ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଆତଙ୍କ ଖେଳାଇଥିବା ଯୁବନେତା ତଥା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ପ୍ରକାଶ ପାଶୱାନ ଏବେ ପୋଲିସ ହେପାଜତରେ। ପାନପୋଷ ସର୍କିଟ୍ ହାଉସ୍ରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶଙ୍କୁ ଆଜି ରଘୁନାଥପାଲି ଥାନା ପୋଲିସ ୨ ଦିନିଆ ରିମାଣ୍ଡରେ ଆଣିଛି ।
ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୋଲିସ ପକ୍ଷରୁ କୋର୍ଟରେ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ସମସ୍ତ ଦିଗକୁ ବିଚାରକୁ ନେଇ କେବଳ ୨ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ପୋଲିସ ପ୍ରକାଶଙ୍କର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ବେଆଇନ ଅର୍ଥ କାରବାର ଏବଂ ସମ୍ପର୍କୀୟ ତଥ୍ୟ ଆଦାୟ କରିବାକୁ ଉଦ୍ୟମ କରିବ ।
ସର୍କିଟ୍ ହାଉସ୍ ଭଳି ଏକ ସମ୍ବେଦନଶୀଳ ତଥା ସୁରକ୍ଷିତ ସ୍ଥାନକୁ କିପରି ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଆସିଲା ଏବଂ ଏହା ପଛରେ କେଉଁମାନଙ୍କର ହାତ ରହିଛି, ସେ ନେଇ ପୋଲିସ ପ୍ରକାଶଙ୍କୁ ଘନଘନ ଜେରା କରିବ। ଏହାବ୍ୟତୀତ ସହରର ବାଲି ମାଫିଆ, ବିଭିନ୍ନ ଖଣି ମାଲିକ ଓ ପ୍ରତିଷ୍ଠିତ ଶିଳ୍ପପତିମାନଙ୍କ ଠାରୁ ବଟି ଆଦାୟ କରିବା ଏବଂ ସରକାରୀ ଠିକା କାମରେ ଟେଣ୍ଡର ଫିକ୍ସିଂ କରିବାରେ ତାଙ୍କର ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ, ପୋଲିସର ଚାପ ବଢ଼ିବା ପରେ ଏହି ମାମଲାରେ ସମ୍ପୃକ୍ତ ଥିବା ପ୍ରକାଶଙ୍କର ଦୁଇ ଜଣ ଘନିଷ୍ଠ ସହଯୋଗୀ ଜାନ ନାୟକ ଓ ଅମିତ ନାୟକ ରଘୁନାଥପାଲି ଥାନାରେ ଆତ୍ମସମର୍ପଣ କରିଛନ୍ତି । ପ୍ରକାଶଙ୍କୁ ମିଶାଇ ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ଏବେ ସୁଦ୍ଧା ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି ।
ଏହି ଘଟଣାକ୍ରମ ମଧ୍ୟରେ କେବଳ ପୋଲିସ ନୁହେଁ, ବନବିଭାଗ ମଧ୍ୟ ପ୍ରକାଶଙ୍କ ବେଆଇନ ସାମ୍ରାଜ୍ୟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁର୍ଗାପୁର ପାହାଡ଼ ସଂରକ୍ଷିତ ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରି ପ୍ରକାଶ ନିର୍ମାଣ କରିଥିବା ଏକ ବିରାଟ କୋଠା ତଥା କମ୍ୟୁନିଟି ସେଣ୍ଟର (ଯାହାକୁ ସେ ଅଫିସ ଭାବେ ବ୍ୟବହାର କରୁଥିଲେ) ତାହାକୁ ବନବିଭାଗ ପକ୍ଷରୁ ସିଲ୍ କରାଯାଇଛି । ସରକାରୀ ଜମିକୁ ନିଜ କବଜାରେ ରଖି ସେ ସେଠାରୁ ନିଜର ଅପରାଧିକ ନେଟୱାର୍କ ଚଳାଉଥିଲେ ବୋଲି ଅଭିଯୋଗ ହେଉଛି ।
ପ୍ରକାଶ ପାଶୱାନଙ୍କ ଅପରାଧିକ ରେକର୍ଡ ବେଶ୍ ଲମ୍ବା ରହିଛି । ସହରର ବିଭିନ୍ନ ଥାନାରେ ତାଙ୍କ ନାମରେ ପୂର୍ବରୁ ପ୍ରାୟ ୧୭ଟି ସଙ୍ଗୀନ ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି । ନିକଟରେ ମାଲଗୋଦାମ ଅଞ୍ଚଳର ବାସିନ୍ଦା ସିୟାରାମ ପ୍ରସାଦ ଓ ବନ୍ଦନା ସାହୁଙ୍କ ଠାରୁ ବିଭିନ୍ନ ବାହାନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ନାମରେ ଆଉ ୨ଟି ନୂଆ ମାମଲା ରୁଜୁ ହୋଇଛି । ଫଳରେ ତାଙ୍କ ନାମରେ ଥିବା ମୋଟ ମାମଲା ସଂଖ୍ୟା ଏବେ ୧୯ରେ ପହଞ୍ଚିଛି । ପୋଲିସ ଏହି ଠକେଇ ଅଭିଯୋଗଗୁଡ଼ିକର ମଧ୍ୟ ବିଧିବଦ୍ଧ ତଦନ୍ତ ଆରମ୍ଭ କରିଦେଇଛି । ଆଗାମୀ ଦୁଇ ଦିନର ରିମାଣ୍ଡରେ ରାଉରକେଲାର ଏହି ଚର୍ଚ୍ଚିତ ଯୁବନେତାଙ୍କ ଠାରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଚାଞ୍ଚଲ୍ୟକର ତଥ୍ୟ ବାହାରିବ ବୋଲି ସାଧାରଣରେ ଆଶା କରାଯାଉଛି ।


Comments are closed.