧ୍ୟମା ଏବଂ ଓଡିଶା ରାଜ୍ୟ ଓପନ୍ ସ୍କୁଲ୍ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ଟା ୩୦ମିନିଟ୍ ଯାଏଁ ଚାଲିବ । ଯେଉଁଥିରେ ୩,୦୦୯ ଜଣ ଛାତ୍ର ମଧ୍ୟମା ପରୀକ୍ଷା ଦେବାକୁ ଥିବାବେଳେ ଓଡିଶା ରାଜ୍ୟ ଓପନ୍ ସ୍କୁଲର ପ୍ରାୟ ୧୨,୦୧୨ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

Leave A Reply

Your email address will not be published.