ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରରେ ଆଗକୁ ବଢ଼ିବ ରାଜ୍ୟ
ଭୁବନେଶ୍ୱର: ‘ଦେଶ ମୋ ପାଇଁ କ’ଣ କରିଛି ତାହା ବଡ଼ କଥା ନୁହେଁ, ମୁଁ ଦେଶ ପାଇଁ କ’ଣ କରିଛି ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ’ – ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଏହି ମହାମନ୍ତ୍ରକୁ ଜୀବନରେ ଆପଣାଇବା ପାଇଁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ସାହସୀ ବ୍ୟକ୍ତିବିଶେଷଙ୍କୁ ମର୍ଯ୍ୟାଦାଜନକ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ଏବଂ ସାହସିକତା ପୁରସ୍କାର’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଚଳିତ ବର୍ଷର ଜାତୀୟ ଥିମ୍ ‘ଖେଳିବ ଭାରତ, ଜିତିବ ଭାରତ’ ଢାଞ୍ଚାରେ ରାଜ୍ୟ ସରକାର ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ସଂକଳ୍ପ ଗ୍ରହଣ କରିଛନ୍ତି । ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ ଭାବେ ଗଢ଼ି ତୋଳିବା ସହ ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟରେ କାର୍ଯ୍ୟ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍ରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି । ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ବିଶ୍ୱସ୍ତରୀୟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳର ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟସ୍ ହବ୍’ ସମେତ ରାଜ୍ୟରେ ମୋଟ ୬ଟି ଆଞ୍ଚଳିକ ହବ୍ ପ୍ରତିଷ୍ଠା ହେବାକୁ ଯାଉଛି । ଏହାବ୍ୟତୀତ ଆଗାମୀ ୨୦୨୮ ଏସିଆନ୍ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ ଆୟୋଜନ କରି ଓଡ଼ିଶା ଏକ ନୂଆ ଇତିହାସ ରଚିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ସମାରୋହରେ ନୟାଗଡ଼ର ସୌମ୍ୟରଞ୍ଜନ ବେହେରାଙ୍କୁ ସାହସିକତା ପୁରସ୍କାର ମିଳିଥିବା ବେଳେ ଯାଜପୁରର ନୀଳମାଧବ ପଣ୍ଡା ଓ ସୁନିଲ କୁମାର ରାୟଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଣତି ମିଶ୍ର, ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଲୋମା ସ୍ୱାଇଁ, ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଗୋପାଳ କୃଷ୍ଣ ଦାଶ, ଶ୍ରେଷ୍ଠ ପାରା-ଆଥଲେଟ୍ ଭାବେ ସୁଚିତ୍ରା ପରିଡ଼ା ଏବଂ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ପ୍ରତୀକ ମହାରଣା ଓ ପାୟଲ ନାଗ୍ ପୁରସ୍କୃତ ହୋଇଛନ୍ତି ।
ସେହିପରି କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଶକ୍ତି ପ୍ରକାଶ ନନ୍ଦ, ଶ୍ରେଷ୍ଠ ବୈଷୟିକ ଅଧିକାରୀ ଭାବେ ପ୍ରବୋଧ କୁମାର ମହାନ୍ତି ଏବଂ ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହକ ସଂସ୍ଥା ଭାବେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍ (ଯାହାର ପୁରସ୍କାର ବିଧାୟକ ଜୟନାରାୟଣ ମିଶ୍ର ଗ୍ରହଣ କରିଥିଲେ) ସମ୍ମାନିତ ହୋଇଛନ୍ତି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପିଲାମାନଙ୍କୁ ମୋବାଇଲ୍ ବା ଟିଭି ‘ସ୍କ୍ରିନ୍ ଟାଇମ୍’ କମାଇ ଖେଳ ପଡ଼ିଆରେ ଅଧିକ ସମୟ ବିତାଇବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାସ୍ଥ୍ୟ ଓ ଫିଟନେସ୍ ଉପରେ ଗୁରୁତ୍ୱାରୋପ କରି ପାରା ତୀରନ୍ଦାଜ୍ ପାୟଲ ନାଗ୍ଙ୍କ ଉଦାହରଣ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଭାଗୀୟ ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଏବଂ ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ ଧନ୍ୟବାଦ ଅର୍ପଣ କରିଥିଲେ ।

