Latest Odisha News

ଆପୋଲୋ ହସ୍ପିଟାଲରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସଡ଼଼କ ଦୁର୍ଘଟଣା ନିରାପତ୍ତା ଏବଂ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହକୁ ଅସ୍ଥି ଓ ଗଣ୍ଠି ସପ୍ତାହ ଭାବେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।

ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର, ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ, ନାଗରିକ ମଞ୍ଚ ଆଦି ବିଭିନ୍ନ ଗୋଷ୍ଠୀକୁ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ପ୍ରଦାନ କରାଯାଏ । ଚଳିତବର୍ଷ ଏହାର ଥିମ୍ ରହିଛି ‘ପ୍ରତ୍ୟେକ ବ୍ୟକ୍ତି ଜଣଙ୍କୁ ଶିଖାନ୍ତୁ ଏବଂ ଜଣଙ୍କୁ ବଞ୍ଚାନ୍ତୁ ।’

ସଡ଼କ ଟ୍ରାଫିକ୍ ନିରାପତ୍ତା ଓ ହାଡ଼ଗଣ୍ଠି ସ୍ୱାସ୍ଥ୍ୟ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ଆପୋଲୋ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଦେବବ୍ରତ ପାଢ଼ୀ ସଂଯୋଜନା କରିଥିଲେ । ପୂର୍ବତନ ସାଂସଦ ତଥା ଦକ୍ଷ ସାଇକେଲ୍ ଚାଳକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ସିଓଓ ଅଧ୍ୟକ୍ଷତା କରିଥିଲେ ।

ଏଥିରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନର ସମ୍ପାଦକ ଡାକ୍ତର ବସନ୍ତ କୁମାର ବେହେରା, ଡାକ୍ତର ଆରକେ ମହାପାତ୍ର, ଡାକ୍ତର କେଆର୍ ମହାପାତ୍ର, ଡାକ୍ତର ପିସି ଦେ, ଡାକ୍ତର ଏକେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଡ. ଦେବବ୍ରତ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିବା ସହ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସର ମହତ୍ତ୍ୱ ଏବଂ ଜୀବନ ରକ୍ଷା ପାଇଁ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସାଇକ୍ଲୋଥନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

ସମସ୍ତଙ୍କ ହାଡ଼ ଓ ଗଣ୍ଠି ସ୍ୱାସ୍ଥ୍ୟ ଏବଂ ସଡ଼କ ଦୁର୍ଘଟଣା ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ ସିଦ୍ଧାନ୍ତ ମହାପାତ୍ର । ଡାକ୍ତର ଆଲୋକ ଶ୍ରୀବାସ୍ତବ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ଦୁର୍ଘଟଣା ରୋକିବା ଏବଂ ସେମାନଙ୍କୁ ମୌଳିକ ଲାଇପ୍ ସପୋର୍ଟରେ ପ୍ରଶିକ୍ଷଣ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ସହିତ ସମାନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ ଜଣ ସାଇକେଲ୍ ଚାଳକ ସମସ୍ତ ଅସ୍ଥିଶଲ୍ୟ ଚିକିତ୍ସକ ଯୋଗ ଦେଇ ସଡ଼କ ଦୁର୍ଘଟଣା ରୋକିବା ସହ ମୌଳିକ ଜୀବନ ସହାୟତା ପାଇଁ ପ୍ରଶିକ୍ଷଣ ଦେବାର ବାର୍ତ୍ତା ସମାଜରେ ବ୍ୟାପକ କରନ୍ତୁ ।

Leave A Reply

Your email address will not be published.